Latest Odisha News

BREAKING NEWS

କଳିକାଳ ପରେ ମହା କଳିକାଳ: କରୋନା କରାଳ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଏବେ ମହାକଳିକାଳ ସମାଗତ । ଯେଉଁ ଅନାଗତ ଅବତାର କଳ୍‌କୀ ବୃତାନ୍ତ ଆମେ ସବୁ ଏଯାବତ୍ ଶୁଣିଆସିଥିଲେ- ଏ ଅବତାର ଏବେ ପ୍ରତ୍ୟେକ ବିବେକି ମଣିଷ ମଧ୍ୟରେ କାୟା ପ୍ରବେଶ କରିସାରିଲାଣି । ଏ ଅପ୍ରକଟ କଳ୍‌କୀର ଆୟୁଧ ଆଉ ବାରହାତୀ ଖଣ୍ଡା ନୁହଁ, ବରଂ ତା’ର ବଜ୍ରମୁଷ୍ଟିରେ ମୃତ୍ୟୁଭୟକୁ ବିଜୟ କରିବାର କଠୋର ସଂକଳ୍ପ । ଏହି କଠୋର ସଂକଳ୍ପରେ ଏବେଠୁଁ ମଣିଷର ଶତ୍ରୁ ଆଉ ମଣିଷ ନୁହେଁ- ଜାତିର ଶତ୍ରୁ ଆଉ ବିଜାତିୟ ନୁହେଁ- ଦେଶର ଶତ୍ରୁ ଆଉ ବିଦେଶ ନୁହେଁ, ବରଂ ଦେଶ, ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସଂକଳ୍ପବଦ୍ଧ ନବମାନବର ଭୟାବହ କରୋନା ଭୂତାଣୁ ବିରୁଦ୍ଧରେ ମରଣପଣ ମୁକ୍ତିଯୁଦ୍ଧ ଘୋଷଣା । ଏହି ଯେଉଁ ନୂତନ ଯୁଦ୍ଧ ଏବେ ତମାମ୍ ଦୁନିଆକୁ ଅଭିମନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଜନ୍ମ ନେଇଛି, ତାହା ଦ୍ୱାରା ଯୁଦ୍ଧର ସଂଜ୍ଞା ପୁରାପୁରି ବଦଳି ଯାଇଛି । ଏ ଯୁଦ୍ଧ ଶିବିର ନୁହେଁ, ପ୍ରତ୍ୟେକ ମଣିଷର ଘରୁ ନିଜର ଶଙ୍ଖନାଦ ଶୁଣାଇବାକୁ ପ୍ରସ୍ତୁତ । ଏ ଯୁଦ୍ଧ ବନ୍ଧୁକ ବିରୁଦ୍ଧରେ ବୋମାର ଜବାବ ନୁହଁ- କି କ୍ଷେପଣାସ୍ତ୍ର ବିରୁଦ୍ଧରେ ପରମାଣୁର ସ୍ପର୍ଦ୍ଧା ପ୍ରଦର୍ଶନ ନୁହେଁ । ଏ ଯୁଦ୍ଧର ଅସଲ ସିପାହୀମାନେ ହେଉଛନ୍ତି- ପୃଥିବୀର ବିଭିନ୍ନ ପ୍ରାନ୍ତରେ ଚିକିତ୍ସା ଜଗତର ଅଙ୍ଗିକାରବଦ୍ଧ ଡାକ୍ତର, ନର୍ସ ଓ ଅସଂଖ୍ୟ ସେବାକାରୀମାନେ । ବୈଜ୍ଞାନିକମାନେ ଦିନରାତି ଏକାଠି କରିଦେଇ ଏକା ଏକା ମଣିଷମାନଙ୍କୁ ଆଜି ଅନ୍ଧକାରମୁକ୍ତ ଏକ ମହାଜୀବନପଥ ନିର୍ଦ୍ଦେଶ ନିମନ୍ତେ ବଦ୍ଧପରିକର ।

ବିପର୍ଯ୍ୟୟ କେବଳ ଓଡିଶାରେ ନୁହେଁ, ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି । ବିପଦରୁ ସଂପଦ ଖୋଜିବା ହେଲା ବିଶ୍ୱବାସୀଙ୍କ ଚିନ୍ତା । ବିଶ୍ୱବାସୀ ଆଶା ରଖିଛନ୍ତି- କରୋନା ବିରୁଦ୍ଧରେ ଲଢି ବିଜୟଲାଭ କରିବେ । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମନୁଷ୍ୟକୃତ ବିପର୍ଯ୍ୟୟ ହେଉ, ଏହି ମଣିଷ ହଜାର ହଜାର ବର୍ଷଧରି ସବୁ ଅଙ୍ଗେ ଲିଭେଇ ଆସିଛି । ଜୀବଜଗତରେ ଜନ୍ମ ହେଲେ ମୃତ୍ୟୁ ଅବଧାରିତ । ଜନ୍ମରେ ଆନନ୍ଦ, ମୃତ୍ୟୁରେ ଦୁଃଖ, ଏ ସବୁ ଖେଳାଲୀଳା ଲାଗିରହିଛି । ସ୍ୱାଭାବିକ ମୃତ୍ୟୁ ଅଲଗା କଥା । ଅସ୍ୱାଭାବିକ ମୃତ୍ୟୁ ହେଲେ ଛାନିଆ ପଶିଯାଏ । ପ୍ରତି ମୂହୁର୍ତରେ କରୋନା ମହାମାରୀ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଚାଲିଛି । ବୈଜ୍ଞାନିକ ଓ ଡାକ୍ତରମାନେ ପ୍ରତିଶୋଧକ ଉପାୟ ବାହାର କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସଫଳ ହେବାପାଇଁ ସମସ୍ତେ ଆଶା ରଖିଛନ୍ତି । ଆଜି ଟିଭି, ରେଡିଓ, ଖବରକାଗଜ ଦେଖିଲେ, ଶୁଣିଲେ, ପଢିଲେ କରୋନା ମହାମାରୀ ଛଡା ଆଉ ଯେପରି ସମ୍ବାଦ ନାହିଁ । ସବୁବେଳେ ନକରାତ୍ମକ ସମ୍ବାଦ ମନରେ ଭୟଜାତ କରିବା ସ୍ୱାଭାବିକ । ଇତିହାସରେ ବହୁ ମହାମାରୀ, ଯୁଦ୍ଧ, ମହାଯୁଦ୍ଧକୁ ଆଜିର କରୋନା ବିରୁଦ୍ଧରେ ମହାଯୁଦ୍ଧ ବଳି ପଡିଲାଣି । ମନେହୁଏ ଯୁଦ୍ଧ ଓ ମହାମାରୀରେ ସମୟସୀମା ଥାଏ, କରୋନା ମଧ୍ୟ ତା’ର ଖେଳାଲୀଳା ସାରି ବିଦାୟ ନେବ ।

ପ୍ରତ୍ୟେକଙ୍କୁ ଏକୁଟିଆପଣ ଘାରିଛି । କର୍ଫ୍ୟୁ, ସଟ୍‌-ଡାଉନ୍‌, ଲକ୍‌-ଡାଉନ୍ ଓ ଏମର୍‌ଜେନ୍ସୀ ଘୋଷଣା ହେଲେ ବି ଅଣୁ ଠାରୁ ଆହୁରି କ୍ଷୁଦ୍ରାତି କ୍ଷୁଦ୍ର ଭୂତାଣୁ କରୋନା ଅଦୃଶ୍ୟ । କେତେବେଳେ କାହାକୁ ଆକ୍ରମଣ କରୁଛି, ଜୀବନ ନେଇଯାଉଛି । ବିଶ୍ୱବାସୀ ଗୃହବନ୍ଦୀ ଥିବାବେଳେ ସବୁବେଳେ ମନରେ ନକରାତ୍ମକ ଭାବନା ଦେଖାଦେଇଛି । ଏଠାରେ କେହି କାହାକୁ ଉପଦେଶ ଦେବାର ବେଳ ନୁହେଁ । ଡାକ୍ତର, ବୈଜ୍ଞାନିକ ଓ ସରକାରମାନଙ୍କ କଥା ବେଶି ଶୁଣନ୍ତୁ । ରୋଗ ଓ ଭୋକକୁ ମୁକାବିଲା କରନ୍ତୁ । ଯେଉଁଠି ରୋଗ ଓ ଭୋକ ନଥିବ, ସେଇଭଳି ପୃଥିବୀ ଆମର ଦରକାର । ରୋଗ, ଭୋକ ଏ ଧରଣୀ ବକ୍ଷରୁ ପୋଛି ଦେବାକୁ ସମସ୍ତେ ଚାହିଁବା ଆବଶ୍ୟକ । ଆମ ପ୍ରିୟ ବିଶ୍ୱର ବିଜ୍ଞାନ ଏଯାବତ୍ ସେଭଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ ସାଂଘାତିକ ଶଦ୍ଦ ରୋଗ ଓ ଭୋକକୁ ମଣିଷ ଜାତିର ଅଭିଧାନରୁ ମୂଳପୋଛ କରିଦେଇପାରିବ । ରୋଗ ଓ କ୍ଷୁଧା ବିରୁଦ୍ଧରେ ବିଶ୍ୱବାସୀଙ୍କର ମିଳିତ ଯୁଦ୍ଧ ଏକାନ୍ତ ଆବଶ୍ୟକ ।

ସତ୍ୟ, ତ୍ରେତେୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା– କିନ୍ତୁ ଏ ମହାକଳିକାଳରେ କରୋନା ଭଳି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ମଣିଷର ମହାଯୁଦ୍ଧ ଆରମ୍ଭ ହୋଇଯାଇଛି । କଳିଯୁଗ ସଂପର୍କରେ ଉଣାଅଧିକେ ସମସ୍ତେ ଜାଣନ୍ତି । ସେଇ କଳିଯୁଗର ଶେଷ ଦୃଶ୍ୟ ମହାକଳିକାଳ । ଯୁଦ୍ଧ ଏବେ ଆଖିକି ଦେଖାଯାଉଥିବା ଶତ୍ରୁ ବିରୁଦ୍ଧରେ ନୁହେଁ- ଅଦୃଶ୍ୟ ଭୂତାଣୁ ବିରୁଦ୍ଧରେ । ସମ୍ପ୍ରତି ଅର୍ଥନୀତି, ସାମାଜିକ ସ୍ଥିତି ସଂପୂର୍ଣ୍ଣ ବିଗିଡି ଯାଇଛି । ୨୦୦୮-୦୯ରେ ହୋଇଥିବା ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ବିଶ୍ୱବାସୀଙ୍କୁ ତଳିତଳାନ୍ତ କରିଦେବାପରେ କିଛିଟା ସୁଧାରି ଯାଉଥିଲା । ୨୦୨୦ରେ ସମଗ୍ର ବିଶ୍ୱର ଅର୍ଥନୀତି ଧ୍ୱଂସ ଆଡକୁ ଗତି କରୁଛି । ସେଥିରୁ ମୁକୁଳି ନ ପାରିଲେ ସମଗ୍ର ବିଶ୍ୱରେ ଦୁର୍ଭିକ୍ଷ ଅବସମ୍ଭାବିକ୍ ହୋଇପଡିବ ।

ଅଧିକାର ଓ ଅଙ୍ଗିକାର-ଏହି ଉଭୟ ଅବବୋଧରୁ ଏବେବି ବହୁ ଦୂରବର୍ତି ବିଶ୍ୱ ଭାବବୋଧ । କଥାକଥିତ ଗିଲୋଟିନ୍‌ରେ ଅହୋରାତ୍ର ଜର୍ଜରିତ ଆମର ଜୀବନତନ୍ତ୍ର । ଜଘନ୍ୟ ଓ ଦାନ୍ତବ ହୋଇପଡିଛି ଆମ ଜୀବନଶୈଳୀ । ଏଠାରେ ଏକ ଉଦାହରଣ ଦିଆଯାଇପାରେ ଯେ- ମାଇକେଲ୍ ଜାକ୍‌ସନ୍‌, ଯାହାର ସଂଗୀତର ମୂର୍ଛନାରେ ସାରା ବିଶ୍ୱ ମତୁଆଲା ହୋଇଯାଇଥିଲା । ଅଜସ୍ର ଅର୍ଥ ଉପାର୍ଜନ କରୁଥିଲେ । ହଠାତ୍ ତାଙ୍କ ମୁଣ୍ଡକୁ ଏକ ଅଜବ ଚିନ୍ତା ପ୍ରବେଶ କଲା । ସେ ୧୫୦ ବର୍ଷ ବଂଚିବେ । ନିଜ ଘରେ ପାଦଠୁଁ ମୁଣ୍ଡବାଳ ପର୍ଯ୍ୟନ୍ତ ସବୁ ରଖିଥିଲେ । ସେ କଳା ଥିବାରୁ ୧୯୮୭ ମସିହାରେ ପ୍ଲାଷ୍ଟିକ୍ ସର୍ଜରୀ କରାଇଲେ । ନିଜର କଳା ବାପ, ମା’କୁ ଛାଡି ଭଡାରେ ଗୋରା ବାପ, ମା’ ରଖିଲେ । ପ୍ଲାଷ୍ଟିକ୍ ସର୍ଜରୀ ଯୋଗୁଁ ଅକ୍ସିଜେନ୍ ବେଡ୍‌ରେ ଶୋଉଥିଲେ । ମେଡିସିନ୍ ଖାଇଖାଇ ଦେହ ଅବଶ ହୋଇପଡିଲା । ଶେଷରେ ୨୫ ଜୁନ୍ ୨୦୦୯ରେ ୫୦ ବର୍ଷରେ ମରିଗଲେ । ସାରା ସହରର ଡାକ୍ତର ଜମାହେଲେ । କେହି ଆଉ ତାଙ୍କୁ ବଂଚାଇ ପାରିଲେନାହିଁ । ଏଠାରେ ଜାକ୍‌ସନ୍‌ଙ୍କର ଅର୍ଥ, ସମ୍ପତି କିଛି କାମ ଦେଲାନି ।

ମଣିଷ ବିରୁଦ୍ଧରେ ମଣିଷର ଯୁଦ୍ଧ ବିପର୍ଯ୍ୟୟର ଅଧ୍ୟାୟ ଗୁଡିକୁ ଇତିହାସରେ ଫର୍ଦ୍ଦ ଉପରୁ ପୋଛିଦେଇ ଭୂତାଣୁ ଓ ଭୌତିକ ଜୀବନର କାମନା-ବାସନା ବିରୁଦ୍ଧରେ ମହାଯୁଦ୍ଧର ଅୟମାରମ୍ଭ କରିବାର ଆୟୋଜନ କରନ୍ତୁ ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

 

Leave A Reply

Your email address will not be published.