Latest Odisha News

BREAKING NEWS

ରାହୁଲଙ୍କ ହିମାଚଳ କାର୍ଡ

ଭୁବନେଶ୍ୱର: ହିମାଚଳ ପ୍ରଦେଶର ଶିମଲା ନଗର ନିଗମରେ କଂଗ୍ରେସକୁ ମିଳିଥିବା ବିପୁଳ ସଫଳତାକୁ କର୍ଣ୍ଣାଟକ ନିର୍ବାଚନ ସହ ଯୋଡ଼ିଛି ଦଳ। ଶିମଲା ମୁନିସିପାଲ କର୍ପୋରେସନ ନିର୍ବାଚନରେ କଂଗ୍ରେସ ୩୪ ଆସନ ମଧ୍ୟରୁ ୨୪ ଟି ଆସନ ଜିତି ରେକର୍ଡ କରିଛି।

ଯାହାକୁ ନେଇ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର କଂଗ୍ରେସ ନେତା, କାର୍ଯ୍ୟକର୍ତା ଓ ନିର୍ବାଚିତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହ କଂଗ୍ରେସ ପକ୍ଷରୁ ହିମାଚଳବାସୀଙ୍କୁ ଦିଆଯାଇଥିବା ଗ୍ୟାରେଣ୍ଟି ପୂରଣ କରାଯାଇ ଥିବାରୁ ଶିମଲାବାସୀ ପୁଣିଥରେ କଂଗ୍ରେସ ଉପରେ ଭରଷା କଲେ ବୋଲି କହିଛନ୍ତି।

ହିମାଚଳରେ ଯେଭଳି ପ୍ରତିଶ୍ରୁତି ଦେଇ ଦଳ ପୁରଣ କରିଥିବାରୁ ଶିମଲାରେ ସଫଳତା ପାଇଲା ଏବେ କର୍ଣ୍ଣାଟକରେ ଦଳ ପକ୍ଷରୁ ଦିଆଯାଇଥିବା ୫ ଟି ପ୍ରତିଶ୍ରୁତି ପୂରଣ କରିବାର ପାଳି ବୋଲି ରାହୁଲ ଟ୍ୱିଟ ମାଧ୍ୟମରେ କହିଛନ୍ତି। ଯାହାକୁ ନେଇ ହିମାଚଳ ସମେତ କର୍ଣ୍ଣାଟକ ରାଜନୀତି ତୀବ୍ର ହୋଇଛି।

ବିଜେପି ପକ୍ଷରୁ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସର ପ୍ରତିଶ୍ରୁତିକୁ ନେଇ ସମାଲୋଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଂଗ୍ରେସ ପ୍ରତିଶ୍ରୁତିକୁ ସମାଲୋଚନା କରିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ହିମାଚଳରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ନଗର ନିଗମ ନିର୍ବାଚନରେ କିଭଳି ଦଳ ବିପୁଳ ସଫଳତା ପାଇଲା ସେ ବାର୍ତା କଂଗ୍ରେସ କର୍ଣ୍ଣାଟକରେ ପହଞ୍ଚାଇବାକୁ ଉଦ୍ୟମ କରିଛି।

ଏପରିକି ବିଜେପିର ସମାଲୋଚନାକୁ ମଧ୍ୟ କଡା ଜବାବ ଦେବାକୁ ଦଳ ଉଦ୍ୟମ କରିଥିବା କୁହାଯାଉଛି। ସେପଟେ ଏହି ଫଳାଫଳ ପରେ ହିମାଚଳ ରାଜନୀତିର ସମିକରଣ ବଦଳୁଥିବା ଆଲୋଚନା ହେଉଛି। ହିମାଚଳରେ ପୂର୍ବରୁ ବିଜେପିର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଏବେ କଂଗ୍ରେସ ନିଜର ଦବଦବା ଦେଖାଇବା ଆରମ୍ଭ କରିଛି।

କିଛି ଦିନ ତଳେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ସଫଳତା ପାଇବା ସହ ଦଳ ହିମାଚଳରେ ସରକାର ଗଢ଼ିଛି। ଏବେ ପୁଣି ଦଳକୁ ଏକ ବଡ଼ ସଫଳତା ମିଳିଛି। ଶିମଲା ମୁନିସିପାଲ କର୍ପୋରେସନ ନିର୍ବାଚନରେ କଂଗ୍ରେସ ବହୁ ଆସନ ଜିତି ରେକର୍ଡ କରିଛି।

ପୂର୍ବରୁ ବିଜେପି ଶିମଲା ମୁନିସିପାଲ କର୍ପୋରେସନକୁ ହାତରେ ରଖିବାକୁ ସଫଳ ହୋଇଥିଲେ ମଧ୍ୟ ଏଥର କିନ୍ତୁ ଦଳକୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି। ବିଜେପି ୩୪ ଟି ଆସନ ମଧ୍ୟରୁ ମାତ୍ର ୯ ଟି ଜିତିବାକୁ ସକ୍ଷମ ହୋଇଛି। ସିପିଏମ ମାତ୍ର ଗୋଟିଏ ଆସନ ଜିତିଛି।

ଜୁନ ୨୦୨୨ ମସିହାରେ କର୍ପୋରେସନର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଏ ଯାଏ ଏହି ନିର୍ବାଚନ ହୋଇପାରି ନ ଥିଲା। କିନ୍ତୁ କଂଗ୍ରେସ ବିଧାନସଭା ନିର୍ବାଚନ ଜିତିବା ପରେ କର୍ପୋରେସନ ଉପରେ ଆଖି ପକାଇଥିଲେ।

ଏବେ ନିର୍ବାଚନରେ ବିପୁଳ ସଫଳତା ପରେ କଂଗ୍ରେସ ଏ ବିଜୟର ବାର୍ତ୍ତାକୁ କର୍ଣ୍ଣାଟକ ସମେତ ସାରା ଦେଶକୁ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.