ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଙ୍ଗଳବାର ଦିନ ଆନୁଷ୍ଠାନିକ ଭାବେ ତାଙ୍କ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
“ ବିଧାୟକ ପଦରୁ ଇସ୍ତଫା ପ୍ରଦାନ ନେଇ ମୁଁ ଅକ୍ଟୋବର ୩୦ ତାରିଖ ଦିନ ଗଣମାଧ୍ୟମ ଆଗରେ ଘୋଷଣା କରିଥିଲି । ପରେ ବାଚସ୍ପତିଙ୍କୁ ମୋର ଇସ୍ତଫାପତ୍ର ଦେବାକୁ ଯିବାବେଳେ ତାଙ୍କର ଅନୁପସ୍ଥିତି ଯୋଗୁଁ ସେ ମୋତେ ନଭେମ୍ବର ୬ ତାରିଖରେ ଇସ୍ତଫାପତ୍ର ଦେବାକୁ କହିଥିଲେ । ତେଣୁ ମୁଁ ମୋର ଇସ୍ତଫା ପ୍ରଦାନ କରିବାକୁ ଆଜି ଆସି ବାଚସ୍ପତିଙ୍କୁ ତାହା ପ୍ରଦାନ କଲି,” ଏହା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କୃଷ୍ଣ ସଗରିଆ ।
ସେ କଂଗ୍ରେସ ଦଳରେ ରହିଛନ୍ତି ଏବଂ ଦଳ ପାଇଁ କାର୍ଯ୍ୟ କରିବେ, ବୋଲି ସେ ତାଙ୍କର ଇସ୍ତଫା ପ୍ରଦାନ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ।
କୁନ୍ଦୁଲୀ ଗଣଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଆ ତାଙ୍କର ଇସ୍ତଫା ଦେଇଥିବାର କାରଣ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ।
“୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ୧୫ ବର୍ଷର ଜଣେ ନାବାଳିକାକୁ କୁନ୍ଦୁଲୀଠାରେ ଗଣଦୁଷ୍କର୍ମ କରାଯାଇଥିଲା, ଏବଂ ସମଗ୍ର ରାଜ୍ୟରେ ଏହି ଘଟଣାର ଖବର ବ୍ୟାପୀଯାଇଥିଲା । ଏହି ଦଳିତ ନାବାଳିକା ଜଣକ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଶେଷରେ ଏହିି ବର୍ଷ ଜାନୁଆରୀ ୨୨ ତାରିଖରେ ନିଜର ମୁଷାଗୁଡ଼ା ବାସଗୃହରେ ଆତ୍ମହତ୍ୟା କରିଥିଲା । ଯଦିଓ ଏହି ପୀଡ଼ିତା ଜଣକ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଗୁହାରୀ କରିଥିଲେ ମଧ୍ୟ ଏହି ଘଟଣାର ତାହା କେହି ଶୁଣିନଥିଲେ । ମୁଁ କୋରାପୁଟ ଜିଲ୍ଲାର ଜନ ପ୍ରତିନିଧି ଭାବେ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ମଧ୍ୟ କରିଥିଲି । କୁନ୍ଦୁଲୀ ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ମୃତ୍ୟୁ ପରେ ମୁଁ ଜନପ୍ରତିନିଧି ଭାବେ ରହିବି ନା ନାହିଁ ବାରମ୍ବାର ନିଜକୁ ନିଜେ ପଚାରୁଥିଲି ।”ବୋଲି କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି ।
ପୀଡ଼ିତା ଜଣକ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିବେ ବୋଲି କହିଥିଲେ ମଧ୍ୟ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇନଥିଲେ । “ଓଡ଼ିଶାରେ ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ନେତାଙ୍କ ଲାଗି କ’ଣ ନ୍ୟାୟ ଉଦ୍ଦିଷ୍ଟ? ମୋତେ ପ୍ରତିଦିନ ପୀଡ଼ିତା ଜଣକ ଯେପରି କହୁଛନ୍ତି ତୁମେ କାହିଁକି ମୋତେ ନ୍ୟାୟ ପ୍ରଦାନ କଲ ନାହିଁ? ଶେଷରେ, ମୁଁ ଅନୁଭବ କଲି ଯେ, ଲୋକମାନେ ଯେଉଁଥିଲାଗି ମୋ ଉପରେ ଭରସା କରି ନିର୍ବାଚିତ କରିଥିଲେ ମୁଁ ତାହା ପାଳନ କରିପାରିଲିନାହିଁ । ଶେଷରେ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲି,” ବୋଲି ଏହିକଥା ଅକ୍ଟୋବର ୩୦ ତାରିଖରେ ଇସ୍ତଫା ଦେବାର ଘୋଷଣା କରିବା ସମୟରେ ଗଣମାଧ୍ୟମକୁ କହିଥିଲେ ବରିଷ୍ଠ କଂଗ୍ରେସ ନେତା କୃଷ୍ଣ ସଗରିଆ ।
ବିଧାୟକ ପଦରୁ କୃଷ୍ଣ ସଗରିଆଙ୍କ ଇସ୍ତଫା ପ୍ରଦାନ ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ବିଧାୟକ କୃଷ୍ଣ ସଗରିଆ ତାଙ୍କ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ଲାଭବାନ ହେବ । “ଏହି ଇସ୍ତଫା ପ୍ରଦାନ ପରେ ରାଜ୍ୟ ସରକାର ଅନୁଭବ କରିବେ କି, ଏହି ଘଟଣା ଯୋଗଁ ସେ ଇସ୍ତଫା ପ୍ରଦାନ କରିଛନ୍ତି,” ଏହା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।
Comments are closed.