Latest Odisha News

BREAKING NEWS

ମାଆ ନା ପିଶାଚିନୀ ? ପୁଅକୁ ହତ୍ୟା କରି କର୍ପୂର ଓ ଘିଅରେ ଭାଜିଲା

କୋଲକାତା: କଥାରେ ଅଛି ମାଆ ହେଉଛି ପ୍ରଥମ ଭଗବାନ । ପୁତ୍ର କିମ୍ବା କନ୍ୟାସନ୍ତାନର ପ୍ରଥମ ରକ୍ଷକ । ହେଲେ ସେହି ରକ୍ଷକ ଯଦି ସାଜେ ଭକ୍ଷକ । ତେବେ କ’ଣ କରିବେ ଆପଣ ? ମାଆ ଭଳି ପବିତ୍ର ଶବ୍ଦକୁ ଅବିଶ୍ୱାସ କରିବେ ନା ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତର୍ଜମା କରିବେ । କୋଲକାତାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ ଭଳି ଶବ୍ଦରେ ଲଗାଇଛି ବିଶ୍ୱାସଘାତକତାର ମୋହର ।

ଆଜି ସଲ୍ଟ ଲେକ୍ ଅଂଚଳରେ ନିଜ ପୁଅକୁ ହତ୍ୟା କରିବା ଅଭିଯୋଗରେ ଜଣେ ମାଆକୁ ପୋଲିସ ଗିରଫ କରିଛି । ତେବେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ପରେ ଏହା ପଛର କାରଣ ଓ ତରିକା ତଦନ୍ତକାରୀ ଟିମକୁ ବି ତାଜୁବ କରିଥିଲା ।

ଅଭିଯୁକ୍ତ ମାଆ ଗୀତା ମହେନସାରିୟା । ନିଜ ୨୫ ବର୍ଷୀୟ ପୁଅ ଅର୍ଜୁନର ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥିଲା । ପରେ ତା ଶରୀରକୁ ଘିଅ, କର୍ପୂର ଓ ବିଭିନ୍ନ ମସଲା ଦେଇ ଭାଜିଥିଲା । ଶେଷରେ ପୁଅର କଙ୍କାଳକୁ ଦୁଇ ମହଲା ଉପରେ ଥିବା ଛାତ ଉପରେ ଫିଙ୍ଗିଦେଇ ଆସିଥିଲା ।

ଏହି ଘଟଣା ବିଷୟରେ ସମ୍ପୁର୍ଣ୍ଣ ଅଜଣା ଥିବା ପୁଅର ବାପା ଅନିଲ ମହେନସାରିଆ ଥାନାରେ ନିଖୋଜ ଏତଲା ଦେଇଥିଲେ । ନିଖୋଜ ଅର୍ଜୁନର ଖୋଳତାଡ ବେଳେ ଗୁରୁବାର ଘର ଛାତ ଉପରେ ମିଳିଥିଲା ଏକ ନରକଙ୍କାଳ । କଙ୍କାଳଟି ଅର୍ଜୁନର ବୋଲି ଫରେନ୍‌ସିକ୍ ରିପୋର୍ଟରେ ଜଣାପଡିଥିଲା । ଅଧିକ ଖୋଳତାଡ ପରେ ପୋଲିସ ହାତରେ ଲାଗିଥିଲା ଏକ ବିରାଟକାୟ ଲୁହା କଢେଇ । ତା ଛଡା ଅର୍ଜୁନଙ୍କ ଘରେ ଥିବା ପୂଜା କୋଠରୀରେ ବି ଜଳାପୋଡା ଚିହ୍ନ ପୋଲିସ ମନରେ ସନ୍ଦେହ ସୃଷ୍ଟି କରିଥିଲା ।

ଏ ନେଇ ପୋଲିସ ରାଡାର୍‌କୁ ଆସିଥିଲେ ଗୀତା ମହେନସାରିଆ । ତେବେ ପୋଲିସର ନାଲି ଆଖି ଆଗରେ ସେ ବେଶି ସମୟ ତିଷ୍ଠିପାରିନଥିଲେ । ଶେଷରେ ସତ ଓଗାଳିଥିଲା ପିଶାଚିନୀ ମାଆ । ପୁଅର ଶରୀରରକୁ ପୋଡିବାବେଳେ ଗନ୍ଧକୁ ଚାପିବା ପାଇଁ ସେ ଘିଅ, କର୍ପୂର ଓ ମସଲା ବ୍ୟବହାର କରିଥିବା ପୋଲିସ ନିକଟରେ ସ୍ୱୀକାର କରିଥିଲେ ।

ତନ୍ତ୍ର ସାଧନା ପାଇଁ ଗୀତା ନିଜ ପୁଅକୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ମୃତକଙ୍କ ବାପା ଅନିଲଙ୍କ ବୟାନ ଅନୁଯାୟୀ ଗୀତାଙ୍କ ତନ୍ତ୍ର ସାଧନା ଘରେ ଆଶାନ୍ତିର ମାହୋଲ ସୃଷ୍ଟି କରିଥିଲା । ଏଥିପାଇଁ ସେ ୨୦୧୯ରେ ଘର ଛାଡି ଅଲଗା ରହୁଥିଲେ । ଏହି ସମୟରେ ଗୀତା ତନ୍ତ୍ର ସାଧନା କରି ପୁଅର ବଳି ପକାଇଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଏଭଳି ବର୍ବର କାଣ୍ଡ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇଥିଲାବେଳେ ଆଜି ଅଭିଯୁକ୍ତ ମାଆ ଗୀତାକୁ ଆଇପିସି ଧାରା ୩୦୨, ୩୬୪, ୧୨୦ଖ ଓ ୩୪ ଅନୁଯାୟୀ ପୋଲିସ ଗିରଫ କରିଛି । ଅନ୍ୟପଟେ ଅଧିକ ତଥ୍ୟ ପାଇଁ ଝିଅ ବୈଦେହୀକୁ ମଧ୍ୟ ଥାନାରେ ହାଜର ହେବାକୁ ସମନ ଜାରି ହୋଇଛି ।

Leave A Reply

Your email address will not be published.