ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯିବା ପରେ ରାଜ୍ୟ ପ୍ରଶାସନ ତତ୍ପର ହୋଇଉଠିଛି । ବିଶେଷ କରି ବର୍ଷା ସମୟରେ ଯାତ୍ରୀ ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ମାନଙ୍କୁ ହାଇଆଲର୍ଟରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ ଯେଉଁସବୁ ରାସ୍ତା, ଛୋଟ ପୋଲ କିମ୍ବା କଲଭର୍ଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବ କିମ୍ବା ପାଣିର ସୁଅ ଅଧିକ ଥିବ, ସେହି ରାସ୍ତା ଦେଇ କୌଣସି ବି ପରିସ୍ଥିତିରେ ଯାନବାହନ ଚଳାଚଳ କରିପାରିବ ନାହିଁ। ବର୍ଷା ପାଣି ଜମି ରହିଥିବା ବିପଦପୂର୍ଣ୍ଣ ଅଞ୍ଚଳ ଦେଇ ଯାତାୟାତକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି ।
ଅତୀତରେ ଦେଖାଯାଇଛି ଯେ, ପ୍ରବଳ ବର୍ଷା ଯୋଗୁଁ ନଦୀ ଓ ନାଳ ଉଛୁଳି ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ସମୟରେ କିଛି ଅମାନିଆ ଚାଳକ ଜୋରଜବରଦସ୍ତ ନିଜ ଗାଡ଼ି ପାର କରିବାକୁ ଚେଷ୍ଟା କରିଥାନ୍ତି । ଏହାଦ୍ୱାରା ଅନେକ ସମୟରେ ଗାଡ଼ି ସୁଅରେ ଭାସିଯିବା ସହ ଧନଜୀବନ ହାନି ଭଳି ଦୁଃଖଦ ଘଟଣାମାନ ଘଟିଥାଏ । ଏଭଳି ଅଘଟଣକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏହି ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏହି ଆଦେଶକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ଆରଟିଓଙ୍କୁ ନିଜ ନିଜ ଅଞ୍ଚଳର ଜିଲ୍ଲା ପ୍ରଶାସନ, ପୂର୍ତ୍ତ ବିଭାଗ ଏବଂ ସ୍ଥାନୀୟ ପୋଲିସ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି ।
ବିପଦପୂର୍ଣ୍ଣ ତଥା ପାଣି ବୁଡ଼ି ରହୁଥିବା ରାସ୍ତାଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ସେଠାରେ ବ୍ୟାରିକେଡ୍ ଲଗାଇବା ଏବଂ ସାଧାରଣ ଲୋକଙ୍କୁ ସତର୍କ କରିବା ନିମନ୍ତେ ଆଲର୍ଟ ବୋର୍ଡ ବା ସାଇନ୍ ବୋର୍ଡ ଲଗାଇବାକୁ ମଧ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

