Latest Odisha News

BREAKING NEWS

ଭୁବନେଶ୍ୱରର ତିନୋଟି ଷ୍ଟାର ହୋଟେଲରେ ଖୋଲିଲା ଦେୟଯୁକ୍ତ ସଂଗରୋଧ କେନ୍ଦ୍ର

ଭୁବନେଶ୍ୱର: ମାରାତ୍ମକ କରୋନା ଭୁତାଣୁ ସଂକ୍ରମଣର ସମ୍ଭାବିତ ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରାଜଧାନୀର ତିନୋଟି ଷ୍ଟାର ହୋଟେଲରେ ଦେୟଯୁକ୍ତ ସଂଗରୋଧ କେନ୍ଦ୍ର ବା କ୍ୱାରାଣ୍ଟାଇନ ସେଣ୍ଟର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

ଏହି ତିନୋଟି ହୋଟେଲ ହେଲା ଜୟଦେବ ବିହାର ସ୍ଥିତ ଜିଞ୍ଜର ହୋଟେଲ, ସହୀଦ ନଗର ସ୍ଥିତ ଏମ୍ପାୟର୍ସ ହୋଟେଲ ଏବଂ କଳ୍ପନା ଛକ ସ୍ଥିତ ହୋଟେଲ କଳିଙ୍ଗ ଅଶୋକ ।

ଏଠାରେ ସ୍ୱୟଂ ସଂଗରୋଧ ବ୍ୟବସ୍ଥାରେ ରହିବାକୁ ଇଛୁକ ଥିବା ବ୍ୟକ୍ତିବିଶେଷ ସନ୍ଦିଗ୍ଧ ସଂକ୍ରମଣର ୧୪ ଦିନ ଯାଏଁ ନିଜ ଖର୍ଚ୍ଚରେ ଏଠାରେ ରହି ପାରିବେ । ଏଥିଲାଗି ତାଙ୍କୁ ଦିନକୁ ୨୫୦୦ ଟଙ୍କା ଓ ଆବଶ୍ୟକୀୟ ଟିକସ ହିସାବରେ ଦେବାକୁ ପଡିବ, ଯାହା ମଧ୍ୟରେ ହୋଟେଲ ସ୍ଥିତ ସଂଗରୋଧ କେନ୍ଦ୍ରରେ ରେ ରହିବା, ସକାଳର ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ବ୍ୟବସ୍ଥା ରହିବ । ତେବେ ସଂଗରୋଧ ଅବଧିକୁ ନେଇ ସନ୍ଦେହ ଉପୁଜିଲେ ସମ୍ପୃକ୍ତ କେନ୍ଦ୍ର ପାଇଁ ରହିଥିବା ଡାକ୍ତରଙ୍କ ନିଷ୍ପତ୍ତି ଅନୁଯାୟୀ ଏହା ସ୍ଥିର କରାଯାଇପାରିବ ।

ସେହିଭଳି ଏହି ତିନୋଟି ହୋଟେଲକୁ ଆବଶ୍ୟକୀୟ ପରିଚ୍ଛନ୍ନତା ବଜାୟ ରଖିବାକୁ କୁହାଯାଇଛି । ଏଥିସହିତ ଉଭୟ ହୋଟେଲ ଓ ସଂଗରୋଧରେ ରହୁଥିବା ବ୍ୟକ୍ତି ଙ୍କୁ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଂଗରୋଧ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।

ସୂଚନାଯୋଗ୍ୟ ଯେ ବିଏମସି ପକ୍ଷରୁ ଉପଯୁକ୍ତ ସରକାରୀ ବିଲ୍ଡିଂଗ ଗୁଡିକୁ ନେଇ ଅନେକ ସ୍ଥାନରେ ସଙ୍ଗରୋଧ ବା କ୍ୱାରାଣ୍ଟାଇନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ତେବେ ଅଧିକ ସଂଗରୋଧ କେନ୍ଦ୍ରର ଅବ୍ୟଶ୍ୟକତା ପଡିବାର ସମ୍ଭାବନାକୁ ଆଖିରେ ରଖି ଏହି ତିନୋଟି ହୋଟେଲ ପରିଚାଳନା ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଦେୟଯୁକ୍ତ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

ହୋଟେଲ କର୍ତୃପକ୍ଷଙ୍କ ତରଫରୁ ସଂଗରୋଧରେ ରହିଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ବିଏମସି ଏବଂ ସରକାରଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି । ବିଏମସି ପକ୍ଷରୁ ଏହି ସଂଗରୋଧ କେନ୍ଦ୍ର ପାଇଁ ଅବଶ୍ୟକତା ଅନୁଯାୟୀ ପରିଦର୍ଶନ କରିବାକୁ ଡାକ୍ତର ବ୍ୟବସ୍ଥା ଅଥବା ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.