Latest Odisha News

ବରଦାସ୍ତ କରାଯିବନି ଅଦିନିଆ ରଥଯାତ୍ରା

ଭୁବନେଶ୍ବର: ବାରମ୍ବାର ଆପତ୍ତି ପରେ ବି ଜିଦ୍ ଛାଡୁନି ଇସ୍କନ । କାହିଁକି ଅଦିନିଆ ରଥଯାତ୍ରା ଆୟୋଜନ? ବିଶ୍ବରେ ଜଗନ୍ନାଥପ୍ରେମୀଙ୍କ ଭାବନା ସହ ଖେଳ । ଗଜପତି ମହାରାଜା ଦେଖାଇଲେ କଡା ଆଭିମୁଖ୍ୟ । କହିଲେ, ବହୁତ ହୋଇଗଲା ଏଥର ବରଦାସ୍ତ କରାଯିବନି । ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନକୁ କଡା ବିରୋଧ କରିଛନ୍ତି ଗଜପତି ମହାରାଜା। ଭାରତ ଭିତରେ ଓ ବାହାରେ ପରମ୍ପରା ଓ ଶାସ୍ତ୍ର ଅନୁସାରେ ରଥଯାତ୍ରା ପାଳନ କରାଯିବା ପାଇଁ ସେ ଦାବି କରିଛନ୍ତି । ସେପଟେ ଗଜପତିଙ୍କୁ ସମର୍ଥନ ଜଣାଇବା ସହ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିକୃତ କି ଅସମ୍ମାନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି

ଅଦିନ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ । ଅନ୍ୟ ଧର୍ମରେ ଏଭଳି ହୋଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା । ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ ବଡି କମିଶନର ବାର୍ଷିକ ସଭା ହେବ । ବୈଠକରେ ଅଦିନିଆ ରଥଯାତ୍ରା ଆୟୋଜକ କଥା ମାନିଗଲେ ଭଲ, ନହେଲେ ଆଇନଗତ ବିକଳ୍ପ ରହିଥିବା ଗଜପତି ମହାରାଜା କହିଛନ୍ତି । ୧୯୬୭ରୁ ଏଭଳି ଅଦିନ ରଥଯାତ୍ରା ଆୟୋଜନ କରିଆସୁଛି ଇସ୍କନ । ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି । ତେବେ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନିଆ ରଥଯାତ୍ରା କରୁଛି । ଓଡିଆ ଭକ୍ତଙ୍କ ଧୈର୍ଯ୍ୟ ଅଧିକ । ହେଲେ ବହୁତ ହୋଇଗଲା ଆଉ ବରଦାସ୍ତ କରାଯିବନି ବୋଲି ଗଜପତି ମହାରାଜା କହିଛନ୍ତି ।

କାହିଁକି ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ?

ଇସ୍କନର ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ବୋଲି କହିଛନ୍ତି ଗଜପତି ମହାରାଜା। ୯ତାରିଖରେ ଆମେରିକା ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି । ଚିଠି ଲେଖିବା ସତ୍ତ୍ବେ ଇସ୍କନ ମାନିଲାନି । ୩ତାରିଖରେ ହେବାକୁ ଥିବା ସ୍ନାନଯାତ୍ରା ବାତିଲ କରାଯାଇଛି, ତେବେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ପୁରୀ ରଥଯାତ୍ରା ପ୍ରତିବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହୁଏ । ପୁରୀର ପରମ୍ପରା ଅନୁସାରେ ଦେଶ ତଥା ଦେଶ ବାହାରେ ରଥଯାତ୍ରା ଆୟୋଜିତ ହୁଏ । ତେବେ ଇସ୍କନ ପକ୍ଷରୁ ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଉଛି । ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ ବୋଲି ଗଜପତି ମହାରାଜା କହିଛନ୍ତି ।

ଜଗନ୍ନାଥ ସଂସ୍କୃତିକୁ ବିକୃତ କଲେ ଆକ୍ସନ୍

ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜାଙ୍କୁ ସମର୍ଥନ ଜଣାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହାକୁ ବିକୃତ କିମ୍ବା ଅସମ୍ମାନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଥମେ ଆଲୋଚନା କରାଯିବ, ସହମତ ନହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ପଦକ୍ଷେପ ବାବଦରେ ନିଷ୍ପତ୍ତି ନେବାରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାଧିକୃତ । ଯାହା ନିଷ୍ପତ୍ତି ନେବେ ଆଇନ ବିଭାଗ ତାକୁ ସମର୍ଥନ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା ଓ ବିଧି ଅନୁସାରେ ପାଳନ କରାଯାଏ। ତେଣୁ ହ୍ୟୁଷ୍ଟନରେ ହେବାକୁ ଥିବା ରଥଯାତ୍ରା ବନ୍ଦ କରିବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୂର୍ବରୁ ଚିଠି ଲେଖିଥିଲେ । ସେହିପରି ନାଇଜେରିଆରେ ନଭେମ୍ବର ୨୩ରେ ହେବାକୁ ଥିବା ରଥଯାତ୍ରା ନକରିବାକୁ କହିଥିଲେ । ରଥଯାତ୍ରା ସାରା ବିଶ୍ବର ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡିତ । ତେଣୁ ନିୟମର ଉଲ୍ଲଂଘନ ନକରିବା ପାଇଁ ଦାବି ହେଉଛି ।

Comments are closed.