Latest Odisha News

BREAKING NEWS

ମିଶନ ଚନ୍ଦ୍ରଯାନ: ୬୦୦ କୋଟି ଖର୍ଚ୍ଚ କରି ଚନ୍ଦ୍ରରେ କଣ ହାତେଇବାକୁ ଚାହୁଁଛି ଭାରତ ?

ଭୁବନେଶ୍ୱର: ୨ ଦଶନ୍ଧିରେ ତୃତୀୟ ମିଶନ । ଚନ୍ଦ୍ରରେ ପହଞ୍ଚିବାକୁ ପୁଣି ଥରେ ଭାରତର ପ୍ରୟାସ । ଶେଷଥର ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରୟାନ-୨କୁ ମହାକାଶକୁ ପଠାଇଥିଲା । ଯେଉଁଥିରେ ଉତକ୍ଷେପଣକୁ ବାଦ୍ ଦେଲେ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସଫ୍ଟ  ଲ୍ୟାଣ୍ଡିଂ ସଫଳ ହୋଇ ନଥିବାରୁ ମିଶନ ବିଫଳ ହୋଇଥିଲା ।

ଏବେ ପୁଣି ଥରେ ଇସ୍ରୋ ମିଶନ୍ ମୁନ୍ ଆରମ୍ଭ କରିଛି । ଆସନ୍ତା ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଦିନ ୨ଟା ୩୫ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ ହେବ । ଏହା ୨୦୧୯ ଚନ୍ଦ୍ରଯାନ-୨ ମିଶନର ଅଂଶ ।

ଇସ୍ରୋ ଅଧିକାରୀଙ୍କ ସୂଚନା ଅନୁସାରେ, ଚନ୍ଦ୍ରଯାନ-୩ ଉତକ୍ଷେପଣର ପ୍ରାୟ ମାସକ ପରେ ଏହା ଚନ୍ଦ୍ରର କକ୍ଷରେ ପହଞ୍ଚିବ । ଲ୍ୟାଣ୍ଡର ବିକ୍ରମ ଓ ରୋଭର ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସମ୍ଭାବନା ରହିଛି । ଯଦି ସବୁକିଛି ଠିକ୍ ରୁହେ ତାହେଲେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଦିଗରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଦୁନିଆର ପ୍ରଥମ ମିଶନ ହେବ ।

ଏହା ପୂର୍ବରୁ ଚନ୍ଦ୍ରରେ ସମସ୍ତ ମହାକାଶ ଯାନ ଉତ୍ତର ଦିଗରେ ଅବତରଣ କରିଛନ୍ତି । ଭୂମଧ୍ୟ ରେଖାରେ ଅବତରଣ ସହଜ ଓ ସୁରକ୍ଷିତ ହୋଇଥିବା ବେଳେ ଭୂ-ପୃଷ୍ଠ ଚିକ୍କଣ ଅଟେ । ଏଠାରେ ସୂର୍ଯ୍ୟକିରଣ ପ୍ରଚୁର ମାତ୍ରାରେ ପଡ଼ିଥାଏ ।

ଯେତେବେଳେ କି ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ କେତେକାଂଶରେ ସୂର୍ଯ୍ୟ କିରଣ ଆଦୌ ପଡ଼େ ନାହିଁ । ଅର୍ଥାତ୍ ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାର । ସେଠାରେ ତାପମାତ୍ରା ୨୩୦ ଡିଗ୍ରୀ ତଳକୁ ବି ଖସିପାରେ । ସୂର୍ଯ୍ୟ କିରଣ ନଥିବା ଓ ବିଯୁକ୍ତ ତାପମାତ୍ରାରେ ଅନେକ ଉପକରଣ କାର୍ଯ୍ୟ କରିବାରେ ସମସ୍ୟା ହୋଇପାରେ । ଏହା ଛଡ଼ା ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅନେକ ବଡ଼ ବଡ଼ ଗାତ ରହିଛି । ଯାହାକି କିଛି ସେଣ୍ଟିମିଟରରୁ ନେଇ ହଜାର ହଜାର କିଲୋମିଟର ଯାଏ ପରିବ୍ୟାପ୍ତ ।

୨୦୦୩ରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତ ଚନ୍ଦ୍ରଯାନ-୧ର ଘୋଷଣା କରିଥିଲା । ଯାହାକି ଭାରତର ପ୍ରଥମ ମିଶନ ଥିଲା ଚନ୍ଦ୍ରମା ପାଇଁ । ୨୦୦୮ ନଭେମ୍ବର ୧୪ରେ ଲ୍ୟାଣ୍ଡିଂ ସଫଳ ହୋଇଥିବା ବେଳେ ସେତେବେଳେ ଖର୍ଚ୍ଚ ହୋଇଥିଲା ୩୮୬ କୋଟି ଟଙ୍କା । ଯେଉଁଥିଲେ ନାସାର ମୁନ୍ ମିନେରୋଲୋଜି ମ୍ୟାପର ଯାଇଥିବା ବେଳେ ଚନ୍ଦ୍ରରେ ପାଣିର ସନ୍ଧାନ କରିଥିଲା ।

୨୦୧୯ରେ ଭାରତ ଚନ୍ଦ୍ରଯାନ-୨ ଉତକ୍ଷେପଣ କରିଥିଲା । ତେବେ ସଫ୍ଟ ଲାଣ୍ଡିଂ ସଫଳ ନ ହେବାରୁ ଲ୍ୟାଣ୍ଡର ରୋଭର ସହ ସମ୍ପର୍କ ବିଛିନ୍ନ ହୋଇ ଯାଇଥିଲା । ଏବେ ଚନ୍ଦ୍ରଯାନ-୩ରେ ଭାରତ ଅନେକ ପରିବର୍ତ୍ତନ ଆଣିଛି । ଏଥିରେ ଅର୍ବିଟର ନାହିଁ । କାରଣ ଚନ୍ଦ୍ରଯାନ-୨ରେ ପଠା ଯାଇଥିବା ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି ।

ଚନ୍ଦ୍ରଯାନ-୩ରେ ଅର୍ବିଟର ସ୍ଥାନରେ ପ୍ରୋପଲ୍ସନ୍ ମଡ୍ୟୁଲ୍ ଲଗାଯାଇଛି । ଯାହାକି ନାଭିଗେସନ୍ ପାଇଁ ସାହାଯ୍ୟ କରିବ । ପୂର୍ବ ତୁଳନାରେ ଲ୍ୟାଣ୍ଡରକୁ ଆହୁରି ମଜଭୁତ କରାଯିବା ସହ ଅନେକ ସେନସର ଲଗାଯାଇଛି । ଲ୍ଯାଣ୍ଡରରେ ୪ଟି ମୋଟର ରହିଛି । ଉତକ୍ଷେପଣ ପୂର୍ବରୁ ଏକାଧିକ ପରୀକ୍ଷଣ କରାଯାଇଛି । ଚନ୍ଦ୍ରଯାନ-୩ର ଓଜନ ୩୯୦୦ କିଲୋଗ୍ରାମ ।

ଚନ୍ଦ୍ରରେ ଅନେକ ଖଣିଜ ସମ୍ପଦ ଭରି ରହିଥିବା ଆଶା କରାଯାଉଛି । ଭବିଷ୍ୟତରେ ଚନ୍ଦ୍ରରେ ମହାକାଶ କେନ୍ଦ୍ର ହୋଇପାରେ । ଚନ୍ଦ୍ର, ପୃଥିବୀ ଓ ବ୍ରହ୍ମାଣ୍ଡକୁ ଅଧିକ ଜାଣିବା ଲାଗି ଅନୁସନ୍ଧାନର ଆବଶ୍ଯକତା ରହିଛି । ତା ଛଡ଼ା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ଏହି ପରୀକ୍ଷଣ କରୁଥିବାରୁ ପୂରା ବିଶ୍ୱର ନଜର ରହିଛି । ଏହି ମିଶନ ସଫଳ ହେଲେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେବ ଏବଂ ଚନ୍ଦ୍ରର ଦକ୍ଷିଣ ଭାଗରେ ସଫ୍ଟ ଲ୍ୟାଣ୍ଡିଂରେ ଏହା ହେବ ବିଶ୍ୱର ପ୍ରଥମ ମିଶନ ।

Leave A Reply

Your email address will not be published.