Latest Odisha News

BREAKING NEWS

ଜନତା କର୍ଫ୍ୟୁ ପ୍ରଭାବରେ ଶ୍ରୀକ୍ଷେତ୍ର ଜନଶୂନ୍ୟ; ଖାଁ ଖାଁ ପୁରୀ ବଡ଼ଦାଣ୍ଡ

ପୁରୀ: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଭୟାବହ ଭୂତାଣୁ କରୋନା ସଂକ୍ରମଣର ପ୍ରାର୍ଦୁଭାବ ଦ୍ରୁତ ଗତିରେ ବଢି ବଢି ଚାଲିଛି । ଏହି ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରବିବାର ଦିନ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ର ଆହ୍ୱାନ ଦେଇଥିବା ବେଳେ ଏପଟେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀକ୍ଷେତ୍ର ମଧ୍ୟ ଜନତା କଫ୍ୟୁ ଯୋଗୁଁ ଜନଶୂନ୍ୟ ପାଲଟିଛି ।

ପୁରୀ ସହର ବର୍ଷ ତମାମ ଜନପୂର୍ଣ୍ଣ ରହିଥାଏ ମାତ୍ର କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଜନତା କଫ୍ୟୁର ପ୍ରଭାବରେ ଆଜି ସକାଳୁ ପୁରୀ ସହରର ପ୍ରାୟ ଅଧିକାଂଶ ରାସ୍ତାଘାଟ ଜନଶୂନ୍ୟ ରହିବା ସହିତ ବଜାର, ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନତା କଫ୍ୟୁ ଲାଗି ପୂର୍ବରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ଜନସାଧାରଣ ସ୍ୱତଃପ୍ରବୃତ୍ତ ଭାବେ ଏହି ଲକ୍ ଡାଉନକୁ ସମର୍ଥନ କରି ଘରେ ରହିବାକୁ ପସନ୍ଦ କରିଛନ୍ତି ।

ସେହିପରି ଲକ୍ ଡାଉନ୍ ପ୍ରଭାବରେ ପୁରୀ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡ଼ିଛି । ସିଂହଦ୍ୱାର ସମ୍ମୁଖ ଭାଗ ସହିତ ବଡ଼ଦାଣ୍ଡ ରାସ୍ତା, ଶରଧାବାଲି, ଗୁଣ୍ଡିଚାମନ୍ଦିର ଏକରକମ ଖାଁ ଖାଁ ଲାଗୁଛି । ଶ୍ରଦ୍ଧାଳୁମାନେ ଆଜି ପୁରୀ ଶ୍ରୀମନ୍ଦିର ବନ୍ଦ ଯୋଗୁଁ ଦର୍ଶନ କରିପାରିନଥିବା ବେଳେ ରାସ୍ତାରେ ମଧ୍ୟ ଜନଗହଳି ନାହିଁ ।

ପୁରୀରେ ଆଜି ଅଧିକାଂଶ ବସସେବା ବନ୍ଦ ରହିଥିବା ଯୋଗୁଁ ରାସ୍ତାଘାଟରେ ଗାଡ଼ି ମଟର ଦେଖିବାକୁ ମିଳିନାହିଁ । କର୍ଫ୍ୟକୁ କଡ଼ା କଡ଼ି କରିବାକୁ ଜିଲ୍ଲା ପ୍ରଶାସନ ସମେତ ପୋଲିସ ପ୍ରଶାସନ ତତ୍ପର ହୋଇ ଉଠିଛନ୍ତି । ଦେଖିବାକୁ ଗଲେ କାଁ ଭାଁ ଔଷଧଦୋକାନ ଏବଂ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଛି ।

କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମଧ୍ୟକୁ ଗତ ମାର୍ଚ୍ଚ ୨୦ ତାରିଖରୁ ଆସନ୍ତା ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ଭକ୍ତମାନଙ୍କ ପ୍ରବେଶ ବନ୍ଦ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଦୈନିକ ସେବାୟତମାନଙ୍କ ଦ୍ୱାରା ହେଉଥିବା ସହିତ ଶ୍ରଦ୍ଧାଳୁଙ୍କ ଚଳାଚଳ ବନ୍ଦ ରହିଛି ।

Leave A Reply

Your email address will not be published.