Latest Odisha News

BREAKING NEWS

ଶ୍ରମିକ ଶ୍ରେଣୀର ସନ୍ଧିକ୍ଷଣ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଏକ ପରିବର୍ତିତ ପରିସ୍ଥିତିରେ ଆଜି ବଦଳିଯାଇଛି ସଂଗ୍ରାମର ସଂସ୍କୃତି, ଚଲାପଥର ଚିତ୍ରପଟ । ଆଜି ଆମ ସାମ୍ନାରେ ହସ ହସ ମୁହଁରେ ଛଦ୍ମବେଶୀ ଶତ୍ରୁ… ବନ୍ଧୁତ୍ୱର ବେଶଭୂଷାରେ ବିପଜ୍ଜନକ ବୈରୀ । ଅତୀତର ଯେଉଁ ପୁଞ୍ଜିବାଦକୁ ଆମେ ଭେଟୁଥିଲୁ ବନ୍ଧୁକର ସଙ୍ଗୀନ୍ ମୂନରେ, ସୁରକ୍ଷାବଳୟର ବ୍ୟୂହ ମଧ୍ୟରେ – ସେ ପୁଞ୍ଜିବାଦ ତା’ର ପୁରୁଣା ଚରିତ୍ର ବଦଳାଇ ସାରି, ବସିସାରିଲାଣି ଆମ ବୈଠକଖାନାର ଟେବୁଲ ଆରପଟେ । ସେ ଆମକୁ ଖତମ କରିବାକୁ ଚାହୁଁଛି ଖେଳେଇ ଖେଳେଇ, ଜଖମ କରିବାକୁ ଚାହୁଁଛି ଜବରଦସ୍ତ ! ମାତ୍ର ତା’ର ଏ ବୈରଭାବକୁ ସେ ପିନ୍ଧାଇସାରିଛି ବନ୍ଧୁତ୍ୱର ମାଖନ – ମଖା ମଖମଳ୍ଲୀ ମୁଖା ।

ବର୍ତମାନ ପୁଞ୍ଜିବାଦ ତା’ ମୁହଁରେ ପ୍ରଚାର କରୁଛି ପ୍ରଗତିବାଦର ପ୍ରଳାପ… ଧନତନ୍ତ୍ରର ଧ୍ୱଜାରେ ତାରକିତ କରାଯାଇଛି କେତେ ସ୍ମାରକିତ ସ୍ୱପ୍ନ! କୁବେରମାନେ ଦଖଲ କରିସାରିଛନ୍ତି କୁର୍ସି । ସେମାନଙ୍କ ହାତରେ ଶାସନ, ପ୍ରଶାସନ । ସେମାନଙ୍କ ଆଖିର ଇସାରାରେ ନାଚୁଛନ୍ତି ନାଗରୀ-ନମ୍ବରୀ ଫେସନ୍ ସୋ’ର ଫୁଙ୍ଗୁଳୀ ଅପସ୍ରା । ସେମାନଙ୍କ କମ୍ପାନୀର କଳାଧୂଆଁ ଆଜି ଗୋଟାପଣେ ଗିଳିଦେବାକୁ ବସିଛି ଆମ ନୀଳ ଆକାଶ ତଳର ଶ୍ୟାମଳ ପର୍ବତ, ସବୁଜ ପ୍ରାନ୍ତର, ହଳଦିଆ ହିଡମାଟି । ଖାଲି କ’ଣ ମାଟି ଆଉ ଘାଟୀ – ପରିବର୍ତିତ ପୁଞ୍ଜିବାଦ ଆଜି ତା’ର ଆସୁରିକ ଆମିଷ ଆଁ ମେଲାଇ ଚଳୁ କରିଦେବାକୁ ବସିଛି ଆମର ଜଳ, ଜମି, ଜଙ୍ଗଲ – ଖଣି – ଖାଦାନ୍ – ବାଗାନ୍‌… ସବୁକିଛି !

ଆଜିର ଏ ପୁଞ୍ଜିବାଦର ହିସାବ ଦୋରସ୍ତ ହସ କାଲି ଡାକିଆଣିବ ସର୍ବହରାର ସଂକଟ ! ବିସ୍ଥାପିତ ହେବେ ଆମ ବଂଶଧର ବର୍ଗ । ଅଧିବାସୀର ଅଧିତ୍ୟକାରେ ଆସନ୍ତାକାଲି ଗଢିଉଠିବ କେତେ କଂକ୍ରିଟ୍‌ର କୁତବ୍‌ମିନାର । ମୁନାଫା ପାଇଁ ସେମାନେ – ସେଇ ସଇତାନୀ ସଇସମାନେ ଆମ କବର ଉପରେ ଠିଆ କରାଇବେ ସେମାନଙ୍କ ଷ୍ଟିଲଘୋଡାର ଷ୍ଟାଚ୍ୟୁ! ଏଇ ଦେଖନ୍ତୁ, ପରିବର୍ତିତ ପୁଞ୍ଜିବାଦ କେମିତି ଅଇଁଠାପତ୍ରର ଅବଶିଷ୍ଟାଂଶ ପରି ମୁଠାମୁଠା ବୋନସ୍ ଫିଙ୍ଗିଚାଲିଚି ଆଜିର ଶ୍ରମିକ ଶ୍ରେଣୀ ଆଡକୁ । ଯେଉଁ ସୁନ୍ଦର ଜୀବନର ପ୍ରତିଶ୍ରୁତି ଏ ପୁଞ୍ଜିବାଦ ଶୁଣାଇଚାଲିଛି, ଜାଣନ୍ତି କି ସେ ପୁଞ୍ଜିର ପାହାଡ ତଳେ ଦିନେ ଆମର ଉତରଦାୟାଦ ଚାପିହୋଇ ଆର୍ତନାଦ କରିବାକୁ ବାଧ୍ୟ ହେବେ?

ପ୍ରଚୁର ପୁଞ୍ଜି ତଳେ ଗୁଞ୍ଜି ହୋଇରହିଚି ସଇତାନର କ୍ଷୁଧା । ସେ କ୍ଷୁଧାର ଅଜଗର ଦିନେ ବନ୍ଦୀ କରିନେବ ଆମର ବିବେକ, ବିଶ୍ୱାସ, ବିଚାର ଓ ବିଧାନ – ସବୁକିଛି । ମଣିଷର ହୃଦୟକୁ ସେ ପରିଣତ କରିଦେବ ଯନ୍ତ୍ରରେ କେବଳ ! ତା’ ମନ୍ତ୍ର ମଣିଷକୁ ମଇଁଷି, ଭେଣ୍ଡାକୁ ମେଣ୍ଢା, ପୁରୁଷକୁ ପଶୁ ଏବଂ ନାରୀକୁ ନାରକୀୟ କରିବାର ମାରାତ୍ମ ମୋଲାୟମ ମନ୍ତ୍ର । ମୁହଁରେ ହସ ସିନା, ଭିତରେ ଭୟଙ୍କର ବିଷର ଭଉଁରି ! ହୁସିଆର ! ଏ ପୁଞ୍ଜିବାଦ ଆସୁଚି ପରିବର୍ତିତ ପର୍ଯ୍ୟାୟରେ ଆତଙ୍କବାଦୀ ଆକ୍ରମଣକାରୀର ଅତୃପ୍ତି ନେଇ । ଏହା ସହିତ ସଂଗ୍ରାମ ତେଣୁ ସୁରୁ ହେବ ସ୍ୱତନ୍ତ୍ର ଶୈଳୀର ରଣନୀତିରେ ।

ସଂପ୍ରତି ପ୍ରଚଳିତ ପୁଞ୍ଜିବାଦ ବ୍ୟବସ୍ଥାରେ ଶ୍ରମିକଶ୍ରେଣୀ ଅର୍ଥନୈତିକ ସୁବିଧାବାଦର ଶିକାର ହୋଇପଡିଛନ୍ତି । ଦେଶର ସଂଖ୍ୟାଧିକ ଶ୍ରମିକନେତା ଏବେ ମାଲିକମାନଙ୍କର ସ୍ୱାର୍ଥ ପାଇଁ କାମ କରୁଛନ୍ତି ।

ସାଂପ୍ରତିକ ସମାଜବ୍ୟବସ୍ଥାରେ ଅତ୍ୟଧିକ ମୁନାଫା ଲାଳସା ପାଇଁ ଶ୍ରମଭିତିକ ଶିଳ୍ପକୁ ପୁଞ୍ଜିଭିତିକ ଶିଳ୍ପରେ ପରିଣତ କରାଯାଇଛି ଯାହା ଫଳରେ ବ୍ୟାପକ ମେସିନ୍‌, କମ୍ପ୍ୟୁଟର ପ୍ରଚଳନ ଯୋଗୁ ଶ୍ରମିକ ଛଟେଇ ଏକପ୍ରକାର ସାଧାରଣ ଘଟଣା ପାଲଟିଯାଇଛି ଓ ନୂଆନୂଆ ନିଯୁକ୍ତି ସୃଷ୍ଟି ହେବାରେ ଅନ୍ତରାୟ ସୃଷ୍ଟି ହୋଇଛି । ଶ୍ରମଜୀବୀମାନଙ୍କୁ ନ୍ୟାୟୋଚିତ ମଜୁରୀ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବାରେ ସରକାର କିମ୍ବା ଆଇନ୍‌କାନୁନ୍ କାର୍ଯ୍ୟକାରୀ ପଦକ୍ଷେପ ନେଇ ପାରୁନାହାଁନ୍ତି । ମାତ୍ର ମନେରଖିବାକୁ ପଡିବ ଯେ ଶ୍ରମମେବ ଜୟତେ ହିଁ ପ୍ରକୃତରେ ସତ୍ୟମେବ ଜୟତେ – ଶ୍ରମକୁ ସଂଭ୍ରମ ନ ଦେଲେ ସଭ୍ୟତାର ଜୟଯାତ୍ରା ହେବ ଭ୍ରମ ସଂକୁଳ । ଆସନ୍ତାକାଲିର ଅଗ୍ରଗତି ନିମନ୍ତେ ଏହା ହିଁ ଆଜିର ଆହ୍ୱାନ – ଶ୍ରମମେବ ଜୟତେ । ପୃଥିବୀର ପ୍ରତ୍ୟେକ ପ୍ରାନ୍ତ ଆଜି ଏହି ବିଜୟର ଅପେକ୍ଷାରେ ।

ଶ୍ରମ ଓ ପୁଞ୍ଜି ମଧ୍ୟରେ ବିବାଦ ଲଢେଇ ପୂର୍ବରୁ ଥିଲା ଆଜି ମଧ୍ୟ ଅଛି । ଶ୍ରମିକମାନେ ଉପଯୁକ୍ତ ମଜୁରୀ ଚାହାଁନ୍ତି । ମାଲିକମାନଙ୍କର ଅତ୍ୟଧିକ ମୁନାଫା ଦରକାର । ଏ କଥା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅପ୍ରିୟ ସତ୍ୟ । ଆଜିବି ୧ ଭାଗ ମାଲିକ ଶ୍ରେଣୀର ରାଜୁତି ବିଶ୍ୱବ୍ୟାପି ଚାଲିଛି । ବାକି ୯୯ ଭାଗ ଶ୍ରମଜୀବୀ ଏବେବି ଶୋଷିତ, ନିଷ୍ପେଷିତ, ନିର୍ଯାତିତ । ଶ୍ରମିକ ଶ୍ରେଣୀର ବିଭିନ୍ନ ଦେଶରେ କମ୍ୟୁନିଷ୍ଟ ପାର୍ଟି ଖଣ୍ଡବିଖଣ୍ଡିତ । ସର୍ବହରାର ଏକନାୟକତ୍ୱର ଲକ୍ଷ୍ୟ, ମାର୍କସ୍‌ବାଦ, ଲେନିନ୍‌ବାଦ, ମାଓବାଦକୁ କେବେଠୁ ଭୁଲିଗଲାଣି । ନୀତି ଆଦର୍ଶ ମୁହଁରେ ଯେତେ କଣ୍ଠ ଫଟାଇ ଚିତ୍କାର କଲେବି କାର୍ଯ୍ୟରେ ପେଟି ବୁର୍ଜୁଆ । ମାଲିକ ଶ୍ରେଣୀ ବିଭିନ୍ନ ଦେଶରେ ସଂକଟରେ ପଡି ଛଟପଟ ହେଉଥିଲାବେଳେ ସେମାନଙ୍କ ଦ୍ୱାରା ପାଳିତ ରାଜନୈତିକ ଦଳ ମଧ୍ୟରେ ମଧ୍ୟ ଭାଙ୍ଗଣ ଧରିଛି । ତେଣୁ ମାଲିକ ଓ ଶ୍ରମିକ ଶ୍ରେଣୀ ଦଳମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଅବ୍ୟାହତ ରହିଛି । ଏହାଦ୍ୱାରା ଶ୍ରମିକଶ୍ରେଣୀ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି ।

ପୁଞ୍ଜି ବିରୁଦ୍ଧରେ ଲଢେଇ କରି ଶ୍ରମିକ ଶ୍ରେଣୀ ଛିନ୍‌ଛତ୍ର ହୋଇପଡିଛି । ଏଇ ବିଶ୍ୱର ବିନ୍ଧାଣୀ ଶ୍ରମିକଶ୍ରେଣୀ କେବେ ତା’ର ହକ୍ ପ୍ରାପ୍ୟ ଅଧିକାର ପାଇବ? ଏଇ ଅଧିକାର ପାଇଁ ଶ୍ରମିକ ଶ୍ରେଣୀକୁ ଐକ୍ୟବଦ୍ଧ କରି ସଠିକ୍ ପଥରେ ପରିଚାଳନା କରିବା ପାଇଁ ଯେଉଁମାନେ ସ୍ୱଘୋଷିତ ଦାୟିତ୍ୱ ବହନ କରିଥିଲେ – ସେମାନେ ପାର୍ଲାମେଂଟାରୀ ମୋହରେ ପଡି ଧରାଶାୟୀ । ଯାହା ଫଳରେ ଆନ୍ଦୋଳନ ଆଉ ସେ ପୂର୍ବ ଆନ୍ଦୋଳନ ଭଳି ନାହିଁ । ସଠିକ୍ ନେତୃତ୍ୱ ଓ ଆନ୍ଦୋଳନ ବିନା ଶ୍ରମିକଶ୍ରେଣୀ ଆପଣାର ଅଧିକାର ସାବ୍ୟସ୍ତ କରିପାରୁନି । ବିଶ୍ୱର ବିଭିନ୍ନ ଦେଶରେ ଏପରିକି କିଛି କିଛି ଦେଶର ବିଭିନ୍ନ ରାଜ୍ୟରେ ଆମ ଭାରତର ପଶ୍ଚିମବଙ୍ଗ, ତ୍ରିପୁରା, କେରଳ ରାଜ୍ୟରେ କମ୍ୟୁନିଷ୍ଟମାନେ ସରକାରରେ ଥିଲେ । କିନ୍ତୁ ଶ୍ରମିକଶ୍ରେଣୀର ଯେଉଁ ପରିବର୍ତନ ହେବାର ଥିଲା ତାହା ହେଲାନି । ଏଥିପାଇଁ ଶ୍ରମିକମାନଙ୍କ ଅପେକ୍ଷା ନେତାମାନେ ବେଶି ଦାୟୀ ।

ଶ୍ରମିକମାନଙ୍କୁ ରାଜନୈତିକ ଭାବେ ସଚେତନ କରାନଯାଇ ଅର୍ଥନୈତିକ ସୁବିଧାବାଦର ଗଣ୍ଡି ଭିତରକୁ ଛାଡି ଦିଆଗଲା । ପୁଞ୍ଜିର ଚରିତ୍ର ଅହର୍ନିଶ ବଦଳି ଯାଉଥିଲାବେଳେ ଶ୍ରମର ଚରିତ୍ର ସେଇ ପୁରୁଣା ଢଙ୍ଗରେ ଚାଲିଛି । ଟ୍ରେଡ୍ ୟୁନିୟନ୍‌ମାନେ ନୂଆ ଭାବେ ଶ୍ରମିକ ଶ୍ରେଣୀକୁ ଦିଗ୍‌ଦର୍ଶନ ଦେଉନାହାଁନ୍ତି । ଯେତେ ଆନ୍ଦୋଳନ କଲେ ମଧ୍ୟ ବାସ୍ତବ ଦାବି ପୁରଣ ହେଉନି ।

ହଁ, ସଂଗ୍ରାମ-ସଂଗଠନ-ସଂକଳ୍ପ…ସବୁ ଏକ ହେବ ଆସନ୍ନ ମୁକାବିଲାର ମଇଦାନରେ । ମାତ୍ର ହେ ବନ୍ଧୁଗଣ; ଆମର ପହିଲା ନମ୍ବର ଦୁଷ୍ମନ୍ ଏଇ ସ୍ଫୀତିକୃତ ପୁଞ୍ଜିବାଦ ସହିତ ଲଢିବା ପୂର୍ବରୁ ଆମକୁ ପ୍ରଥମେ କିନ୍ତୁ ଲଢିବାକୁ ପଡିବ ଆମ ନିଜ ଭିତରର ଦ୍ୱନ୍ଦ୍ୱ, ଦ୍ୱିଧା ଓ ଦ୍ୱିଖଣ୍ଡିତ ଦର୍ଶନ ସହିତ । କାରଣ ଭବିଷ୍ୟତର ମହାସଂଗ୍ରାମ ପୂର୍ବରୁ ଆମର ପୂର୍ବପ୍ରସ୍ତୁତି ଆରମ୍ଭ ହେବ ଆମ ନିଜର ଅଟଳ ନିଷ୍ଠା ଓ ଅସଲ ଅଙ୍ଗୀକାରକୁ ସମ୍ବଳ କରି । ଆମକୁ ସଂକଳ୍ପ ନେବାକୁ ପଡିବ ନିଜ ରକ୍ତାକ୍ଷରରେ । ଆମ ଭିତରର ଭୟକୁ ଜୟ କଲେ ହିଁ ବିଜୟ ଆମର ହାତପାଆନ୍ତାରେ । ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ଆମେ ସମସ୍ତେ ହେବା କାୟୋମନୋବାକ୍ୟରେ କ୍ରାନ୍ତିକାମୀ-ଅଗ୍ରଗାମୀ !

ଆମ ଅଗ୍ରଗତିର ପଥ ଯେତେ ଦୁର୍ଗମ ହେଉପଛେ, ସେ ପଥ ହେଉ ବଜ୍ରଶପଥର ବନପଥ । ଆମ ମହାସଂଗ୍ରାମର ପାନିପଥ । ଆନ୍ଦୋଳନର ଆବର୍ତ ପରେ ଆମେ ବିପ୍ଳବର ବିଜୟ ପତାକା ଉଡାଇବା ଦଳିତ-ଶୋଷିତ-ନିଷ୍ପେଷିତର ନବନିର୍ମିତ ରାଜଧାନୀରେ । ଏଇଥିପାଇଁ ଆଜି ପ୍ରୟୋଜନ ସେଇ ପ୍ରଲୋଭନମୁକ୍ତ ଲୌହକଠିନ ଚରିତ୍ରବତା – ଅଙ୍ଗୀକାରବଦ୍ଧ ଆଗ୍ନେୟ ଆଦର୍ଶ ଏବଂ ନିଷ୍ଠାପର ନେତୃତ୍ୱର ଉଦାତ ଆହ୍ୱାନ । ଏକ ଆଦର୍ଶ ଚରିତ୍ରସଂପନ୍ନ ଅଗ୍ନିଗର୍ଭ ନେତୃତ୍ୱର ଡାକରାରେ ହିଁ ସଂଗଠନ ଡାକିଆଣିବ ସଂକଳ୍ପର ସଂସ୍କୃତି – ସଂଗ୍ରାମର ମଇଦାନ୍‌ରେ । ଆମେ ମୁକ୍ତ କରିପାରିବା ବନ୍ଦୀ ବିଶ୍ୱ – ପୁଞ୍ଜିବାଦର ମାଲିକାନା ସ୍ୱତ୍ୱ କବଳରୁ ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.