ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଅପରାଧ । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଏନେଇ ପୋଲିସ କମିଶନରୁ ଭେଟିଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୋଲିସ କମିଶନରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ବିଶେଷ କରି ମହିଳା ନିର୍ଯ୍ୟାତନା,ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ଡକାୟତି, ରାହାଜାନୀ ଏବଂ ସାଇବର ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ପୋଲିସକୁ ଚକମା ଦେଇ ଅପରାଧୀମାନ ବିଭିନ୍ନ ଅପରାଧିକ କାର୍ଯ୍ୟ କରି ଖସି ପଳାଇବାରେ ସଫଳ ହେଉଛନ୍ତି । ଅନେକ ସମୟରେ ପୋଲିସ ଅପରାଧୀମାନଙ୍କୁ ଧରିବାରେ ବିଫଳ ହେଉଛି । ଅନେକ ଗୁରୁତ୍ୱପୂର୍ଣ୍ଣ କେସର ପୋଲିସ ତଦନ୍ତ କରୁନଥିବା ବିଜେପି ମହିଳା ମୋର୍ଚ୍ଚା କହିଛି ।
ରାଜଧାନୀରୁ ମହିଳାଙ୍କର କଟାମୁଣ୍ଡ ଉଦ୍ଧାର ହେବା ଏବଂ ଏବେ ଯାଁଳା ପୋଲିସ ଫାଣ୍ଡିରେ ଥିବା ଏକ ଗାଡିରୁ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯିବା ସମସ୍ତଙ୍କୁ ଚକିତ ଓ ଭୟଭୀତ କରିଛି । ପୋଲିସ ଫାଣ୍ଡି ଗାଡିରୁ ଉଦ୍ଧାର ହୋଇଥିବା ନର କଙ୍କାଳ କାହାର ପୋଲିସ ସ୍ପଷ୍ଟ କରିବା ସହ ଅପରାଧୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା ।
ଜଣେ ମହିଳାଙ୍କ ନର କଙ୍କାଳ କିପରି ଫାଣ୍ଡିରେ ଥିବା ଗାଡି ଭିତରକୁ ଆସିଲା? ମହିଳାଙ୍କୁ କିଏ ହତ୍ୟା କରିଛି? ମୃତ ମହିଳା ଜଣକ କିଏ? ରାଜଧାନୀରେ ଏଭଳି ଏକ ଜଘନ୍ୟ ଘଟଣା ପଛରେ କେଉଁ ବ୍ୟକ୍ତିର ହାତ ରହିଛି, ତାହା କମିଶନରେଟ ପୋଲିସ ସ୍ପଷ୍ଟ କରିବା ଦରକାର । ଥାନା ଗୁଡିକରେ ସିସିଟିଭି ଲଗାଯାଇଥିବା ବେଳେ ରାଜଧାନୀରେ ଥିବା ଫାଣ୍ଡି ଗୁଡିକରେ ସିସିଟିଭି କାହିଁକି ଲଗାଯାଇ ନାହିଁ ବୋଲି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଗତବର୍ଷ କରୋନା ମହାମାରୀ ଏବଂ ଲକଡାଉନ ଲାଗୁ ହୋଇଥିବା ବେଳେ ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ।
ପୋଲିସ ରେକର୍ଡ ଅନୁଯାୟୀ ଭୁବନେଶ୍ୱର ଓ କଟକ ସମଗ୍ର କମିଶନରେଟ ଅଞ୍ଚଳରେ ଗତବର୍ଷ ୧୩ ହଜାର ୨୯୭ଟି ଅପରାଧିକ ମାମଲା ରୁଜୁ ହୋଇଛି । ରାଜଧାନୀରେ ଗତବର୍ଷ ୪୯ଟି ହତ୍ୟାକାଣ୍ଡ ଘଟିଛି । ଯାହାକି ଗତ ୫ ବର୍ଷ ତୁଳନାରେ ସବୁଠୁ ଅଧିକ ।
୨୦୨୦ ମସିହାରେ ରାଜଧାନୀରେ ୧୧୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୯ ଅପେକ୍ଷା ୨୦୨୦ ମସିହାରେ ୩୮୮ଟି ଲୁଟ ଘଟଣା ସାମ୍ନାକୁ ଆସିଛି । ଏହି ପରିସଂଖ୍ୟାନକୁ ଦେଖିଲେ ରାଜଧାନୀ ଏବେ ଓଡିଶାର ସବୁଠୁ ବଡ କ୍ରାଇମ ସିଟି ଭାବେ ଉଭା ହୋଇଛି ।
ଅପରାଧୀଙ୍କୁ ଧରିବାରେ କମିଶନରେଟ ପୋଲିସ ତପ୍ତରତା ଦେଖାଉନାହିଁ । ମହିଳାଙ୍କ ସୁରକ୍ଷା ଦିଗରେ କମିଶନରେଟ ପୋଲିସ ଜିରୋ ଟଲେରାନ୍ସ ନିୟମ ଲାଗୁ କରିବା ସହ ରାଜଧାନୀରେ ବସବାସ କରୁଥିବା ଛାତ୍ରୀ, କର୍ମଜୀବୀ ମହିଳା, ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆଗାମୀ ଦିନରେ ଭୁବନେଶ୍ୱରକୁ ଅପରାଧ ମୁକ୍ତ ସହର କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ସଂପାଦିକା ରଶ୍ମିରେଖା ଦାସ, ପ୍ରବୀଣା ଭଞ୍ଜଦେଓ, ଇତିଶ୍ରୀ ଜେନା, ତୃପ୍ତିମୟୀ ମକଦ୍ଦମ, ସୁବାସିନୀ ପୃଷ୍ଟି, ସୁବାସିନୀ ବଳ, ସୁଚରିତା ଜେନାମଣି, ସତରୂପା ମିଶ୍ର ପ୍ରମୁଖ ସାମିଲ ଥିଲେ ।
Comments are closed.