Latest Odisha News

BREAKING NEWS

କାଲି ପଦ୍ମପୁର ରାୟ, ଆଶାଆଶଙ୍କାରେ ପ୍ରାର୍ଥୀ

ପଦ୍ମପୁର: ଆସନ୍ତାକାଲି ପ୍ରକାଶ ପାଇବ ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନର ଫଳ । ଆସିବ ପଦ୍ମପୁରବାସୀଙ୍କ ରାୟ । ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟପେଡ଼ି । ଚଳିତ ଉପନିର୍ବାଚନରେ ୮୧.୨୯ % ଭୋଟ୍ ପଡିଛି । ୨୦୧୯ ନିର୍ବାଚନରେ ପଦ୍ମପୁରରେ ୭୯.୮% ମତଦାନ ହୋଇଥିଲା । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ରାଜ୍ୟ ମୁଖ୍ୟ  ନିର୍ବାଚନ ଅଧିକାରୀ କହିଛନ୍ତି ।

ନିର୍ବାଚନୀ ଗଣିତର ହିସାବ ଅନୁସାରେ ଭୋଟ୍ ପ୍ରତିଶତ ବଢିଲେ, ସାଧାରଣତଃ ଶାସକ ଦଳ ବିପକ୍ଷରେ ମତାମତ ଯାଏ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । ବିଜେପି ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବ ବୋଲି ସେ ଦୃଢୋକ୍ତି କରିଥିଲେ । ସେପଟେ ବିଜେଡି ଗଡ଼ ବଜାୟ ରଖିବ ବୋଲି ଯୁକ୍ତି ବାଢିଛି । ବରିଷ୍ଠ ନେତା ଖାରବେଳ ସ୍ୱାଇଁ ବିଜେଡି ବିଜୟ ନେଇ ଆଶାବ୍ୟକ୍ତ କରିଛନ୍ତି । ଦଳ ୩ ହଜାର ଭୋଟ୍ ରେ ଜିତିବ ବୋଲି ସେ ସ୍ପଷ୍ଟ କହିଛନ୍ତି ।

ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ଅଧିକ ଭୋଟରେ ଜିତିବା ନେଇ ମତ ଦେଇଛନ୍ତି ଦଳର ବରିଷ୍ଠ ନେତା ଦାମ ରାଉତ । ବର୍ଷାଙ୍କ ପାଇଁ ବିଜେଡିର ମଙ୍ଗୁଆଳ ନେତା ପଦ୍ମପୁର ଯାଇ ଭୋଟ ଭିକ୍ଷା କରିଥିଲେ । ଧାମନଗରରେ ଭୁଲକୁ ନଦୋହରାଇ ବିଡେଜି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପଦ୍ମପୁର ପ୍ରଚାରକୁ ଯିବା ପାଇଁ ବାଧ୍ୟ ହୋଇଥିଲେ ।

ସେପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଭୋଟ୍ ହାତେଇବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଲମ୍ୱା ଲାଇନ୍ ଲଗାଇଥିଲା । ବିଶାଳ ସମାବେଶରେ ବିପୁଳ ସଂଖ୍ୟାରେ ଯୋଗଦେଇ ପ୍ରଦୀପଙ୍କ ପ୍ରତି ସମର୍ଥନ ଜଣାଇଥିଲେ ପଦ୍ମପୁରବାସୀ ।

କିନ୍ତୁ କଂଗ୍ରେସର ପ୍ରଚାର ଫିକା ପଡିଥିଲା । ସତ୍ୟଭୁଷଣ ସାହୁ ଘର ଘର ବୁଲି ପ୍ରଚାର କରିବା ଦେଖିବାକୁ ମିଳିଥିଲା । ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦ ଜଣଙ୍କ ଭାଗ୍ୟ ପେଡ଼ି ଆସନ୍ତାକାଲି ଖୋଲିବ ।  ଏ ଭୋଟରଙ୍କ ମନ ଜିତିପାରିଛନ୍ତି, ତାହା ଜଣାପଡିବ । ଚାଷୀ ଦରଦ ବନାମ ଜିଲ୍ଲା ମାନ୍ୟତା, ଅଭିଜ୍ଞତା ବନାମ ଅନୁକମ୍ପା; କେଉଁଟି ଭୋଟରଙ୍କୁ ଅଧିକ ପ୍ରଭାବିତ କରିଛି, ତାହା ସ୍ପଷ୍ଟ ହେବ ।

Leave A Reply

Your email address will not be published.