Latest Odisha News

BREAKING NEWS

ରାଜ୍ୟରେ ବଢ଼ୁଛି ଅପରାଧ, ଯୌତୁକ ପାଇଁ ଗଡ଼ୁଛି ସର୍ବାଧିକ ମୁଣ୍ଡ

ଭୁବନେଶ୍ୱର: ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB) ପକ୍ଷରୁ ୨୦୨୧ ବର୍ଷର ଅପରାଧ ରିପୋର୍ଟ ପ୍ରକାଶ ପାଇଛି । ୨୦୧୯ରୁ ୨୦୨୧ ତିନି ବର୍ଷ ରିପୋର୍ଟ ଦେଖିଲେ ଦେଶରେ ଅପରାଧ ୨୦୨୦ ତୁଳନାରେ ୨୦୨୧ରେ ସାମାନ୍ୟ କମିଛି । କିନ୍ତୁ ଓଡ଼ିଶାରେ ଅପରାଧ ହାର ବଢ଼ିଛି । ୨୦୧୯ରେ ରାଜ୍ୟରେ ୯୬ ହଜାର ୩୩ଟି  PC ଅପରାଧ ଘଟିଥିବା ବେଳେ ୨୦୨୦ରେ ୧ ଲକ୍ଷ ୮ ହଜାର ୫୩୩ଟି ମାମଲା ଓ ୨୦୨୧ରେ ଏହା ୧ ଲକ୍ଷ ୨୪ ହଜାର ୯୫୬କୁ ବୃଦ୍ଧି ପାଇଛି । ଆଉ ୨୦୨୧ରେ ରାଜ୍ୟରେ ଚାର୍ଜସିଟ୍ ରହିଛି ୭୫.୫ ପ୍ରତିଶତ ।

ସେହିଭଳି ରାଜ୍ୟରେ (SLL) ଅପରାଧ ବୃଦ୍ଧି ପାଇଛି । ୨୦୧୯ରେ ୨୫ ହଜାର ୪୯୨ଟି ଅପରାଧ ସଂଗଠିତ ହୋଇଥିବା ବେଳେ ୨୦୨୦ରେ ୨୫ ହଜାର ୬୯୭ଟି ଏବଂ ୨୦୨୧ରେ ୩୦ ହଜାର ୪୬୪ଟି ଅପରାଧ ଘଟିଛି । ରାଜ୍ୟରେ ହିଂସାତ୍ମକ ଅପରାଧ ମଧ୍ୟ ବୃଦ୍ଧି ପାଇଛି । ୨୦୧୯ରେ ରାଜ୍ୟରେ ୨୧ ହଜାର ୧୮୭ଟି ହିଂସାତ୍ମକ ଅପରାଧ ଘଟିଥିବା ବେଳେ ୨୦୨୧ରେ ଏହା ୨୨ ହଜାର ୨୪୪କୁ ବଢ଼ିଛି । ୨୦୨୦ରେ ହିଂସାତ୍ମକ ଅପରାଧ ହ୍ରାସ ପାଇଥିଲା ।

୨୦୨୧ରେ ଅପହରଣ ନେଇ ଆଇପିସି ଧାରା ୩୬୩, ୩୬୯ରେ ରାଜ୍ୟରେ ୫ ହଜାର ୬୨୫ଟି ମାମଲା ହୋଇଥିଲା । ସେହିଭଳି ଦୁଷ୍କର୍ମ ନେଇ ଆଇପିସି ଧାରା ୩୭୬ରେ ୧୪୫୬ଟି ମାମଲା ରୁଜୁ ହୋଇଛି । ତେବେ ୨୦୨୦ ତୁଳନାରେ ରାଜ୍ୟରେ ୨୦୨୧ରେ ହତ୍ୟା ମାମଲା ସାମାନ୍ୟ କମିଥିଲେ ମଧ୍ୟ ଏହା ଆଶ୍ୱସ୍ତିକର ନୁହେଁ । ୨୦୨୦ରେ ରାଜ୍ୟରେ ୧୪୭୦ଟି ହତ୍ୟା ହୋଇଥିବା ବେଳେ ୨୦୨୧ରେ ୧୩୯୪ଟି ହତ୍ୟା ମାମଲା ରୁଜୁ ହୋଇଛି ।

Crime Against Women Increased In Odisha Highest Murder For Dowry

ତେବେ ବଡ଼ କଥା ହେଉଛି ରାଜ୍ୟରେ ସବୁଠୁ ଅଧିକ ହତ୍ୟା ଯୌତୁକ ପାଇଁ ହେଉଥିବା NCRB ରିପୋର୍ଟରେ ଦର୍ଶା ଯାଇଛି । ୨୦୨୧ ମସିହାରେ ରାଜ୍ୟରେ ଯୌତୁକ ପାଇଁ ୨୭୫ଟି ହତ୍ୟା ହୋଇଥିବା ବେଳେ ପୂର୍ବ ଶତ୍ରୁତାରୁ ୧୧୭ ଜଣଙ୍କ ମୁଣ୍ଡ ଗଡ଼ିଛି । କିନ୍ତୁ ୟୁପି ଓ ବିହାର ଭଳି ଅପରାଧପ୍ରବଣ ରାଜ୍ୟରେ ଓଡ଼ିଶା ଅପେକ୍ଷା ଯୌତୁକ ଜନିତ ହତ୍ୟା ମାମଲା କମ୍ ରହିଛି । ୨୦୨୧ ମସିହାରେ ୟୁପିରେ ଯୌତୁକ ପାଇଁ ୧୧୯ଟି ହତ୍ୟା ହୋଇଥିବା ବେଳେ ବିହାରରେ ୫ଟି ହତ୍ୟାକାଣ୍ଡ ଘଟିଛି ।

ଅରୁଣାଚଳପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍ ଆଦି ରାଜ୍ୟରେ ୨୦୨୧ ମସିହାରେ ଯୌତୁକ ପାଇଁ କୌଣସି ହତ୍ୟା ହୋଇ ନାହିଁ । ତେବେ ରାଜ୍ୟରେ ୩୦ରୁ ୪୫ ବର୍ଷ ବୟସ୍କ ପୁରୁଷ ଓ ମହିଳା ହତ୍ୟାର ସର୍ବାଧିକ ଶିକାର ହେଉଛନ୍ତି । ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବଢ଼ୁଛି । ୨୦୧୯ରେ ମହିଳାଙ୍କ ପ୍ରତି ଅପରାଧ ନେଇ ୨୩ ହଜାର ୧୮୩ଟି ମାମଲା ହୋଇଥିବା ବେଳେ ୨୦୨୧ର ଏହା ୩୧ ହଜାର ୩୫୨କୁ ବୃଦ୍ଧି ପାଇଛି ।

ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସର୍ବାଧିକ ମହିଳା ସାଇବର କ୍ରାଇମର ଶିକାର ହୋଇଛନ୍ତି । ୨୦୨୧ ମସିହାରେ ରାଜ୍ୟରେ ୫୬୫ ଜଣ ମହିଳା ସାଇବର କ୍ରାଇମର ଶିକାର ହୋଇଛନ୍ତି । ସେଥିରୁ ୩୦୧ଟି ମାମଲା ଅଶ୍ଲୀଳ ଭିଡିଓ ଭାଇରାଲ୍ ଶ୍ରେଣୀର । ଏଥିରେ ବି ସାରା ଦେଶରେ ଓଡ଼ିଶା ଶୀର୍ଷରେ ରହିଛି । ତା ଛଡ଼ା ମହିଳାଙ୍କୁ ବ୍ଲାକମେଲିଂ ନେଇ ଦେଶରେ ସର୍ବାଧିକ ୨୬୪ଟି ଅପରାଧ ମାମଲା ଓଡ଼ିଶାରେ ପଞ୍ଜିକୃତ ହୋଇଛି ।

Leave A Reply

Your email address will not be published.