Latest Odisha News

BREAKING NEWS

ମେଘନାଦ ପାଚେରି ଫାଟ… ବଢିଲା ରାଜନୀତି

ଭୁବନେଶ୍ବର: ମେଘନାଦ ପାଚେରିରେ ଫାଟ ପାଇଁ ଦାୟୀ କିଏ? ପୂର୍ବ ବିଜେଡି ସରକାରକୁ କଡା ସମାଲୋଚନା କରିଛି ବିଜେପି । ନିଜର ରାଜନୈତିକ ଫାଇଦା ପାଇଁ ପୁରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ସେପଟେ ଶ୍ରୀଜଗନ୍ନାଥ ମନ୍ଦିରର ଅଂଶବିଶେଷ ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରତ୍ନତତ୍ତ୍ବ ବିଭାଗର । ତେଣୁ ଆଙ୍ଗୁଳି ନିର୍ଦ୍ଦେଶ କେଉଁଠିକୁ ହେବା ଦରକାର ବୋଲି ପାଲଟା ପ୍ରଶ୍ନ କରିଛି ବିଜେଡି ।

ପରିକ୍ରମା ପାଇଁ ପାଚେରିରେ ଫାଟ !

ମେଘନାଦ ପାଚେରିରେ ଫାଟ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦାୟୀ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ପ୍ରକଳ୍ପ ନିର୍ମାଣ ସମୟରେ ଯେଉଁଭଳି ବଡ଼ ବଡ଼ ମେସିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ଼ ବଡ଼ ଗାତ କରାଗଲା, ତାର ପ୍ରଭାବ ମେଘନାଦ ପାଚେରି ଉପରେ ପଡିଲା । ପ୍ରତ୍ନତତ୍ତ୍ବ ବିଭାଗ ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର ବିନା ଅନୁମତିରେ ପ୍ରଥମେ ମେସିନ୍ ଲଗାଇ ଖୋଳାଗଲା । ଆମସାର ଆକ୍ଟ ୧୯୫୮କୁ ନମାନି ବେଆଇନ କାମ କରାଗଲା । ମାମଲା ଅଦାଲତକୁ ଗଲା । ବିନା କୌଣସି ହେରିଟେଜ ଇମ୍ପାକ୍ଟ ଷ୍ଟଡିରେ କାହିଁକି ଖୋଳାଖୋଳି କରାଗଲା? ବୋଲି ସେ ପ୍ରଶ୍ନ କରିଛନ୍ତି । ଏନଏମଏ ନିୟମ ଅନୁସାରେ ଶହେ ମିଟର ପରିସରରେ କୌଣସି ନିର୍ମାଣ କାମ, ଖୋଳାଖୋଲି କରିହେବନି । ଏହାକୁ ନମାନିବା ମହଙ୍ଗା ପଡିଲାଣି। ୯ଶହ ବର୍ଷର ପ୍ରାଚୀନ ମନ୍ଦିରର ସ୍ଥାୟୀତ୍ବ ବିଗାଡି ଦିଆଗଲା । ଏବେ ମେଘନାଦ ପାଚେରୀ ଉପରେ ଏହାର ପ୍ରଭାବ ପଡିଲାଣି, ପରେ ମନ୍ଦିର ଉପରେ ଯେ ନପଡିବ ତାହା କିଏ କହିବ ବୋଲି ଅନିଲ ବିଶ୍ବାଳ ସୋସିଆଲ୍ ମିଡିଆରେ ଲେଖିଛନ୍ତି ।

୪ମାସ ହେଲାଣି…କାହିଁକି କଲନି ବ୍ୟବସ୍ଥା?

ମେଘନାଦ ପାଚେରିରୁ ପାଣି ଗଳିବା ଘଟଣାକୁ ନେଇ ପରିକ୍ରମା ପ୍ରକଳ୍ପ ଓ ପୂର୍ବ ବିଜେଡି ସରକାର ଉପରକୁ ଆଙ୍ଗୁଳି ଉଠାଇଛି ବିଜେପି । ସେପଟେ ମେଘନାଦ ପାଚେରୀ ଦାୟିତ୍ବ ପ୍ରତ୍ନତତ୍ତ୍ବ ବିଭାଗର ବୋଲି କହିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ନୂଆ ସରକାର ଜୁନ ମାସରୁ ଦାୟିତ୍ୱ ନେଲେଣି। ଚାରି ମାସ ଗଲାଣି, କାହିଁକି ପ୍ରତିକାର ବ୍ୟବସ୍ଥା କରାଗଲା ନାହିଁ? ରାଜ୍ୟ ସରକାର କଣ ନିର୍ଦ୍ଦେଶ ଦେଇଛନ୍ତି? ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ପରିକ୍ରମା ପ୍ରକଳ୍ପ ପାଇଁ କେମିତି ପାଣି ଗଳିଲା, କାରଣ ଜଣାନାହିଁ? ସିଦ୍ଧାନ୍ତରେ କେମିତି ପହଁଚିଲେ? ବିଜେପି ନେତାଙ୍କର ବୈଷୟିକ ଜ୍ଞାନ କଣ ଅଛି? ବୋଲି ଗଣେଶ୍ବର ବେହେରା ପ୍ରଶ୍ନ କରିଛନ୍ତି । ପରିକ୍ରମା ପ୍ରକଳ୍ପ ବନ୍ଦ କରିବାକୁ ବିଜେପି ପରୋକ୍ଷରେ ଷଡଯନ୍ତ୍ର କରିଥିଲା । ତେବେ ତାଙ୍କ ଅଭିଯୋଗକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ।

ଶ୍ରୀମନ୍ଦିର ମେଘନାଦ ପାଚେରିରେ ଫାଟ ବାହାରିବା ସହ ଏସବୁ ଫାଟ ଧିରେ ଧିରେ ମେଲିବାରେ ଲାଗିଛି । ପ୍ରାଥମିକ ଭାବେ  ଶ୍ରୀମନ୍ଦିର ପ୍ରଶାସନର ନିର୍ମାଣ ବିଭାଗ ପକ୍ଷରୁ ଶିଉଳୀ ଛଡା କାମ ସହ ପାଣି ଝରିବା ରୋକିବାକୁ ପଦକ୍ଷେପ ନିଆଯାଇଛି। ଆନନ୍ଦ ବଜାରର ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା ପାଇଁ ଟେଣ୍ଡର୍ ପ୍ରକିୟା ମଧ୍ୟ ହୋଇଛି। ତେବେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପ୍ରାଚୀର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର ହାତକୁ ନେବାକୁ ASI କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ । ସେପଟେ ମେଘନାଦ ପାଚେରି ଫାଟକୁ ନେଇ ଜୋରଦାର ହୋଇଛି ଦୋଷଠେଲା ରାଜନୀତି ।

Comments are closed.