Latest Odisha News

BREAKING NEWS

ପୁଣି ଫେରିଲା କରୋନା, ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଗତ କିଛି ମାସରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍ ହୋଇଛି । ତେଣୁ ଅନେକ ଲୋକ ମାନି ନେଇଛନ୍ତି ଯେ, ଦେଶରୁ କରୋନା ସଂକ୍ରମଣ ଶେଷ ହୋଇଯାଇଛି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଏହାକୁ ନେଇ ପୁଣିତରେ ଭୟ ସୃଷ୍ଟି କରିଛି । କାରଣ ବର୍ତ୍ତମାନ କରୋନାର ଦୁଇ ନୂଆ ଭାରିଆଣ୍ଟ ଦେଶରେ ପଦାର୍ପଣ କରିସାରିଛି । ଏହି ୨ ନୂଆ ଭାରିଆଣ୍ଟ କେପି.୧ ଏବଂ କେପି.୨ ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହା ଜେଏନ୧ର ସବ୍-ଭାରିଆଣ୍ଟ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ସୂଚନା ଅନୁସାରେ, ନିକଟରେ ଭାରତରେ କୋଭିଡ-୧୯ର ୩୨୪ଟି ନୂତନ ମାମଲା ପଞ୍ଜିକୃତ ହୋଇଛି। ଯେଉଁଥିରେ କେପି.୨ ର ୨୯୦ ଏବଂ କେପି.୧ ର ୩୪ଟି ନୂତନ ମାମଲା ରହିଛି । ଗତ କିଛି ଦିନ ପୂର୍ବରୁ, ସିଙ୍ଗାପୁରରେ କରୋନାର ଏହି ଭାରିଆଣ୍ଟ କାୟା ବିସ୍ତାର କରିବାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ହୋଇପଡିଛି । ଏହାରିଭିତରେ କରୋନାର ଏହି ନୂତନ ଭାରିଆଣ୍ଟର ଅନେକ ମାମଲା ଭାରତରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମନରେ ଭୟ ଖେଳିଯାଇଛି ।

ଦେଶର ମୋଟ ୭ଟି ରାଜ୍ୟରୁ ୩୪ଟି କେପି.୧ ମାମଲା ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି । ଏଥିରେ ମହାରାଷ୍ଟ୍ରରୁ ସର୍ବାଧିକ ୪ ଜଣ ରହିଥିବା ବେଳେ ଗୁଜୁରାଟ ଏବଂ ରାଜସ୍ଥାନରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ହରିୟାଣା, ଉତ୍ତରାଖଣ୍ଡ ଏବଂ ଗୋଆ ଆଦି ରାଜ୍ୟରୁ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିପରି କେପି.୨ ଭାରିଆଣ୍ଟରେ ଦେଶରେ ମୋଟ ୨୯୦ ମାମଲା ରେକର୍ଡ ହୋଇଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୧୪୮ ଜଣ, ପଶ୍ଚିମବଙ୍ଗରୁ ୩୬ ଜଣ, ଗୁଜୁରାଟରୁ ୨୩ ଜଣ, ରାଜସ୍ଥାନରୁ ୨୧ ଜଣ, ଓଡ଼ିଶାରୁ ୧୭ ଜଣ , ଉତ୍ତରାଖଣ୍ଡରୁ ୧୬ ଜଣ, ଗୋଆରୁ ୧୨ ଜଣ, ଉତ୍ତରପ୍ରଦେଶରୁ ୮ ଜଣ, କର୍ଣ୍ଣାଟକରୁ ୪ ଜଣ ଏବଂ ମଧ୍ୟ ପ୍ରଦେଶ ଏବଂ ଦିଲ୍ଲୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Leave A Reply

Your email address will not be published.