Latest Odisha News

BREAKING NEWS

କଟକ ବାଲିଯାତ୍ରା ଅବଧି ୧୧ ଦିନକୁ ବୃଦ୍ଧି ହେଲା

କଟକ: ଓଡ଼ିଶାର ସବୁଠୁ ବଡ଼ ବାଣିଜ୍ୟମେଳା ‘ବାଲିଯାତ୍ରା’ର ଅବଧି ୧୧ଦିନକୁ ବୃଦ୍ଧି ପାଇଛି । କଟକ ଗଡ଼ଗଡ଼ିଆ ଘାଟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରସିଦ୍ଧ ବାଲିଯାତ୍ରା ଏବର୍ଷ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ସାଧାରଣତଃ ଏହି ଐତିହାସିକ ବାଲିଯାତ୍ରା ଉତ୍ସବ ଓ ମେଳା ପ୍ରତିବର୍ଷ ୭ ଦିନ ଧରି ଅନୁଷ୍ଠିତ ହୋଇଥାଏ ।

ଏହି ଐତିହାସିକ ବାଲିଯାତ୍ରା ବାଣିଜ୍ୟମେଳା ଲାଗି ଜିଲ୍ଲା ପ୍ରଶାସନ ଏଥିଲାଗି ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୭ ଦିନ ବ୍ୟତୀତ ଏହି ଅଧିକ ଅଧିକ ୪ଦିନରେ ଏଠାକୁ ଆସୁଥିବା ପରିଦର୍ଶକମାନେ ଘୋଡ଼ା ଉପରେ ଚଢିବାର ଆନନ୍ଦ ନେବା ସହିତ ବୋଟିଂ ପରି କାର୍ଯ୍ୟକ୍ରମର ମଜ୍ଜା ଉଠାଇପାରିବେ । ଏବର୍ଷ ଏହି ଅଧିକ ୪ ଦିନରେ ଓଲିଉଡ଼ ଏବଂ ବଲିଉଡ଼ ତାରକାଙ୍କର ଆକର୍ଷଣୀୟ ଷ୍ଟାରନାଇଟ୍ ଉପଭୋଗ କରିପାରିବେ ।

ଏଥିଲାଗି ବାଲିଯାତ୍ରା ପଡ଼ିଆରେ ମଙ୍ଗଳବାର ଠାରୁ ଷ୍ଟଲ୍ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି ।

କଟକ ସଦର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ ଶତପଥୀ କହିଛନ୍ତି, “ଆଜି ଆମେ ଭୂମିପୂଜା କରିବୁ । ଏବର୍ଷ ସମୁଦାୟ ୯୫୦ଟି ଷ୍ଟଲ୍ ବସିବାର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ଓରମାସ ପକ୍ଷରୁ ପ୍ରାୟ ୩୦୦ଟି ଷ୍ଟଲ୍ ବସିବାର ସ୍ଥିର ହୋଇଛି ।”

‘ବାଲିଯାତ୍ରା ଟ୍ରେଡ଼ର୍ସ ଆସୋସିଏସନ’ ସମ୍ପାଦକ ସୁକାନ୍ତ ମହାନ୍ତିି କହିଛନ୍ତି, “ଗତବର୍ଷ, ଦରବୃଦ୍ଧି ଯୋଗୁଁ ଆମେ ବିରୋଧ କରିଥିଲୁ, ଫଳସ୍ୱରୂପ ମାତ୍ର ୨ଟଙ୍କା ବୃଦ୍ଧି ହୋଇଥିଲା । ଜିଲ୍ଲାପାଳ ଆମକୁ ପ୍ରତିଶୃତି ଦେଇଛନ୍ତି, ୩ବର୍ଷରେ ଥରେ ହିଁ ଏହି ଦର ବୃଦ୍ଧି ହେବ । ଏବର୍ଷ ଜଣେ ନୂଆ ଜିଲ୍ଲାପାଳ ଦାୟିତ୍ୱ ନେଇଛନ୍ତି ଏବଂ ଏଥର ମଧ୍ୟ ଜିଲ୍ଲା ପ୍ରସାଶନ ଦର ବୃଦ୍ଧି କରିଛନ୍ତି ।”

Leave A Reply

Your email address will not be published.