Latest Odisha News

BREAKING NEWS

ଥମୁନି କରୋନା ମୃତ୍ୟୁର ବିଭୀଷିକା: ଆଜି ଦେଶରୁ ୩ହଜାର ୬୮୯ ମୃତ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ଅଧିକ ଜୀବନ ନେଉଛି । କ୍ରମାଗତ ପଞ୍ଚମ ଦିନରେ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୩୫ଶହରୁ କମୁନି । ଆଜି ମହାମାରୀରେ ଆଉ ୩ହଜାର ୬୮୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ଏଯାଏ କରୋନାରେ ପ୍ରାଣ ହରାଇଲେଣି ୨ଲକ୍ଷ ୧୫ହଜାର ୫୪୨ ଜଣ । ଗତକାଲି ଅପେକ୍ଷା ଆଜି ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ଖସିଛି ।

ଗତକାଲି ଦେଶରେ ସଂକ୍ରମଣ ୪ ଲକ୍ଷ ପାର କରିଥିଲା । ଆଜି ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୯୨ହଜାର ୪୮୮ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୭ହଜାର ୮୬୫ ଜଣ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୯୫ଲକ୍ଷ ୫୭ହଜାର ୪୫୭କୁ ବୃଦ୍ଧି ପାଇଛି । ଏବେ ଦେଶରେ ୩୩ଲକ୍ଷ ୪୯ହଜାର ୬୪୪ଟି ଆକ୍ଟିଭ୍ କେସ୍ ରହିଛି ।

ମହାରାଷ୍ଟ୍ରରେ ପଜିଟିଭ୍ ହାର ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ଚିନ୍ତା ବଢ଼ାଇଛି ଉତ୍ତରପ୍ରଦେଶରେ ଦୈନିକ ବର୍ଦ୍ଧିତ ସଂକ୍ରମଣ । କର୍ଣ୍ଣାଟକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ପାର କରିଛି । ଦିଲ୍ଲୀ ସମେତ ୧୦ଟି ରାଜ୍ୟରେ ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି । ମେ’ ଦ୍ୱିତୀୟ ସପ୍ତାହ ଭିତରେ କରୋନା ସଂକ୍ରମଣ ପିକ୍ ଛୁଇଁବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ଦେଶରେ ଏବେ ଏମିତି ସ୍ଥିତିରେ ଯେ ବିଭିନ୍ନ ରାଜ୍ୟରେ ଶ୍ମଶାନରେ ଚିତା ଲିଭୁନି । ଶବ ସତ୍କାର ପାଇଁ ଜାଗା ଓ କାଠର ବି ଅଭାବ ପଡ଼ିଲାଣି ।

Leave A Reply

Your email address will not be published.