Latest Odisha News

BREAKING NEWS

ସମ୍ପର୍କର ଶଗଡି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ମନୁଷ୍ୟ ସମ୍ପର୍କର ଶଗଡିକୁ ଛାଡି ଟଙ୍କାର ଇଞ୍ଜିନି ପଛରେ ରେ ଆଜି ଦୌଡୁଛି । ଟଙ୍କା ନରମ ଶେଯ ଦେଇପାରେ କିନ୍ତୁ ନିଦ ଦେଇପାରେନା । ଟଙ୍କା ଭୋଜନ ଦେଇପାରେ କିନ୍ତୁ ଭୋକ ଦେଇପାରେନା । ଟଙ୍କା ସୁନ୍ଦର ପୋଷାକ ଦେଇପାରେ କିନ୍ତୁ ସୁନ୍ଦରତା ଦେଇପାରେନା । ଅର୍ଥ ଭଗବାନଙ୍କର ମନ୍ଦିର ନିର୍ମାଣ
କରିପାରେ,କିନ୍ତୁ ଭଗବାନଙ୍କର ଆଶିଷ ଦେଇପାରେନା । ଆମେ ଯଦି ଏ ସବୁକୁ ଚିନ୍ତା କରିବା ତାହେଲେ ଜୀବନ ନିରର୍ଥକ । କାରଣ ଛୋଟ ବେଳେ ସମୟ ଥାଏ, ମାଧ୍ୟମ ଥାଏ, ଅର୍ଥ ନଥାଏ । ଯୁବା ବେଳେ ଅର୍ଥ ଥାଏ, ଖର୍ଚ୍ଚର ମାଧ୍ୟମ ବି ଥାଏ କିନ୍ତୁ ସମୟ ନଥାଏ । ବୃଦ୍ଧା ବେଳେ ଅର୍ଥ ଥାଏ, ଖର୍ଚ୍ଚର ମାଧ୍ୟମ ଥାଏ କିନ୍ତୁ ସମୟ ସରି ସରି ଆସୁଥାଏ, ଇଚ୍ଛା ହି ନଥାଏ ।

ମନୁଷ୍ୟ ସଂସାରକୁ ଯେତେବେଳେ ଆସିଥିଲା ଖାଲି ହାତରେ ଆସିଥିଲା । ଯେତେବେଳେ ଏ ସଂସାରରୁ ବିଦାୟ ନେବ ଖାଲି ହାତରେ ବିଦାୟ ନେବ । କିନ୍ତୁ ଗଲାବେଳେ କିଛି ପାପ ଅଧର୍ମ ଅନ୍ୟାୟ ନିନ୍ଦା ଅପନିନ୍ଦା ସାଥିରେ ନେବ । ତା’ର କାରଣ ଜୀବନ କାଳ ମଧ୍ୟରେ ସେ କେତେ ଭଲ କାମ କରିଛି ଏ ସମାଜ ପରଖେ ।
ତା’ହେଲେ ଆମେ ଜୀବନରେ ଆବଶ୍ୟକତାଠାରୁ ଅଧିକ ଜିନିଷ ବା ଅଧିକ ବସ୍ତୁ କାହିଁକି ସଂଗ୍ରହ କରୁ ?

ଆମେ କାହିଁକି ଆମ ପରିବାରକୁ ସକ୍ଷମ କରୁନାହୁଁ । ଯାହା ଦ୍ୱାରା ସେମାନେ କିଛି ସଂଗ୍ରହ କରିବେ ଜାଣିବେ ଶିଖିବେ । ଆମ ସମ୍ବଳର କୌଣସି ଆବଶ୍ୟକତା ରହିବ ନାହିଁ । ଆମେ ଯେତେ ଅଧିକ ଜିନିଷ ନିଜ ହାତରେ ବାଣ୍ଟୁ, ସେତେ ଅଧିକ ଆମର ଜୀବନ ଯାତ୍ରା ହାଲୁକା ହୋଇଯିବ । ଆମେ ଓଜନହୀନ ହୋଇଯିବା, ଏବଂ
ଆମେ ସହଜରେ ଆମର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା ।

ଥରେ ଜଣେ ସାଧୁ ତାଙ୍କର ଦୁଇଜଣ ଶିଷ୍ୟଙ୍କୁ କହିଲେ- ତୁମେ ଏଠାରୁ ପଚାଶ କୋଶ ଯିବାକୁ ପଡିବ ।
ଜଣେ ଶିଷ୍ୟକୁ ଖାଦ୍ୟ ସାମଗ୍ରୀରେ ଭର୍ତ୍ତି ଥିବା ଏକ ଅଖା ଦେଲେ ଏବଂ କହିଲେ ତୁମକୁ ବାଟରେ ଯିଏ ଭଲ ଲାଗିବ ତାକୁ ଏଥିରୁ ଖାଦ୍ୟ ପଦାର୍ଥ ଦେବ । ଆଉ ଜଣଙ୍କୁ କହିଲେ ତୁମକୁ ରାସ୍ତାରେ ଯାହା ଭଲ ଲାଗିବ ଏ ଅଖାରେ ଭର୍ତ୍ତି କରିବ । ଅଖାକୁ ନେଇ ଦୁହେଁ ଗନ୍ତବ୍ୟ ପଥରେ ବାହାରି ଗଲେ । ଯାହାର କାନ୍ଧରେ ଖାଦ୍ୟ ପଦାର୍ଥ ଥିଲା, ସେ ଚାଲିବାକୁ ସକ୍ଷମ ହେଉଥିଲା । କାରଣ ଖାଦ୍ୟ ପଦାର୍ଥ ଭରି ଅଖା ରାସ୍ତାରେ ବାଣ୍ଟି ବାଣ୍ଟି ଖାଲି ହୋଇ ଯାଉଥିଲା । ଅଖା ସହିତ ଶିଷ୍ୟ ଆରାମରେ ଚାଲି ଯାଉଥିଲା । ଆର ଶିଷ୍ୟଟି ଅଳ୍ପ ଦୂରରେ ଏକ ସୁନା ଇଟା ପାଇଲା ସେ ଏହାକୁ ଅଖା ଭିତରେ ରଖିଲେ । ଆଉ ଟିକିଏ ଆଗକୁ ରୂପା ଇଟା ପାଇଲା । ସେ ମଧ୍ୟ ଏହାକୁ ଉଠାଇଲା । ଆଉ ଟିକିଏ ଆଗକୁ ଯିବାବେଳେ ଧନରତ୍ନ ଭରି ଏକ କଳସୀ ପାଇଲା ଏବଂ ତାହାକୁ ଅଖା ଭିତରେ ଭରିବାକୁ ଲାଗିଲା । ଅଖା ର ଓଜନ ବଢିଲା । ବର୍ତ୍ତମାନ ଚାଲିବା ତାଙ୍କ ପାଇଁ କଷ୍ଟସାଧ୍ୟ ହେଲା । ବର୍ତ୍ତମାନ ତାଙ୍କ ପାଇଁ ଗୋଟିଏ ଗୋଟିଏ ପାଦ ଚାଲିବା କଷ୍ଟକର ହୋଇଗଲା । ଆମ ଜୀବନ ମଧ୍ୟ ସେହିପରି । ଦ୍ୱିତୀୟ ଶିଷ୍ୟଟି ଚାଲିବାବେଳେ ବାଟରେ ଯାହା ଯାହା ଦେଖେ ଲୋଭରେ ଉଠାଏ । ପ୍ରଥମ ଶିଷ୍ୟଟି ଅଖାରୁ ଖାଦ୍ୟ ସାମଗ୍ରୀ ଦେବା ଦ୍ୱାରା ଧୀରେ ଧୀରେ ଅଖା ର ଓଜନ କମିଗଲା ଏବଂ ଚାଲିବା ସହଜ ହୋଇଗଲା । ଭଗବାନଙ୍କ ନିକଟରେ ପହଞ୍ଚିବା ପାଇଁ ଆମର ରାସ୍ତା ସହଜ, ସରଳଏବଂ
ସୁଗମ ହେବ । ଜୀବନ ଶେଷରେ କେହି ପଚାରିବେ ନାହିଁ ଯେ ଆପଣଙ୍କର ବ୍ୟାଙ୍କ,ବାଲାନ୍ସ କେତେ? କିମ୍ବା ଆପଣଙ୍କ ପାଖରେ କେତେ ଗାଡି ଅଛି….? କେବଳ ଦୁଇଟି ପ୍ରଶ୍ନ ପଚରାଯିବ… ୧. ଆପଣଙ୍କ ସ୍ୱାସ୍ଥ୍ୟ କିପରି…? ଏବଂ ଆପଣଙ୍କ ପିଲାମାନେ କଣ କରନ୍ତି…? ତେଣୁ ଜୀବନ ଦୀପ ଯେବେ ଲିଭି ଲିଭି ଆସେ ।
ସେତେବେଳେ ଟଙ୍କାର ତେଲରେ କଣ ସେ ଆଉ ଜଳେ? ଯେତେବେଳେ ଖୋଜିବ ତାକୁ ଆଉ କ\’ଣ ସେ ସ୍ନେହ, ଶ୍ରଦ୍ଧା ଭରା ସମ୍ପର୍କ ମିଳିବ? ବା ସେ ସମ୍ପର୍କ ଗଢିବାକୁ ସମୟ ଆଉ ଥିବ?

Leave A Reply

Your email address will not be published.