Latest Odisha News

ହରିୟାଣାରେ ବି କଂଗ୍ରେସର କର୍ଣ୍ଣାଟକ ଫର୍ମୁଲା

ଭୁବନେଶ୍ୱର: ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ କଂଗ୍ରେସ ଏବେ ଗ୍ୟାରେଣ୍ଟି ଫର୍ମୁଲା ଆପଣାଇବା ଆରମ୍ଭ କରିଛି। ଆଗକୁ ନିର୍ବାଚନ ହେବାକୁ ଥିବା ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୁକ୍ତ ସେବା ବିଷୟରେ ଗ୍ୟାରେଣ୍ଟି ଦେବା କାର୍ଯ୍ୟକୁ ବ୍ୟାପକ କରିଛି।

କର୍ଣ୍ଣାଟକରେ କଂଗ୍ରେସର ଏହି ଫଣ୍ଡା କାମ କରିବା ପରେ ଏବେ ହରିୟାଣାରେ ଦଳ ପକ୍ଷରୁ ଏଭଳି ମାହୋଲ ବନାଇବା କାର୍ଯ୍ୟକୁ ବ୍ୟାପକ କରାଯାଇଛି। କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା କଂଗ୍ରେସର ନୂଆ ସରକାର ଶପଥ ନେବା ପରେ ତୁରନ୍ତ ତାହା ପୂରଣ କରାଯାଇଛି।

ତେଣୁ ଏହାକୁ ଏକ ବଡ଼ ସୋ ପିସ କରି ଦଳ ଅନ୍ୟ ରାଜ୍ୟରେ ବଡ଼ ସଫଳତା ପାଇବାକୁ ଯୋଜନା କରିଛି। ଆସନ୍ତାବର୍ଷ ହରିୟାଣାରେ ବିଧାନସଭା ନିର୍ବାଚନ ସହ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ସେଠାରେ କଂଗ୍ରେସ ପକ୍ଷରୁ ଲୋକଙ୍କ ପାଇଁ ବହୁ ଯୋଜନା ଘୋଷଣା ହୋଇଛି।

ହରିୟାଣାର କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଦିପେନ୍ଦ୍ର ସିଂ ହୁଡ୍ଡା ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦେଇଛନ୍ତି। ହରିୟାଣାରେ କଂଗ୍ରେସ ସରକାରକୁ ଆସିଲେ ଗରିବ ପରିବାରକୁ ଘର ଦିଆଯିବା ସହ ବରିଷ୍ଠ ନାଗରିକଙ୍କୁ ମାସିକ ଛଅ ହଜାର ଟଙ୍କା ପେନସନ, ଯୁବପୀଢ଼ିଙ୍କୁ ରୋଜଗାର, ମାସିକ 300 ୟୁନିଟ ମୁକ୍ତ ବିଜୁଳି ଦିଆଯିବ ବୋଲି ସେ କହିଛନ୍ତି । ଏଥିସହିତ ପୁରୁଣା ପେନସନ ସ୍କିମ ଲାଗୁ କରାଯିବ ବୋଲି କୁହାଯାଇଛି।

ନିର୍ବାଚନ ହେବାକୁ ଥିବା ରାଜ୍ୟରେ କଂଗ୍ରେସ ଏଭଳି ଗ୍ୟାରେଣ୍ଟି ଦେବା ସହ ଦାବି ପୂରଣ କରିବା ଦିଗରେ ମଧ୍ୟ ତ୍ୱରିତ ପଦକ୍ଷେପ ନେଉଛି। ଯାହାକି କର୍ଣ୍ଣାଟକରେ ଦେଖାଯାଇଛି। ଯେଉଁଥିପାଇଁ ନିର୍ବାଚନ ପୂର୍ବରୁ ଲୋକଙ୍କ ଭରସା ବଢ଼ାଇବାରେ ଏହା ଭଲ କାମ କରୁଥିବା ଚର୍ଚ୍ଚା ହେଉଛି।

ସେପଟେ କଂଗ୍ରେସର ଏଭଳି ଢାଞ୍ଚା ପାଇଁ ବିଜେପି ବର୍ଷିଛି। କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ କଂଗ୍ରେସ ଯେଉଁ ଖୁସି ହେଉଛି ଏହା ସ୍ୱଳ୍ପ ସମୟ ପାଇଁ ବୋଲି ହରିୟାଣାର ବିଜେପି ପ୍ରଦେଶ ଅଧ୍ୟକ୍ଷ ଓ ପି ଧନଖଡ଼ କହିଛନ୍ତି। ପୂର୍ବରୁ ରାଜସ୍ଥାନରେ ଜିତିବା ପରେ କଂଗ୍ରେସ ଅନ୍ୟାନ୍ୟ ନିର୍ବାଚନ ହାରିଥିଲା ବୋଲି ସେ କହିଛନ୍ତି।

ରାଜ୍ୟର ୧୦ ଟି ଲୋକସଭା ସିଟ ପାଇବା ସହ ବିଧାନସଭା ନିର୍ବାଚନ ଜିତି ବିଜେପି ହରିୟାଣାରେ ତୃତୀୟ ଥର ସରକାର ଗଢ଼ିବ ବୋଲି ସେ କହିଛନ୍ତି। ଯେଉଁଥିପାଇଁ ଆସନ୍ତା ୩୦ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ ହେବ ବୋଲି କହିଛି ବିଜେପି।

କିନ୍ତୁ ଏବେ ନିର୍ବାଚନରେ ମୁକ୍ତରେ ବିଭିନ୍ନ ସାମଗ୍ରୀ ଦେବାକୁ ନେଇ ଏକ ପ୍ରତିଯୋଗିତା ଚାଲିଛି। ବିଭିନ୍ନ ପ୍ରମୁଖ ଦଳ ବିଭିନ୍ନ ମୁକ୍ତ ଯୋଜନା ଘୋଷଣା କରୁଛନ୍ତି। ତେଣୁ କଣ କଲେ ଲୋକେ ବିଶ୍ୱାସକୁ ନେବେ ତାକୁ ଦେଖି କାମ କଲେ ସଫଳତା ମିଳିବ ବୋଲି କୁହାଯାଉଛି।

Comments are closed.