Latest Odisha News

BREAKING NEWS

କରୋନା ଓ ମୁଦ୍ରିତ ଗଣମାଧ୍ୟମ ଉପରେ ପ୍ରଭାବ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ମହାମାରୀ କରୋନାକୁ ନେଇ ବିଶ୍ୱ ଯେମିତି ଆତଙ୍କିତ, ସେମିତି ତାର ଗୁରୁତର ପ୍ରଭାବ ଭାରତୀୟ ଗଣମାଧ୍ୟମ ଉପରେ ଦେଖିବାକୁ ମିଳିଛି । ବିଶେଷକରି ମୁଦ୍ରିତ ଗଣମାଧ୍ୟମ କରୋନା ଦ୍ୱାରା ବେଶ ପ୍ରଭାବିତ ହୋଇଛି । ପୁଣି ଆଗକୁ କରୋନାର ଭୟାବହତା ଯେ କମିବ ବା ଥମିବ, ତାହା ତ ଦିଶୁ ନାହିଁ । ତେଣୁ ଦିନକୁ ଦିନ ମୁଦ୍ରିତ ଗଣମାଧ୍ୟମର ପରିସ୍ଥିତି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି ।

ପ୍ରଥମ ବିପଦଟି ହେଉଛି- ଗଣମାଧ୍ୟମରେ ବିଜ୍ଞାପନ କମିଯିବା । ବିଜ୍ଞାପନ ହିଁ ଖବରକାଗଜ ପାଇଁ ଆୟର ସବୁଠାରୁ ବଡ଼ ଉପାୟ । ଏକଥା ସମସ୍ତେ ଜାଣନ୍ତି- ପ୍ରସାରଣରୁ ଆସୁଥିବା ଆୟ ବେଶ କିଛି ନୁହେଁ । ଏକ ଜାତୀୟସ୍ତରର ହିସାବ ଅନୁସାରେ, ଗତ ମାର୍ଚ୍ଚ ମାସରେ ହିଁ କେବଳ ୨୦ରୁ ୨୫ ପ୍ରତିଶତ ବିଜ୍ଞାପନ ମୁଦ୍ରିତ ଗଣମାଧ୍ୟମରେ କମି ଯାଇଛି । ୨୦୧୮ ମସିହାରୁ ଭାରତୀୟ ଖବରକାଗଜ ଜଗତରେ ବିଜ୍ଞାପନ କମିବା ଧାରା ଆରମ୍ଭ ହୋଇଛି । ସେହି ବର୍ଷ ଏହା ପାଖାପାଖି ୩.୪ ପ୍ରତିଶତ କମି ଯାଇଥିଲା । ସମୁଦାୟ ଦେଶରେ ଏହା ୩୦ ହଜାର ୫୫୦ କୋଟିରୁ କମି ଆସି ୨୯ ହଜାର ୫୧୧ କୋଟିରେ ପହଞ୍ଚି ଥିଲା । ୨୦୧୯ରେ ଏହା ଆହୁରି ୫ ପ୍ରତିଶତ କମିଗଲା । ଫଳରେ ସମୁଦାୟ ବିଜ୍ଞାପନର ପରିମାଣ ୨୦,୬୧୫ କୋଟି ଟଙ୍କା ଛୁଇଁଲା । କିନ୍ତୁ ଆଶ୍ୱାସନାର କଥା ହେଉଛି- ଏହି ସମୟରେ ପ୍ରସାରଣରେ ଦୁଇ ପ୍ରତିଶତ ବୃଦ୍ଧି ଘଟିଥିଲା । ସାରା ଦେଶରେ ଜାତୀୟ ଓ ଆଞ୍ଚଳିକ ଖବରକାଗଜ ଗୁଡ଼ିକ ପ୍ରସାରଣ ବାବଦରୁ ୯ ହଜାର ୬ କୋଟି ଟଙ୍କା ପାଖାପାଖି ଆୟ କରିଥିଲେ । ଯଦି ଆପଣ ଲକ୍ଷ୍ୟ କରିବେ, ଜାଣି ପାରିବେ ଆୟର କେଡ଼େ ବଡ଼ ପନ୍ଥା ବିଜ୍ଞାପନ ହୋଇଥିବା ବେଳେ ପ୍ରସାରଣରୁ କେତେ ଆୟ ହେଉଛି । ତେବେ ୨୦୨୦ ବର୍ଷରେ ଅପ୍ରେଲ-ଜୁନ ମାସ ମଧ୍ୟରେ ଆୟ ଆୟ କମିଯାଇଛି । ଏକ ଆକଳନ ଅନୁସାରେ କେବଳ ମାର୍ଚ୍ଚ ଓ ଅପ୍ରେଲ ମାସରେ ବିଜ୍ଞାପନ ଜନିତ ଆୟ ପାଖାପାଖି ୨୦ ପ୍ରତିଶତ କମିଛି ।

ଜାତୀୟ ସ୍ତରରେ ଯଦିଓ ବିଜ୍ଞାପନ ଆସୁଛି, କିନ୍ତୁ ଆଞ୍ଚଳିକ ଖବରକାଗଜ ଗୁଡ଼ିକ ଏହି ସମୟରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଆଞ୍ଚଳିକ ସ୍ତରରେ ୧୫ ପ୍ରତିଶତରୁ ଅଧିକ ବିଜ୍ଞାପନ କମିଛି ବୋଲି କୁହାଯାଉଛି । ବୈଦ୍ୟୁତିକ ଗଣମାଧ୍ୟମରେ କରୋନା ସମୟରେ ପୁରୁଣା ବିଜ୍ଞାପନ ଆସୁଛି । ସେଥି ବାବଦରେ ଅର୍ଥ ବି ଆସୁଛି । ଲକଡାଉନ କଟକଣା କାରଣରୁ ନୂଆ ବିଜ୍ଞାପନ ତ ସୁଟିଂ ହୋଇପାରୁ ନାହିଁ । ତେବେ, ଏହି ସମୟରେ ଖବରକାଗଜରେ ଦ୍ରବ୍ୟ ବା ବିଶେଷକରି ଅତ୍ୟାବଶ୍ୟକ ଦ୍ରବ୍ୟର ବିଜ୍ଞାପନ କିନ୍ତୁ କିଛି ମାତ୍ରାରେ ବଢିଛି । ମାତ୍ର ତାହା ସମୁଦାୟ ବିଜ୍ଞାପନ ତୁଳନାରେ ବହୁତ କମ । ତେଣୁ ଏମିତି ସମୟରେ ସରକାରୀ ବିଜ୍ଞାପନ ଉପରେ ନିର୍ଭରଶୀଳତା ବଢିଛି । ଯେହେତୁ କରୋନା ସଂପର୍କିତ ସଚେତନତା ସୃଷ୍ଟି ପାଇଁ ମୁଦ୍ରିତ ଗଣମାଧ୍ୟମକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନ୍ୟ ଦେଇଛନ୍ତି, ତେଣୁ ସେହି ସୂତ୍ରରୁ କିଛି ବିଜ୍ଞାପନ ଆସୁଛି । ସେମିତି ବଡ଼ ବଡ଼ କଂପାନୀ କିମ୍ବା ସରକାରଙ୍କ ନିୟମିତ ଅନ୍ୟାନ୍ୟ ବିଜ୍ଞାପନ ପ୍ରାୟତଃ ବନ୍ଦ ହୋଇଯିବା ଫଳରେ କ୍ଲାସିଫାଏଡ୍‍ ବା ସ୍ଥାନୀୟ ଇଲାକାର ଛୋଟ ଛୋଟ ବିଜ୍ଞାପନକୁ ଆଞ୍ଚଳିକ ଖବରକାଗଜ ଗୁଡ଼ିକ ପ୍ରଧାନ୍ୟ ଦେବାକୁ ଆରମ୍ଭ କରିଛନ୍ତି ।

ସେମିତି ଖବରକାଗଜର ପ୍ରସାରଣ ବହୁମାତ୍ରାରେ ପ୍ରଭାବିତ ହୋଇଛି । ଲକଡାଉନ ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିବା ହେତୁ ଖବରକାଗଜ ବିଭିନ୍ନ ସ୍ଥାନରେ ପହଞ୍ଚିଲା ନାହିଁ । ପୁଣି ଅନେକ କଟକଣା କାରଣରୁ ଏହା ବିତରକମାନଙ୍କ ମାଧ୍ୟମ ଦେଇ ପାଠକମାନଙ୍କ ପାଖରେ ବି ପହଞ୍ଚିଲା ନାହିଁ । ଯେଉଁ କାରଣରୁ ପ୍ରାୟ ସମସ୍ତ ଖବରକାଗଜ ନିଜର ମୁଦ୍ରଣ ସଂଖ୍ୟା ଯଥେଷ୍ଟ କମେଇ ଦେଲେ । ସେମିତି ଖବରକାଗଜର ପୃଷ୍ଠା ସଂଖ୍ୟା ବି କମିଗଲା । କିଛି କିଛି ଖବରକାଗଜ ନିଜର ପ୍ରସାରଣ ଦର ବି ବଢେଇବାକୁ ବାଧ୍ୟ ହେଲେ । କାରଣ- ଏହା ବ୍ୟତୀତ ସମ୍ଭବତଃ ଅନ୍ୟ ପନ୍ଥା ନଥିଲା ।

ତେଣୁ ଏମିତି ସମୟରେ ଇ-ପେପରର ଚାହିଦା ବଢିଲା । ଡିଜିଟାଲ ଖବର ଦେଖିବାର ଧାରା ଲକଡାଉନ ସମୟରେ ବଢିଗଲା । କସ୍ମକର ନାମକ ଏକ ଜାତୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ମାର୍ଚ୍ଚ ମାସ ମଝି ଆଡ଼ଠାରୁ ଏପର୍ଯ୍ୟନ୍ତ ଏହି ଧାରାରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ସେମିତି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢି ଯାଇଛି । ମାର୍କେଟ ସଂପର୍କିତ ଗବେଷଣା ସଂସ୍ଥା ନେଲସନ୍‍ ଅନୁସାରେ, ଏହି ସଂଖ୍ୟା ୫୦ ଗୁଣରୁ ଅଧିକ ବଢିଛି । ଲୋକେ ସେଥିରୁ ଖବର ଦେଖୁଛନ୍ତି । ଆଉ ଡିଜିଟାଲ ପ୍ଲାଟଫର୍ମରେ ଖବର ପଢିବାକୁ ପସନ୍ଦ କରୁଛନ୍ତି ।

କରୋନା ସମୟରେ ନୂଆ ପ୍ରୟୋଗ ମୁଦ୍ରିତ ଗଣମାଧ୍ୟମରେ ଦେଖିବାକୁ ମିଳିଲା । ତାହା ହେଉଛି- ୱାର୍କ ଫ୍ରମ୍‍ ହୋମ୍‍ ବା ଘରୁ କାମ କରିବାର ଧାରା । ଯେହେତୁ ଲକଡାଉନ୍‍, ସଟଡାଉନ ଆଦି କାରଣରୁ କର୍ମଚାରୀମାନେ ଅଫିସ ଯାଇ ଆସି ପାରିଲେ ନାହିଁ, ତେଣୁ ସେମାନଙ୍କୁ ଘରୁ କାମ କରିବାକୁ କୁହାଗଲା । କେବଳ ଲେ-ଆଉଟ୍‍ ଡିଜାଇନର ଓ କିଛି ସହ-ସଂପାଦକଙ୍କୁ ଛାଡ଼ି ଅନ୍ୟମାନେ ଘରୁ କାମ କରିବା ଦେଖା ଯାଇଛି । ଅବଶ୍ୟ ଏ ଧାରା ଯେ ସବୁ ଖବରକାଗଜରେ ଦେଖାଯାଇଛି, ତାହା ନୁହେଁ । କିନ୍ତୁ ଅଧିକାଂଶ ଖବରକାଗଜରେ ଏପରି ଅବସ୍ଥା ଉପୁଜିଛି । ଆଉ ଘରୁ କାମ କରି ଖବରକାଗଜ ପ୍ରକାଶନ ପ୍ରକ୍ରିୟା ବି ବେଶ ସଫଳ ହୋଇଛି । ସବୁଦିନେ ଏକଥା ସତ ଯେ- ଗଣମାଧ୍ୟମ ଏକ ସଂଘବଦ୍ଧ କାର୍ଯ୍ୟ । ସେଠାରେ ଅନେକ ଲୋକଙ୍କୁ ଅନେକ ପ୍ରକାର କାମ କରିବାକୁ ପଡ଼େ । ଆଉ ତାହା ଏକାଠି ବସି କରିବାକୁ ପଡ଼େ । କିନ୍ତୁ ସେହି ଧାରାରେ ବ୍ୟତିକ୍ରମ କରୋନା ସମୟରେ ଦେଖାଯାଇଛି ଓ ତାହା ଯେ ଖବରକାଗଜ ପ୍ରକାଶନ ଉପରେ ପ୍ରଭାବ ପକାଇଛି, ସେକଥା ଆଦୌ ସତ ନୁହେଁ ।

ସେମିତି ସାମ୍ବାଦିକଙ୍କ ପ୍ରତି ସକାରାତ୍ମକ ମନୋଭାବ ଏହି ସମୟରେ ବେଶ ବଢିଛି । ଯେଉଁ ସମୟରେ ସମସ୍ତେ ଘରେ ରହିଥିଲେ, ସେହି ସମୟରେ କରୋନା ସଂପର୍କିତ ଟିକିନିଖି ଖବର ସାମ୍ବାଦିକମାନେ ସଂଗ୍ରହ କରିଥିଲେ । ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚାଇ ଥିଲେ । ଯେଉଁ ସଂସ୍ଥା ଯେତେ ଅଧିକ ଖବର ଓ ସଠିକ ଖବର ଦେଲା, ତାହା ଲୋକଙ୍କ ବିଶ୍ୱାସଭାଜନ ହେଲା । ତେବେ ଏ ସମୟରେ ସେମାନଙ୍କ ନିରାପତ୍ତା ବି ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । କରୋନାର ସଂକ୍ରମଣରୁ ସାମ୍ବାଦିକମାନେ ବଞ୍ଚି ପାରି ନାହାନ୍ତି । ଖବର ସଂଗ୍ରହ କରୁଥିବା ବେଳେ ସାରା ଦେଶର ଅନେକ ସହରରେ ଅନେକ ସାମ୍ବାଦିକ କରୋନା ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ବି ହୋଇଛି । ସେଥିପାଇଁ ସାମ୍ବାଦିକଙ୍କ ପାଇଁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ସେମାନଙ୍କ ପାଇଁ ବୀମା ଓ ଅନୁକଂପାମୂଳକ ସାହାଯ୍ୟ ବି ଘୋଷଣା ହୋଇଛି । ସିକିମ ସରକାର ଏଥିପାଇଁ ସ୍ୱତନ୍ତ୍ର ଅର୍ଥରାଶି ପ୍ରଦାନ କରିଥିବା ବେଳେ ଓଡ଼ିଶା ସରକାର ଜଣ ପିଛା ୧୫ ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍ତି ।

ଖବରକାଗଜର ଆୟ କମିଯିବା ଫଳରେ ଏହାର ପ୍ରଭାବ ପଡ଼ିଛି ସେଠାରେ କାମ କରୁଥିବା କର୍ମଚାରୀଙ୍କ ଉପରେ । ଜାତୀୟସ୍ତରରେ କିଛି ଖବରକାଗଜରେ କର୍ମଚାରୀଙ୍କ ଦରମା କାଟ ଆରମ୍ଭ ହୋଇଛି । କିଛି କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ଯିବାକୁ କୁହାଯାଇଛି । କାହାକୁ ଅଧା ଦରମା ଦିଆଯାଉଛି । କାହାର ଦରମା ବକେୟା ବି ରହି ଯାଉଛି । ଓଡ଼ିଶାରେ ବି ଏଥିରୁ ବାଦ୍‍ ଯାଇନି । ଏଇଠି ବୃତ୍ତିଗତ ନିରାପତ୍ତାର ପ୍ରଶ୍ନ ଉଠୁଛି । ଯେହେତୁ ଖବରକାଗଜ ଘରୋଇ ମାଲିକାନାରେ ଓ ଏଥିରେ ଲାଭ ପାଇବା ଏତେ ସହଜ ନୁହେଁ, ତେଣୁ ଏହାର ସିଧାସଳଖ ପ୍ରଭାବ ସଂସ୍ଥାର କର୍ମଚାରୀମାନଙ୍କ ଉପରେ ପଡ଼ୁଛି ।

ସରକାରୀ ଚାକିରିଆଙ୍କ ଉପରେ ଟିକେ ବି ପ୍ରଭାବ ନଥିଲା ବେଳେ କୌଣସି ନା କୌଣସି ସ୍ଥାନରେ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । ଶେଷକୁ ଏତିକି କୁହାଯାଇପାରେ ଯେ, କରୋନା ଲଢେଇ ଯେ ଖୁବ ଶୀଘ୍ର ଥମିଯିବ ସେ ଆଶା ତ ଏତେ ଶୀଘ୍ର ଦେଖାଯାଉ ନାହିଁ । ତେଣୁ ମୁଦ୍ରିତ ଗଣମାଧ୍ୟମ ଏହାଦ୍ୱାରା ଅନେକ ବାଗରେ ପ୍ରଭାବିତ ହେବ । ପୁଣି ତା’ ଭିତରେ ଖବର ଦେଖିବା ନେଇ ଲୋକଙ୍କ ମାଧ୍ୟମ ବି ବଦଳି ଯିବ । ତେଣୁ ଅନୁଷଙ୍ଗିକ ବ୍ୟବସ୍ଥା କରିବା ସହିତ ଆୟ କେମିତି ଅନ୍ୟ ପନ୍ଥାରୁ କରିହେବ, ତାହା ଉପରେ ଜୋର ଦେବାକୁ ପଡ଼ିବ । ସେମିତି ଏହି ସମୟରେ ଖବରର ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ । କାରଣ- ତାହା ନହେଲେ ଯେଉଁ କାରଣରୁ ଏହା ପ୍ରକାଶିତ ହେଉଛି, ସେହି ମୂଳ ଉଦ୍ଦେଶ୍ୟଟି ସାଧିତ ହୋଇପାରିବ ନାହିଁ ।

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.