Latest Odisha News

BREAKING NEWS

ସମାଲୋଚନା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ 

ସଦାସର୍ବଦା ପାପ ଓ ପୁଣ୍ୟର ଧାରଣା ନିର୍ଦ୍ଧାରିତ । ଆମେ କିଛି ପରୋପକାର କରି ପକାଇଲେ ନିଜକୁ ଭାଗ୍ୟବାନ ମଣୁ । ଯଦି ଅମଙ୍ଗଳ ହେଲା ଭଳି କିଛି କର୍ମ କରୁ ତାକୁ ପାପ କହୁ । ମାତ୍ର ସ୍ଥୂଳ ଦୃଷ୍ଟିରେ ଯାହା ପାପ କି ପୁଣ୍ୟ, ସୂକ୍ଷ୍ମ ଦୃଷ୍ଟିରେ ତାହା ନ ହୋଇପାରେ । ସ୍ଥୂଳ କର୍ମ ନୁହେଁ, ବରଂ ଚେତନା ହିଁ ପାପ ପୁଣ୍ୟ ନିର୍ଦ୍ଧାରଣ କରେ । ଜଣେ ରାଜା ପୂଣ୍ୟ ଅର୍ଜନ କରିବେ ବୋଲି ପ୍ରତିଦିନ କିଛି ଅନ୍ଧ ଲୋକଙ୍କୁ କ୍ଷୀର ଭାତ ଖାଇବାକୁ ଦେଉ ଥିଲେ । ଦୁର୍ଭାଗ୍ୟବଶତଃ ଦିନେ ରୋଷେୟାଟି କ୍ଷୀରକୁ ଘୋଡାଇବାକୁ ଭୁଲିଗଲେ । ସେହି ସମୟରେ କ୍ଷୀର ପିଇବାକୁ ଏକ ନାଗସାପ ଆସିଲା । ସାପଟି କ୍ଷୀର ପିଇବାରୁ ତାର ବିଷ କ୍ଷୀରରେ ମିଶିଗଲା । ବିଷାକ୍ତ କ୍ଷୀର ପାନ ଯୋଗୁଁ ଅନ୍ଧ ଲୋକମାନେ ମୃତ୍ୟୁ ବରଣ କଲେ । ରାଜା ମ୍ରିୟମାଣ ହେଲେ ଏବଂ ଏତେ ନିରୀହ ଲୋକଙ୍କ ମୃତ୍ୟୁରେ ପାପୀ ବୋଲି ଅନୁଭବ କଲେ । ତାଙ୍କ ମନରେ ଶାନ୍ତି ଆଣିବା ପାଇଁ ରାଜା ନିଜ ରାଜ୍ୟ ଛାଡି ସନ୍ୟାସୀ ହେବାକୁ ନିଷ୍ପତ୍ତି ନେଲେ । ଯାହା ଫଳରେ କି, ସେ ପାପରୁ ମୁକ୍ତି ପାଇ ପାରିବେ । ବାଟରେ ଏକ ଗ୍ରାମ ପଡିଲା । କିଛି ଲୋକ ସେହି ଗ୍ରାମର ମଝିରେ ଥିବା କୋଠଘରେ ବସିଥିଲେ ।

ରାଜା ଯାଇ ତାଙ୍କୁ ପଚାରିଲେ – ଏହି ଗ୍ରାମରେ କୌଣସି ଧାର୍ମିକ ପରିବାର ଅଛନ୍ତି କି ? ବସିଥିବା ଲୋକମାନେ କହିଲେ, ଏହି ଗାଁରେ ଦୁଇ ଭାଇ ଭଉଣୀ ଅଛନ୍ତି । ରାଜା ସେହି ଭାଇ ଓ ଭଉଣୀଙ୍କ ଘରେ ପହଞ୍ଚିଲେ। ରାତିରେ ସେମାନଙ୍କ ଘରେ ରହିଲେ । ରାଜା ସକାଳୁ ଉଠି ଦେଖିଲେ ଝିଅଟି ପୂଜାରେ ବସିଛି । ଝିଅଟିର ନିତ୍ୟକର୍ମ ଥିଲା, ଦିନ ହେବା ପୂର୍ବରୁ ପୂଜାରୁ ଉଠି ଜଳଖିଆ ପ୍ରସ୍ତୁତ କରୁଥିଲେ। କିନ୍ତୁ ସେଦିନ ଦୀର୍ଘ ସମୟ ପୂଜାରେ ଥିଲା । ଯେତେବେଳେ ଝିଅଟି ପୂଜାରୁ ଉଠିଲା, ତା’ର ଭାଇ କହିଲା ଆଜି ଏତେ ସମୟ ପୂଜାରେ ବସିଲ ? ଆମର ଅତିଥି ଜଳଖିଆ ଖାଇବା ପରେ ତାଙ୍କର ଗନ୍ତବ୍ୟ ପଥରେ ଯିବେ ? ଝିଅଟି ଉତ୍ତର ଦେଲା ଭାଇ,ଧ୍ୟାନରେ ଏକ ବିଷୟ ଜଟିଳ ଥିଲା । ଧର୍ମରାଜଙ୍କୁ ଏକ ଜଟିଳ ପରିସ୍ଥିତିରେ ନିଷ୍ପତ୍ତି ନେବାକୁ ପଡିଲା । ମୁଁ ସେହି ନିଷ୍ପତ୍ତି ଶୁଣୁଥିଲି । ଭାଇ ପଚାରିଲେ କ’ଣ ? ଜଣେ ରାଜ୍ୟର ରାଜା ଅନ୍ଧ ଲୋକଙ୍କୁ କ୍ଷୀର ଖାଇବାକୁ ଦେଉଥିଲେ। କିନ୍ତୁ କ୍ଷୀରଟି ସାପ ଦ୍ୱାରା ବିଷାକ୍ତ ହେବାରୁ ଅନ୍ଧଙ୍କର ମୃତ୍ୟୁ ହେଲା । ଏବେ ଧର୍ମରାଜ ଦ୍ୱନ୍ଦ୍ୱରେ ଅଛନ୍ତି କାହାକୁ ଦଣ୍ଡିତ କରିବେ, ଅନ୍ଧ ଲୋକଙ୍କ ମୃତ୍ୟୁର ପାପ କିଏ ନେବା ଉଚିତ୍ ? ରାଜା, ସାପ ନା ରୋଷେଇଆ ଯିଏ କ୍ଷୀରକୁ ଖୋଲା ରଖିଥିଲେ। ରାଜା ସବୁ କଥା ଶୁଣୁଥିଲେ। ନିଜ ସହ ଜଡିତ କଥା ଶୁଣି ରାଜା ଆଗ୍ରହ ପ୍ରକାଶ କଲେ । ରାଜା ଝିଅକୁ ପଚାରିଲେ ତେବେ ନିଷ୍ପତ୍ତି କ’ଣ ହେଲା ? ଝିଅଟି କହିଲା ଯେ, ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ। ଯଦି କୌଣସି ଆପତ୍ତି ନାହିଁ, ମୁଁ ଆଉ ଗୋଟିଏ ରାତି ଆପଣଙ୍କ ଘରେ ରହି ପାରିବି କି ? ଉଭୟ ଭାଇ ଭଉଣୀ ସମ୍ମତିରେ ରାଜା ଆଉ ଏକ ରାତି ରହିଲେ । କିନ୍ତୁ କୋଠଘରେ ବସିଥିବା ଲୋକମାନେ ଏହାକୁ ପସନ୍ଦ କଲେ ନାହିଁ । ଦିନସାରା ସେମାନଙ୍କ ମଧ୍ୟରେ ଆଲୋଚନା, ଗତକାଲିଠାରୁ ଆସିଥିବା ବ୍ୟକ୍ତି ଜଣକ ରାତିଟିଏ ରହିଲେ, ଭକ୍ତି ସହିତ ଧାର୍ମିକ ଗୃହ ପଚାରୁଥିଲେ । ତାଙ୍କ ଭକ୍ତିର ନାଟକଟା ଏବେ ଜଣାପଡିଗଲା ? ସେ କେବଳ ଗୋଟିଏ ରାତି ରହିଲେ ତାହା ନୁହେଁ । ଝିଅକୁ ଦେଖି ବ୍ୟକ୍ତିର ଉଦ୍ଦେଶ୍ୟ ନଷ୍ଟ ହୋଇଗଲା । ତେଣୁ ସେ ସେହି ସୁନ୍ଦରୀ ଝିଅକୁ ନେଇ ପଳାୟନ କରିବେ । ଦିନସାରା ଲୋକମାନଙ୍କର ଏହି ଚିନ୍ତା ଏବଂ ସମାଲୋଚନା ପ୍ରତ୍ୟାଲୋଚନା । ପରଦିନ ସକାଳେ ଝିଅଟି ପୁଣି ଧ୍ୟାନରେ ବସିଲା। ନିଜ ସମୟାନୁସାରେ ଧ୍ୟାନରୁ ଉଠିଲା । ରାଜା ପଚାରିଲେ: – ଝିଅ, ଅନ୍ଧ ଲୋକଙ୍କୁ ହତ୍ୟା କରିବାର ପାପ କିଏ ପାଇଲା ? ଝିଅଟି କହିଲା: – ସେହି ପାପ ଏହି କୋଠଘରେ ବସି ସମାଲୋଚନା କରୁଥିବା ଲୋକ ପାଇଲେ । ବାସ୍ତବରେ ନିନ୍ଦୁକମାନେ ହିଁ ସର୍ବଦା ଅନ୍ୟର ପାପକୁ ନିଜ ମୁଣ୍ଡରେ ବହନ କରନ୍ତି । ଏବଂ ଅନ୍ୟମାନଙ୍କ ଦ୍ୱାରା କରାଯାଇଥିବା ପାପର ଫଳ ମଧ୍ୟ ଭୋଗ କରନ୍ତି ।

ଲଳିତ ମୋହନ ମିଶ୍ର, ୯୬୯୨୭୪୦୩୬୬

Leave A Reply

Your email address will not be published.