Latest Odisha News

BREAKING NEWS

କ୍ରିକେଟର ମୀନା ବଜାରରେ ରୋହିତଙ୍କୁ ହରାଇଲା କି ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ମ୍ୟାଚରେ ୪ ବିଜୟ ହାସଲ କରି ୮ ପଂଏଟ ସହ ୧୦ମ ସ୍ଥାନରେ ଅଭିଯାନ ଶେଷ କରିଛି । ରୋହିତ ଶର୍ମାଙ୍କୁ ହଟାଇବା ମୁମ୍ବାଇର ମସ୍ତବଡ ଭୁଲ ହୋଇଥିବା ପ୍ରମାଣିତ ହୋଇଛି । କ୍ରିକେଟରର ମୀନାବଜାରରେ କେବଳ ରୋହିତ ନୁହେଁ, ଫ୍ରାଂଚାଇଜରମାନେ ରସ ଟେଲ, ରାହୁଲ ଡ୍ରାଭିଡ, ଡେଭିଡ ୱାର୍ଣ୍ଣର, ଏମଏସ ଧୋନୀ ଓ କେଏଲ ରାହୁଲଙ୍କ ପରି ଖେଳାଳିଙ୍କ ଅପମାନିତ କରିଛନ୍ତି । ଏହି ମହାନ ଖେଳାଳିମାନେ ଅବଶ୍ୟ ସମ୍ମାନ ଦୃଷ୍ଟିକୋଣରୁ ବିବାଦ ସମ୍ମୁଖକୁ ଆଣି ନାହାନ୍ତି । ମାତ୍ର ମିଡିଆ ଚଷମାରେ ଫ୍ରାଂଚାଇଜର ଏହି କାରନାମ ଧରା ପଡି ଯାଇଥିଲା । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ରୋହିତ ୩୮ ବଲରୁ ଚମତ୍କାର ୬୮ ରନର ଇନିଂସ ଖେଳିଥିଲେ । ମୁମ୍ବାଇ ଏହି ମ୍ୟାଚ ହାରି ଅଭିଯାନ ଶେଷ କରିଛି ।

ରୋହିତ ଆଉଟ ହେବା ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଅନୁଭବ କରିଥିଲେ ଯେ, ରୋହିତ ଡ୍ରେସିଂ ରୁମକୁ ଫେରୁ ନାହାନ୍ତି… ସେମାନଙ୍କଠାରୁ ଦୂରେଇ ଯାଉଛନ୍ତି । ପ୍ରଶଂସକଙ୍କ ଭାବପ୍ରବଣତା ପଦାରେ ପଡି ଯାଇଥିଲା । ଟିମର ହାର ଜିତି ଅପେକ୍ଷା ରୋହିତଙ୍କୁ ନେଇ ସେମାନେ ଚିନ୍ତାରେ ଥିଲେ । ଆଇପିଏଲର ମେଗା ନିଲାମ ଏହା ପରେ ହେବ । ସେତେବେଳେ ରୋହିତ ମୁମ୍ବାଇ ପକ୍ଷରୁ ପୂନର୍ବାର ଖେଳିବେ କି ନାହିଁ ତାହା ଭିନ୍ନ କଥା । ହିଟମ୍ୟାନଙ୍କୁ ନେବା ପାଇଁ ଅଧିକାଂଶ ଫ୍ରାଂଚାଇଜର ଆଗ୍ରହ ପ୍ରକାଶ କରିଛନ୍ତି । ଯେଉଁ ହାର୍ଦ୍ଦିକ କହୁଥିଲେ ମୁମ୍ବାଇ ଟିମ ସର୍ବଦା କ୍ରିମ ଖେଳାଳି କିଣୁଛି । ଯିଏ ବି ଅଧିନାୟକ ହେବ ଟାଇଟଲ ହାସଲ କରିବ । ଏହି ବୟାନ ଏବେ ପାଣିଚିଆ ହୋଇଯାଇଛି । ଏବେ ହାର୍ଦ୍ଦିକ କିଛି ନ କରିପାରିବା ମୁମ୍ବାଇ ଫ୍ରାଂଚାଇଜରଙ୍କୁ ଚକିତ କରିଛି ।

ଗୁଜରାଟ ଟାଇଟାନ୍ସକୁ ଚାମ୍ପିୟନ କରାଇବା ପରେ ହାର୍ଦ୍ଦିକଙ୍କ ଆତ୍ମ ବିଶ୍ୱାସ ସୀମା ପାର କରାଯାଇଥିଲା । ଅପରପକ୍ଷରେ ଦଳକୁ ୫ ଥର ଟାଇଟଲ ଜିତାଇଥିବା ଓ ପ୍ରଶଂସକଙ୍କୁ ଆକୃଷ୍ଟ କରିବାରେ ରୋହିତ ପଛାଇ ନ ଥିଲେ । ଏକ ଶକ୍ତିଶାଳୀ ଟିମ ଗଠନ କରି ଫ୍ରାଂଚାଇଜର, ଖେଳାଳି ଓ ପ୍ରଶଂସକଙ୍କ ପ୍ରିୟ ହୋଇଥିଲେ । ମୁମ୍ବାଇ ପ୍ରଶଂସକ କେବେହେଲେ ରୋହିତଙ୍କ ଭୁଲି ପାରିବେନି । ସେ ସେମାନଙ୍କ ମନରେ ଘର କରିଛନ୍ତି ।

ହାର୍ଦ୍ଦିକ ନିଜେ ଭୁଲି ଯାଉଛନ୍ତି ଯେ, ତାଙ୍କ କ୍ୟାରିୟରରେ ସୁନାର ପରତ ରୋହିତ ହିଁ ଚଢ଼ାଇଥିଲେ । ଯଶ୍ରପୀତ ବୁମରାହ, ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳି ରୋହିତଙ୍କ ଦାନ କହିଲେ ଭୁଲ ହେବନି । ଟିମ ଭିତରେ ଫାଟ ସୃଷ୍ଟି ହେବାର ଯଥେଷ୍ଟ କାରଣ ଥିଲା । ନିଜ ମେଂଟରଙ୍କ ପ୍ରତି ଅସମ୍ମାନ ସାଥୀ ଖେଳାଳି ବି ସହ୍ୟ କରିପାରି ନ ଥିଲେ । ସେମାନେ ବି ରୋହିତଙ୍କ ସପକ୍ଷରେ ରହିଥିଲେ । ଏହାର ପ୍ରଭାବ ପ୍ରଦର୍ଶନ ଉପରେ ପଡିଥିଲା ।

ମହେନ୍ଦ୍ର ସିଂ ଧୋନୀଙ୍କୁ ରିତୁରାଜ ଗାଏକ୍ୱାଡ ସମ୍ମାନ ଦେବା ସହ କଥା ଶୁଣିଥିଲେ । ହାର୍ଦ୍ଦିକଙ୍କ କ୍ଷେତ୍ରରେ ଏହି ବ୍ୟତୀକ୍ରମ ଦେଖିବାକୁ ମିିଳିଥିଲା । ରୋହିତ ଜଣେ ମହାନ ଖେଳାଳି । ଏବେ ସେ ଟି୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ । ସେ ନିଜ ନାମ କ୍ରିକେଟ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରି ସାରିଛନ୍ତି । ଆଊ ମୁମ୍ବାଇ…ହାର୍ଦ୍ଦିକ ? ସରି ରୋହିତ ତୁମେ ଅମୂଲ୍ୟ ବୋଧହୁଏ ସେମାନେ ଜାଣି ପାରିଲେ ନାହିଁ ।

Leave A Reply

Your email address will not be published.