Latest Odisha News

ବିହାର ଫର୍ମୁଲା… ଛିଡୁନି ସିଟ୍ ଭାଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ‘ବିହାର’ ମନ୍ଥନ । ପାଟନା ଗଣିତ ନେଇ କଂଗ୍ରେସ-ଆରଜେଡି ଚର୍ଚ୍ଚା । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ । ଏପ୍ରିଲ ୧୭ତାରିଖରେ ମହାଗଠବନ୍ଧନ ନେତାଙ୍କ ବୈଠକ ହେବାକୁ ଯାଉଥିବା ବେଳେ ଏହାପୂର୍ବରୁ ମଙ୍ଗଳବାର ଆଲୋଚନା ହୋଇଛି । ବୈଠକରେ ସକାରାତ୍ମକ ଚର୍ଚ୍ଚା ହୋଇଥିବା ତେଜସ୍ବୀ କହିଛନ୍ତି । ସେପଟେ ମହାଗଠବନ୍ଧନ ବିହାର ଜନତାଙ୍କୁ ଏକ ସଶକ୍ତ, ସକାରାତ୍ମକ ଓ କଲ୍ୟାଣକାରୀ ବିକଳ୍ପ ଦେବ ବୋଲି ମଲ୍ଲିକାର୍ଜୁନ ଖଡଗେ ସୋସିଆଲ୍ ମି଼ଡିଆରେ ପୋଷ୍ଟ କରିଛନ୍ତି ।

ସହଜ ନୁହେଁ ମେଣ୍ଟ ଗଣିତ !

ବିହାରରେ ଆରଜେଡି ଓ କଂଗ୍ରେସ ପାରମ୍ପରିକ ସହଯୋଗୀ ରହିଛନ୍ତି । ୧୯୯୯ରୁ ଏପର୍ଯ୍ୟନ୍ତ ବିଧାନସଭା ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ଆରଜେଡି କଂଗ୍ରେସର ବଡ଼ ଭାଇ ଭୂମିକାରେ ରହିଛି । ତେବେ ନିକଟରେ କଂଗ୍ରେସ ନେତାଙ୍କ ବୟାନକୁ ନେଇ ଦୁଇ ଦଳ ମଧ୍ୟରେ ଦୂରତା ବଢିଥିବା ଚର୍ଚ୍ଚା ହୋଇଥିଲା । ବିହାରର କଂଗ୍ରେସ ପ୍ରଭାରୀ ହେବା ପରେ କୃଷ୍ଣା ଅଲ୍ଲାବରୁ କହିଥିଲେ, କଂଗ୍ରେସ କାହାର ବି ବି ଟିମ୍ ହୋଇ ରହିବନି । ଏପରିକି ସେ ପ୍ରଭାରୀ ଦାୟିତ୍ବ ନେବା ପରେ ଲାଲୁ ଯାଦବଙ୍କୁ ଔପଚାରିକ ସାକ୍ଷାତ ବି କରିନଥିଲେ । ଲାଲୁ ପସନ୍ଦ କରୁନଥିବା ପପ୍ପୁ ଯାଦବ, କହ୍ନେୟା କୁମାରଙ୍କ ପରି ନେତାଙ୍କୁ ଆଗକୁ ଆଣିଛି କଂଗ୍ରେସ । ସେହିପରି ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବି ଦୁଇ ଦଳ ମଧ୍ୟରେ ମତଭେଦ ସାମନାକୁ ଆସିଛି ।

ସିଟ୍ ସେୟାରିଂ ମୁଣ୍ଡବିନ୍ଧା

ମହାଗଠବନ୍ଧନରେ ସିଟ୍ ସେୟାରିଂ ଆରଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ । କଂଗ୍ରେସ ୨୦୨୦ରେ ୭୦ଟି ସିଟ ଲଢିଥିବା ବେଳେ ଏଥର ମଧ୍ୟ ସେତିକି ସିଟ୍ ଚାହୁଁଛି । ତେବେ କଂଗ୍ରେସ ମଜବୁତ ଥିବା ସିଟରେ ହିଁ ଲଢିବାକୁ ଚାହୁଁଛି ଦଳ । ଗତଥର କଂଗ୍ରେସକୁ ମିଳିଥିବା ୭୦ଟି ସିଟ ମଧ୍ୟରୁ ୪୫ସିଟ ଏମିତି ଥିଲା, ଯାହା ବିଜେପି ଓ ଜେଡିୟୁର ଗଡ଼ ରହିଥିଲା । ଫଳରେ ଭଲ ପ୍ରଦର୍ଶନ କରିପାରିନଥିଲା କଂଗ୍ରେସ । ତେଣୁ ବିଜୟ ସମ୍ଭାବନା ରହିଥିବା ସିଟ ଚାହୁଁଛି ଦଳ । ସେପଟେ ବାମଦଳ ଅଧିକ ସିଟ୍ ଚାହୁଁଥିବା ବେଳେ ମୁକେଶ ସହନୀଙ୍କ ବିକାଶଶୀଳ ଇଞ୍ଜିନ ପାର୍ଟି ବା ଭିଆଇପି ମଧ୍ୟ ୬୦ସିଟ୍ ସହ ଉପମୁଖ୍ୟମନ୍ତ୍ରୀ ପଦ ମାଗୁଛି । ସେହିପରି ପଶୁପତି ପାରସଙ୍କ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଓ ଆଇପି ଗୁପ୍ତାଙ୍କ ଦଳ ମଧ୍ୟ ମହାଗଠବନ୍ଧନରେ ସାମିଲ ହୋଇପାରେ । ଏଭଳି ସ୍ଥିତି ସିଟ୍ ଭାଗବଣ୍ଟା ଆରଜେଡିର ଚିନ୍ତା ବଢାଇପାରେ ।

ସିଟ୍ ଭାଗବଣ୍ଟା…କେଉଁଠି ସମସ୍ୟା?

ମହାଗଠବନ୍ଧନ ଜିତିଥିବା ସିଟକୁ ନେଇ କୌଣସି ସମସ୍ୟା ନାହିଁ ତେବେ ହାରିଥିବା ସିଟକୁ ନେଇ ଗଣିତ ଗୋଳମାଳ ହେଉଛି । ଆରଜେଡି କଂଗ୍ରେସକୁ ୫୦ରୁ ଅଧିକ ସିଟ୍ ଦେବାକୁ ଚାହୁଁନଥିବା ବେଳେ କଂଗ୍ରେସ ୭୦ରୁ କମ୍ ସିଟରେ ଲଢିବାକୁ ରାଜି ନାହିଁ । ଗତଥର ସବୁଠାରୁ ବଡ଼ ଦଳ ପାଲଟିଥିବା ଆରଜେଡି କ୍ଷମତାକୁ ଆସିନପାରିବା ପଛର କାରଣ କଂଗ୍ରେସକୁ କୁହାଗଲା । ଗତ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ଓ ପୂରା ବିହାରରେ ଆରଜେଡିର ଉପସ୍ଥିତି ଆଧାରରେ ୧୫୦ରୁ ଅଧିକ ସିଟ୍ ନିଜ ପାଖରେ ରଖିବାକୁ ଚାହୁଁଛି ଆରଜେଡି । ହେଲେ ନିଜ ମନପସନ୍ଦର ୭୦ସିଟ୍ ନେବାକୁ ବାର୍ଗେନିଂ କରୁଛି କଂଗ୍ରେସ ।

୨୦୨୦ ବିଧାନସଭା ନିର୍ବାଚନରେ ଆରଜେଡି ୧୪୪ଟି ସିଟରେ ନିର୍ବାଚନ ଲଢିଥିବା ବେଳେ କଂଗ୍ରେସ ୭୦ଟି, ବାମଦଳ ୨୯ଟି ସିଟରେ ଲଢିଥିଲେ । ଏଥର ଯଦି ପଶୁପତି ପାରସଙ୍କ ଦଳ ମହାଗଠବନ୍ଧନରେ ସାମିଲ ହେଲେ ଆରଜେଡି ଆଗରେ ବିଆଇପି ସହ  ଆରଏଲଜେପିକୁ ବି ସନ୍ତୁଷ୍ଟ କରିବାର ଚ୍ୟାଲେଞ୍ଜ ରହିବ ।

Comments are closed.