ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା। ଏଥିପାଇଁ ଆଜି ପୋଷ୍ଟର ରିଲିଜ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ସ୍ଥିତ ଆଇଜି ପାର୍କରୁ ଆରମ୍ଭ ହେବ ଏହି ଭାରତ ଯୋଡୋ ଯାତ୍ରା। ପ୍ରତିଦିନ ୨୦ କିଲୋମିଟର ଚାଲିବେ କଂଗ୍ରେସ ନେତା। ଏହି ସମୟରେ ଏସଏସଜି ମହିଳା, ବୁଦ୍ଧିଜୀବୀ ଏବଂ କ୍ରୀଡାବିତଙ୍କୁ ଭେଟିବେ କଂଗ୍ରେସ ନେତା।
କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ପ୍ରଥମ ଦିନରେ ଆଇଜି ପାର୍କରୁ ଏହି ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇ ଫୁଲନଖରାର ଲକେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୨୦ କିଲୋମିଟର ଚାଲିବ କଂଗ୍ରେସ କରିବ ପଦଯାତ୍ରା । ଏପରି କରି ୨୫ଟି ଜିଲ୍ଲାରେ ୨୨୫୦ କିଲୋମିଟର ରାସ୍ତାକୁ ୧୦୦ ଦିନରେ ଅତିକ୍ରମ କରିବାକୁ ଲକ୍ଷ୍ୟ ରହିଛି। ଏହି ସମୟରେ ଭଦ୍ରକ ଧାମନଗର ଉପନିର୍ବାଚନ ରହିଛି। ତେଣୁ ନଭେମ୍ବର ୨ ଓ଼ ୩ ତାରିଖରେ ଏହି ଯାତ୍ରାକୁ କଂଗ୍ରେସ ସାମୟିକ ଭାବେ ବନ୍ଦ ରଖିବ।
କଂଗ୍ରେସ ନେତା ପଦ ଯାତ୍ରା କରିବା ସମୟରେ ବିଭିନ୍ନ ସ୍ଥାନରେ ରହଣି କରିବେ। ଏଥିପାଇଁ ୨୦ କିଲୋମିଟର ଟେଣ୍ଟର ବ୍ୟବସ୍ଥା କରାଯିବ। ସେଠାରେ ନେତାଙ୍କ ରହିବା ସହିତ ଖାଇବା ବ୍ୟବସ୍ଥା କରାଯିବ। ଏହି ଯାତ୍ରାରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି, ବିଧାୟକ, ସାଂସଦଙ୍କ ସହ ପୂର୍ବତନ ବିଧାୟକ, ସାଂସଦ, ଶ୍ରମିକଙ୍କ ସହ ବିଭିନ୍ନ ବର୍ଗର ଲୋକ ଯୋଡ଼ି ହେବେ।
ଉଲ୍ଲେଖଯୋଗ୍ଯ, କଂଗ୍ରେସ ସାଧାରଣ ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ଜରିଆରେ ଦଳକୁ ମଜବୁତ କରିବାକୁ ପ୍ରୟାସ କରିଛି। ପ୍ରଥମେ କେରଳରୁ ଏହି ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ। କେରଳ ପରେ ତାମିଲନାଡୁ, କର୍ଣ୍ଣାଟକ ହୋଇ ରାହୁଲ ଗାନ୍ଧୀ ଦଳୀୟ ନେତାଙ୍କ ସହିତ ଏହି ଭାରତ ଯୋଡୋ ଯାତ୍ରା କରୁଛନ୍ତି।
କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଦେଶ ବିନାଶ ଆଡକୁ ଗତି କରୁଛି। ଘୃଣାଭାବ ବଢିଛି। ପ୍ରତିବର୍ଷ ୨ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିବା ମୋଦୀ ସରକାର ନିଯୁକ୍ତି ନାଁରେ ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କଂଗ୍ରେସ କହିଛି।
Comments are closed.