Latest Odisha News

ମଣିପୁର ପାଇଁ ମନ ନାହିଁ !

ଭୁବନେଶ୍ୱର: ଆଦିବାସୀ ଓ ମେଟେଇ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ଯୋଗୁ ମଣିପୁର ଜଳୁଛି। ମଣିପୁର ସ୍ଥିତି ଏତେ ସାଙ୍ଘାତିକ ଯେ ରାଜ୍ୟରେ ସୁଟ ଆଟ ସାଇଟର ଅର୍ଡର ମଧ୍ୟ ଦିଆଯାଇଛି। ରାଜ୍ୟରେ ଅଧିକ ଜବାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ଏଭଳି ସ୍ଥିତିରେ ମଣିପୁରକୁ ନେଇ ରାଜନୀତି ତୀବ୍ର ହୋଇଛି।

ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ପ୍ରଚାର କରିବାକୁ ଅସ୍ତ୍ର କରିଛି କଂଗ୍ରେସ। କଂଗ୍ରେସ ନେତା ମାନେ ଏ ପ୍ରସଙ୍ଗ ନେଇ ମୋଦି ଓ କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି।

କଂଗ୍ରେସ ମୁଖପାତ୍ର ପବନ ଖେରାଙ୍କ ସମେତ ବରିଷ୍ଠ ନେତା ଅଜୟ ମାକନ ଓ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ଉପର ଜୋରଦାର ବର୍ଷିଛନ୍ତି। ଦଙ୍ଗା ଯୋଗୁ ମଣିପୁରରେ ଲୋକଙ୍କ ଜୀବନ ଯାଉଛି, ମଣିପୁର ଜଳୁଛି କିନ୍ତୁ ପ୍ରଧାନମନ୍ତ୍ରୀ ପ୍ରଚାର ପାଇଁ କର୍ଣ୍ଣାଟକରେ ରହିଛନ୍ତି।

ବଡ଼ ବଡ଼ ରୋଡ଼ ସୋ କରି ଏଭଳି ସମୟରେ ଦଳ ପାଇଁ ଭୋଟ ମାଗୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପରିକି ମଣିପୁର ପ୍ରସଙ୍ଗକୁ ଗୁରୁତ୍ୱ ନ ଦେଇ ମୋଦି କର୍ଣ୍ଣାଟକରେ ନିର୍ବାଚନୀ ସଭାରେ ଭାଷଣ ଦେଉଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି।

ଏଭଳି ସମୟରେ ଦିଲ୍ଲୀରେ ରହି ସ୍ଥିତି ଉପର ନଜର ରଖିବା ସହ ସ୍ଥିତି କିଭଳି ନିୟନ୍ତ୍ରଣକୁ ଆସିବ ଚିନ୍ତା କରିବା ବଦଳରେ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ବିଜେପି ପୂର୍ବୋତ୍ତର ରାଜ୍ୟକୁ ଫୋକସ କରୁଥିବା କଥା କହୁଥିବା ବେଳେ ମଣିପୁର ପୂର୍ବୋତ୍ତରର ଏକ ପ୍ରମୁଖ ରାଜ୍ୟ।

ଯେଉଁଠି ଏବେ ବ୍ୟାପକ ଅରାଜକତା, ହତ୍ୟା, ଚୋରି ଆଦି ଚାଲିଛି ବୋଲି କହିଛି କଂଗ୍ରେସ। ମଣିପୁରର ୧୬ ଟି ଜିଲ୍ଲା ମଧ୍ୟରୁ ୮ ଟିରେ କର୍ଫ୍ୟୁ, ଇଣ୍ଟରନେଟ ସେବା ବନ୍ଦ ଓ ଜନଜୀବନ ଅସ୍ତବ୍ୟସ୍ତ ସେତେବେଳେ ପ୍ରଧାନମନ୍ତ୍ରୀ ପ୍ରଚାରରେ ବ୍ୟସ୍ତ ବୋଲି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରଧାନମନ୍ତ୍ରୀ କେବଳ ବିଜେପିର ଷ୍ଟାର ପ୍ରଚାରକ ନୁହଁନ୍ତି। ତେଣୁ କର୍ଣ୍ଣାଟକରେ ପ୍ରଚାର ଛାଡି ମଣିପୁରକୁ ଜଳିବାରୁ ବଞ୍ଚାନ୍ତୁ ବୋଲି କହିଛନ୍ତି ଶ୍ରୀନେତ। ଏପରିକି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ମଧ୍ୟ ବର୍ଷିଛି କଂଗ୍ରେସ। ମଣିପୁରରେ ଏଭଳି ଅବସ୍ଥା ବେଳେ ଗୃହମନ୍ତ୍ରୀ ମଧ୍ୟ ପ୍ରଚାରରେ ବ୍ୟସ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏପରିକି କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିଲେ ଦଙ୍ଗା ହେବ ବୋଲି ଅମିତ ଶାହା କହିଥିବା ବେଳେ ମଣିପୁରରେ ବିଜେପି ସରକାର ଥାଇ କାହିଁକି ଦଙ୍ଗା ହେଉଛି ଓ ଲୋକଙ୍କ ଜୀବନ କାହିଁକି ଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଗୋଟିଏ ପଟେ କର୍ଣ୍ଣାଟକରେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ମଣିପୁରରେ ଏଭଳି ସ୍ଥିତି ଓ ଠିକ ଏଭଳି ସମୟରେ କଂଗ୍ରେସର ବିଜେପିକୁ ଟାର୍ଗେଟ ସ୍ଥିତିକୁ ଜଟିଳ କରିଛି।

ଏପରିକି କର୍ଣ୍ଣାଟକବାସୀ ମଣିପୁରର ଏଭଳି ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ଦେଖୁଛନ୍ତି ବୋଲି କହିଛି କଂଗ୍ରେସ। ତେଣୁ ଗୋଟିଏ ପଟେ କର୍ଣ୍ଣାଟକ ନିର୍ବାଚନୀ ପ୍ରଚାରକୁ ମୋଦି ଶେଷ ସ୍ପର୍ଶ ଦେବାକୁ ବାକି ଥିବା ବେଳେ ମଣିପୁର ପ୍ରସଙ୍ଗକୁ ନେଇ କଂଗ୍ରେସ ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରିବା ରାଜନୈତିକ ସ୍ଥିତିକୁ ରୋଚକ କରିଥିବା ଆଲୋଚନା ହେଉଛି।

Leave A Reply

Your email address will not be published.