Latest Odisha News

କେନ୍ଦ୍ରାପଡ଼ାରୁ ହଟିଲା କର୍ଫ୍ୟୁ, ଜୀବନଯାତ୍ରା ସ୍ୱାଭାବିକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ବଳବତ୍ତର ରହିଥିବା କର୍ଫ୍ୟୁକୁ ସକାଳ ୬ଟା ଠାରୁ ଉଠାଇଦେଇଛନ୍ତି । ଏହାଫଳରେ ସହରରେ ଜୀବନଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରିଥିବା ବେଳେ ସହରରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ତେବେ କେତେକ ସମ୍ବେଦନଶୀଳ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୧୪୪ ଧାରା ଜାରି ରହିଥିବାର ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁରୁବାର ଦିନ ସକାଳଠାରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଆନ୍ଦୋଳକାରୀମାନେ ପିକେଟିଂ କରିବା ସହିତ ସହରର ଅଧିକାଂଶ ରାସ୍ତାକୁ ଅବରୋଧ କରି ରାସ୍ତା ଉପରେ ଟାୟାର ଜାଳି ପଥ ଅବରୋଧ କରିଥିଲେ । କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିଲା । ମାତ୍ର ପରିସ୍ଥିତିକୁ ନିରୀକ୍ଷଣ କରି ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲା ।

ସହର ମଧ୍ୟରେ ଥିବା ସରକାରୀ ହାଇସ୍କୁଲ ପରିସର ମଧ୍ୟରେ ଏକ ସମ୍ପ୍ରଦାୟ ପକ୍ଷରୁ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳନ କରିବାକୁ ଚାହୁଁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇନଥିଲା । ତେବେ ବୁଧବାର ଦିନ ଅନ୍ୟ ଏକ ସମ୍ପ୍ରଦାୟ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରିବାକୁ ଏକ ସଭା ଆୟୋଜନ କରିଥିବା ବେଳେ ଏହାକୁ ଅନ୍ୟ ସମ୍ପ୍ରଦାୟର କିଛି ବ୍ୟକ୍ତି ପ୍ରତିରୋଧ କରିଥିଲେ ।

ବୁଧବାର ଦିନ ସରକାରୀ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିବା ସଭାକୁ ବିରୋଧ କରିବାକୁ ଏକ ଗୋଷ୍ଠୀ ପକ୍ଷରୁ କିଛି ବ୍ୟକ୍ତି ସଭାସ୍ଥଳକୁ ଆସିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଆଇନ ଶୃଙ୍ଖଳା ଭଙ୍ଗ ହେବା ଆଶଙ୍କା କରି ପୋଲିସ ବିକ୍ଷୋଭକାରୀଙ୍କୁ ଘଟଣାସ୍ଥଳରୁ ବାହାର କରିଦେଇଥିଲେ । ପରେ ଜିଲ୍ଲା ପ୍ରଶାସନ ସଭାକୁ ବନ୍ଦ କରିଦେବାକୁ ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.