Latest Odisha News

BREAKING NEWS

ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇଭଉଣୀଙ୍କୁ ଆନନ୍ଦ ଭବନରେ ଭେଟିଲେ କଂଗ୍ରେସ ବିଧାୟକ ମୋକିମ

କଟକ: କଟକ ଆନନ୍ଦ ଭବନରେ ଅସୁସ୍ଥ ଓ ଅସହାୟ ଅବସ୍ଥାରେ ଅଛନ୍ତି ନବୀନ ପଟ୍ଟନାୟକଙ୍କ ବଡ ବାପାଙ୍କ ପୁଅ ଝିଅ ଦିଲ୍ଲୀ ପଟ୍ଟନାୟକ ଓ ରେଖା। ରକ୍ଷଣାବେକ୍ଷଣ ଅଭାବରୁ ଏହି ଘର ଜରାଜୀର୍ଣ୍ଣ ହୋଇ ପଡିଥିବାବେଳେ ଆଗରେ ଘାସି ଉଠିଛି ।  ଅବସର ନେବା ପରେ ଦିଲ୍ଲୀପଙ୍କ ପାଖରେ ଅର୍ଥ ରୋଜଗାରର ମାଧ୍ୟମ କିଛି ନାହିଁ । ତେଣୁ ସେହି ଘରେ ଦୁଃଖ ଓ କଷ୍ଟରେ ରହିଛନ୍ତି ଦିଲ୍ଲୀପ ଓ ରେଖା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ  କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କ ନିକଟକୁ ଯାଇ ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ଦିଲ୍ଲୀପଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ବିଧାୟକ ମୋକିମ ତାଙ୍କର ତୁଲାସିପୁର ସ୍ଥିତ ବାସଭବନରେ ଭେଟିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇପଡି ଥିଲେ ହେଁ ଦିଲୀପ ତାଙ୍କ ସମ୍ପର୍କୀୟ ଭାଇ ନବୀନଙ୍କ ସମର୍ଥନ  ପାଇ ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ । ପିଲାଦିନର ସ୍ମୃତିକୁ ମନେ ପକେଇ ଦିଲୀପ କହିଥିଲେ,   ଆନନ୍ଦ ଭବନରେ ସେ ନବୀନଙ୍କ ସହ  ଏକାଠି ଖାଉଥିଲେ, ଖେଳୁଥିଲେ ଏବଂ ଶୋଇଥିଲେ ।  ଦିଲୀପ କହିଛନ୍ତି ,  ସବୁଠାରୁ ଅଧିକ କଷ୍ଟ  ହେଉଛି ଯେ, ନବୀନ ରାଜ୍ୟ ପାଇଁ ଅନେକ କିଛି କରୁଛନ୍ତି  । ହେଲେ କାହା ସହ କୌଣସି ସମ୍ପର୍କ ରଖୁ ନାହାଁନ୍ତି। ଏପରିକି ଯେତେବେଳେ ନବୀନ ପଟ୍ଟନାୟକ ଏବଂ ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଏକ ସ୍ମୃତି ସଂଗ୍ରହାଳୟ ଏବଂ ଏକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୦୧୫ରେ ଆନନ୍ଦ ଭବନକୁ ରାଜ୍ୟକୁ ଦାନ କରିଥିଲେ ସେତେବେଳେ ତାଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇ ନ ଥିଲା ।

ଏଠି କହିରଖିବୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟଙ୍କ  ଭାଇ ହେଉଛନ୍ତି ଜର୍ଜ ପଟ୍ଟନାୟକ । ତାଙ୍କର ପୁଅଝିଅ ହେଉଛନ୍ତି ଦିଲ୍ଲୀପ ଓ ରେଖା । ଜର୍ଜଙ୍କ ବ୍ୟତୀତ ତାଙ୍କର ଅନ୍ୟଜଣେ ଭାଇ ମଧ୍ୟ ଅଛନ୍ତି ଶ୍ରୀଜୟାନନ୍ଦ ପଟ୍ଟନାୟକ । ଦିଲ୍ଲୀପ ଅବିବାହିତ ଓ ଗତ ୨୫ ବର୍ଷ ହେବ ଚାକିରିରୁ ଅବସର ନେଇ ସାରିଛନ୍ତି। ଏକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ଦିଲ୍ଲୀପ କହିଛନ୍ତି, ନବୀନ ପଟ୍ଟନାୟକ ମୋ ବିଷୟରେ କେବେ ପଚରାଉଚରା କରିନାହାନ୍ତି। ଦୁଇଟି ବଡ଼ ଅସ୍ତ୍ରୋପଚାର ପରେ ସେ ମୋତେ ଫୋନ୍ ମଧ୍ୟ କରିନଥିଲେ।

ଦିଲ୍ଲୀପଙ୍କ ଭଉଣୀ ରେଖା କହିଛନ୍ତି,   ତାଙ୍କ ମା’ଙ୍କ ମୃତ୍ୟୁ ପରେ ନବୀନ ସେମାନଙ୍କୁ ଦେଖା କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ନବୀନ ତାଙ୍କ ସହ କଥା ହୋଇଥିଲେ । ସେ ସମସ୍ତଙ୍କ ପାଇଁ ଭଲ ବୋଲି କହିଥିଲେ ।

ସେମାନଙ୍କ ସହ କଥା ହେବା ପରେ ବିଧାୟକ ମୋକିମ ତାଙ୍କୁ ସମସ୍ତ ପ୍ରକାର ସହାୟତ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.