Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ମିଡିଆ ସେଲ ଚେୟାରମ୍ୟାନ ଏଆଇସିସି ପବନ ଖେରା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ । ଓଡ଼ିଶା ଆସି ପ୍ରଶ୍ନର ଉତ୍ତର ଦିଅନ୍ତୁ ମୋଦୀ । ମୋଦୀଙ୍କ ସରକାରକୁ ୧୦ ବର୍ଷ, ଓଡ଼ିଶାରେ ତାଙ୍କ ବନ୍ଧୁ ନବୀନ ପଟ୍ଟନାୟକଙ୍କ ସରକାରକୁ ୨୪ ବର୍ଷ ହୋଇଗଲା ।  ଓଡ଼ିଶାରେ ଲକ୍ଷ ଲକ୍ଷ ଗରିବ ମଧ୍ୟବିତ ପରିବାର ଯେଉଁମାନେ ଚିଟଫଣ୍ଡ ଦୁର୍ନୀତିର ଶିକାର ହୋଇ ନିଜ କଷ୍ଟ ଉପାର୍ଜିତ ସଂଚିତ ଅର୍ଥ ହରାଇଛନ୍ତି । ସେମାନେ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇପାରିଲେ ନାହିଁ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କୁ କ’ଣ ଜବାବ ଦେବେ । କିପରି ସେମାନଙ୍କ ଆଖିରେ ଆଖି ମିଶାଇବେ ପ୍ରଶ୍ନ କରିଛନ୍ତି ପବନ ଖେରା ।

BjdElectrycity

ଏହା ସହ ସେ କହିଛନ୍ତି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟର ଟେଣ୍ଡର ବାହାର ଲୋକଙ୍କୁ କାହିଁକି ଦିଆଯାଉଛି । ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ଓ ବଡ଼ ବଡ଼ ଠିକାଦାର ଥିଲେ ମଧ୍ୟ ସେମାନେ ହାତବାନ୍ଧି ବସିଛନ୍ତି । ଓଡ଼ିଶାର ଜଳ, ଜମି, ଜଙ୍ଗଲ, ଖଣି ସମ୍ପଦକୁ ବାହାର ରାଜ୍ୟର ଲୋକଙ୍କୁ ବିକ୍ରି କରାଯାଉଛି । ଓଡ଼ିଶାରେ କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ବେଳେ ଏହାର ତଦନ୍ତକୁ ଜାଣିଶୁଣି ଫାଇଲ ତଳେ ଚାପି ଦିଆଯାଇଛି । ମନମୋହନ ସରକାରଙ୍କ ସମୟରେ ଓଡ଼ିଶାର ଖଣି ଦୁର୍ନୀତି ତଦନ୍ତ ଶାହା କମିଶନଙ୍କ ଦ୍ବାରା କରାଯାଇଥିଲା । ମୋଦୀ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ସହ ମିଶି ଏହି ତଦନ୍ତକୁ ଚାପି ଦେଇଛନ୍ତି । ଏହା ସହ ପବନ ଖେରା କହିଛନ୍ତି ଆଗାମୀ ନିର୍ବାଚନରେ ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଛନ୍ତି ।  କଂଗ୍ରେସର ଭୋଟ ପ୍ରତିଶତ ୩୦ରୁ ୩୫ ପ୍ରତିଶତ ବୃଦ୍ଧି ପାଇବ । ଲୋକସଭାରେ ୧୦ରୁ ୧୨ଟି ସିଟ୍ ହାତେଇବ ଦଳ । ଏହା ସହ ବିଧାନସଭାରେ ଦଳ ୯୦ଟି ଆସନ ଜିତିବ ବୋଲି କହିଛନ୍ତି ପବନ ଖେରା ।

 

Leave A Reply

Your email address will not be published.