Latest Odisha News

BREAKING NEWS

କୋଟିପତି ମହିଳା କିରାଣୀ ନିଲମ୍ବିତ

ନବରଙ୍ଗପୁର: ସାଧାରଣ ଜନତାଙ୍କଠାରୁ ରାଜସ୍ୱ ଭାବେ ସରକାର ଆଦାୟ କରୁଛନ୍ତି କୋଟିକୋଟି ଟଙ୍କା । ସେହି ରାଜସ୍ୱ ଟଙ୍କାକୁ ହରିଲୁଟ୍ କରି ମାଲାମାଲ୍ ହେଉଛନ୍ତି କିଛି ଅସାଧୁ ସରକାରୀ କର୍ମଚାରୀ । ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଏଭଳି ଅଭିଯୋଗ ସାରା ଓଡିଶାରେ ଚହଳ ସୃଷ୍ଟି କରିଛି ।

ଡାବୁଗାଁ ତହସିଲ ଅଫିସରେ କାର୍ଯ୍ୟରତ ମହିଳା କିରାଣୀ ଚନ୍ଦନା ମଣ୍ଡଳଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ହଜାରେ କି ଲକ୍ଷେ ନୁହେଁ ବରଂ ଚନ୍ଦନା ରାଜସ୍ୱ ଅର୍ଥରୁ ୧ କୋଟି ୨୨ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଖୋଦ ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ୍ ଥାନାରେ ଏତଲା ଦେବା ପରେ ସାମ୍ନାକୁ ଆସିଛି ଏଭଳି ବିଶ୍ୱାସଘାତକ ତଥ୍ୟ ।

ମିଳିଥିବା ରିପୋର୍ଟ ଅନୁଯାୟୀ ବିଗତ ଦିନରେ ବିଭିନ୍ନ ଧରଣର ଚଂଚକତା କରି କିରାଣୀ ଚନ୍ଦନା କୋଟିଏରୁ ଅଧିକ ଟଙ୍କା ହଡପ କରିଥିଲେ । ଏହାର ପ୍ରମାଣ ପାଇବା ପରେ ଡାବୁଗାଁ ତହସିଲଦାର ଆଇନର ସାହାରା ନେଇଛନ୍ତି । ତେବେ ଚନ୍ଦନାଙ୍କୁ ଥାନାରେ ପଚରାଉଚରା ଚାଲିଥିବାବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ପ୍ରଥମେ ଚନ୍ଦନାଙ୍କୁ ଡାବୁଗାଁ ହସପିଟାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ ତାଙ୍କୁ କୋରାପୁଟ୍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏହି ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କ ମତାମତ ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ମହିଳା କିରାଣୀ ଜଣକ ୬୩ ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ତଥ୍ୟ ସାମ୍ନାକୁ ଆସିଛି । ଟଙ୍କା ଆତ୍ମସାତ ମାମଲାରେ ଚନ୍ଦନାଙ୍କ ସହ ଆଉ କେଉଁ ବ୍ୟକ୍ତିମାନେ ସାମିଲ ଥିଲେ, ସେ ନେଇ ତଦନ୍ତ ଜାରି ରହିଥିବାବେଳେ ମହିଳା କିରାଣୀଙ୍କୁ ନିଲମ୍ବିତ କରାଯାଇଥିବା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.