Latest Odisha News

BREAKING NEWS

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଥରୁର-ଖଡ଼ଗେଙ୍କ ମଧ୍ୟରେ ଲଢ଼େଇ ସଂଭାବନା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି । ଆଜି ଶେଷ ଦିନରେ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶଶୀ ଥରୁର, ମଲ୍ଲିକାର୍ଜୁନ ଖଡ଼ଗେ, ଏବଂ କେଏନ ତ୍ରିପାଠୀ ଏବେ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି । ଅକ୍ଟୋବର ୮ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହର ଶେଷ ଦିନ ।  ୨୨ ବର୍ଷ ପରେ ଗାନ୍ଧୀ ପରିବାର ସଦସ୍ୟଙ୍କ ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେଉଛି । ଆଉ ସବୁଠୁ ଚର୍ଚାର କଥା ହେଲା ଏହି ନିର୍ବାଚନରେ ଗାନ୍ଧୀ- ନେହରୁ ପରିବାରର କୈାଣସି ସଦସ୍ୟ କାହାକୁ ଖୋଲାଖୋଲି ସମର୍ଥନ କରିନାହାଁନ୍ତି । ପରିବାରବାଦର ଟ୍ୟାଗ ହଟାଇବା ପାଇଁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଏପରି ନିଷ୍ପତ୍ତି ନେଇଥିବା ଚର୍ଚା ହେଉଛି ।

ଗତ ସପ୍ତାହ ଧରି କିଏ ସଭାପତି ପାଇଁ ନାମାଙ୍କନ ପତ୍ର ଭରିବେ ତାହା ଉପରେ ଚର୍ଚା ଚାଲିଥିଲା । ଶେଷ ମୁହୁର୍ତ୍ତରେ ଅଶୋକ ଗେହଲୋଟ ରେସରୁ ବାହାରିବା ପରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରତି ଅଧିକାଂଶ ନେତାଙ୍କ ସମର୍ଥନ ଥିବା ଆଜି ଦେଖାଯାଇଥିଲା ।  ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଦଳର ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବା ପରେ ସେ ଗୋଟିଏ ବାକ୍ୟରେ କହିଛନ୍ତି ସେ ଦଳର ପରିବର୍ତ୍ତନ ଏବଂ ପ୍ରଗତି କରିବାକୁ ଚାହାଁନ୍ତି । ଦଳକୁ ସୁଦୃଢ଼ କରିବା ତାଙ୍କର ଇଛା  । ସେ ବିଜୟୀ ହେଲେ କଂଗ୍ରେସକୁ ପୁଣି ଠିକ୍ ରାସ୍ତାକୁ ଆଣିପାରିବେ । ଯଦି ମଲ୍ଲିକାର୍ଜୁନ ଖଡ଼ଗେ ଜିତନ୍ତି ତେବେ କଂଗ୍ରେସ ଯେପରି ଚାଲିଛି ସେପରି ଚାଲିବ ବୋଲି ସେ କହିଛନ୍ତି ।

 ଏଥି ସହ ଝାଡ଼ଖଣ୍ଡ କଂଗ୍ରେସ ନେତା କେ.ଏନ୍ ତ୍ରିପାଠୀ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ପ୍ରତିଦ୍ବନ୍ଦ୍ବିତା  ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବ । ଝାଡ଼ଖଣ୍ଡର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏନ୍ ତ୍ରିପାଠୀ ନାମାଙ୍କନ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି ।

ତେବେ ସବୁଠୁ ବଡ଼ କଥା ହେଲା ଏବେ କେଉଁ ରାଜ୍ୟର ପିସିସି କାହାକୁ ସମର୍ଥନ କରୁଛି ତାହା ଦେଖିବାକୁ ବାକି ରହିଲା । କାରଣ ଯେଉଁ ପ୍ରାର୍ଥୀଙ୍କୁ ଅଧିକା ରାଜ୍ୟର କଂଗ୍ରେସ କମିଟିର ସଦସ୍ୟଙ୍କ ସମର୍ଥନ ମିଳିବ ସେ ହିଁ ସଭାପତି ହେବେ । ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମର୍ଥନ ଥିବାରୁ ତାଙ୍କ ପ୍ରତି ଅଧିକ ଦଳୀୟ ନେତାଙ୍କ ସମର୍ଥନ ରହିବ ବୋଲି ଚର୍ଚା ହେଉଛି । ତେବେ କଂଗ୍ରେସ ସଭାପତି ପ୍ରାର୍ଥୀମାନେ ନିଜ ଇଚ୍ଛାରେ ଠିଆ ହୋଇଛନ୍ତି। ଗାନ୍ଧୀ ପରିବାର କୌଣସି ପକ୍ଷ ନେଉନାହାନ୍ତି ବୋଲି ମଧୁସୂଦନ ମିସ୍ତ୍ରୀ, କଂଗ୍ରେସ ନିର୍ବାଚନ କମିଟି ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.