Latest Odisha News

BREAKING NEWS

ପ୍ଲାଷ୍ଟିକ ମୁକ୍ତ ହେବ ଐତିହାସିକ କଟକ ବାଲିଯାତ୍ରା

କଟକ: ଐତିହାସିକ କଟକ ବାଲିଯାତ୍ରା-୨୦୨୬କୁ ସମ୍ପୂର୍ଣ୍ଣ ‘ପ୍ଲାଷ୍ଟିକ ମୁକ୍ତ ଏବଂ ଗ୍ରୀନ୍ ବାଲିଯାତ୍ରା’ ଭାବେ ଆୟୋଜନ କରିବାକୁ ଓଡ଼ିଶା ସରକାର ଓ କଟକ ଜିଲ୍ଲା ପ୍ରଶାସନ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରଖିବା ଉଦ୍ଦେଶ୍ୟରେ ଏଥର ମେଳା ପରିସରରେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ବ୍ୟବସାୟୀ ଏବଂ ଖାଦ୍ୟ ଷ୍ଟଲ୍ ମାଲିକମାନଙ୍କୁ ପ୍ଲାଷ୍ଟିକ ବଦଳରେ ଶାଳପତ୍ର ଖଲି-ଦନା ଏବଂ କାଗଜ ବ୍ୟାଗ୍ ବ୍ୟବହାର କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଓଡ଼ିଶା ରୁରାଲ ଡେଭେଲପ୍ମେଣ୍ଟ ଆଣ୍ଡ ମାର୍କେଟିଙ୍ଗ ସୋସାଇଟି (ଓରମାସ୍) ତରଫରୁ ୫୦୦ଟି ଷ୍ଟଲ୍ କରାଯିବ। ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବାଲିଯାତ୍ରା ପଡ଼ିଆର ପ୍ରମୁଖ ସ୍ଥାନମାନଙ୍କରେ ପ୍ରଦର୍ଶିତ କରାଯିବ। ସେହିପରି ରାଜ୍ୟ ପୁସ୍ତକ ମହୋତ୍ସବରେ କପିଳେନ୍ଦ୍ର ଦେବଙ୍କ ଜୀବନୀ, ବନ୍ଦେ ମାତରମ୍ ଓ ଜ୍ଞାନଭାରତମ୍ ଥିମ୍କୁ ନେଇ ନିର୍ମାଣ ହେବ ପାଭିଲିୟନ। ଅନ୍ୟପଟେ ଓଡ଼ିଶା ସରକାରଙ୍କ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବାଲିଯାତ୍ରାକୁ ପରିବେଶ ଅନୁକୂଳ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ପ୍ଲାଷ୍ଟିକର ଅପବ୍ୟବହାର ରୋକିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କଟକ ମହାନଗର ନିଗମ (CMC) ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।

ସରକାର ଏହି ବର୍ଷ ବାଲିଯାତ୍ରାର ସଫଳ ଓ ସ୍ୱଚ୍ଛ ଆୟୋଜନ ପାଇଁ ₹୧୦ କୋଟିର ଆର୍ଥିକ ଅନୁଦାନ ପ୍ରସ୍ତାବ ଦେଇଛନ୍ତି। ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ। ପ୍ରଶାସନ ପକ୍ଷରୁ ଏହାକୁ ସଫଳ କରିବା ପାଇଁ ସାଧାରଣ ଜନତା ଏବଂ ବ୍ୟବସାୟୀମାନଙ୍କ ସହଯୋଗ ଲୋଡ଼ାଯାଇଛି। ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ମଞ୍ଚ ରହିବ। ବାଲି ଦେଶରୁ ଏକ ପ୍ରତିନିଧି ମଣ୍ଡଳୀ ଚଳିତ ବର୍ଷ ବାଲିଯାତ୍ରାକୁ ଆସିବାର ମଧ୍ୟ ଯୋଜନା ରହିଛି। ଏଥିସହ କଟକ-ଇନ୍-କଟକରେ ବାଲି ଓ ପ୍ରାଚୀନ କଳିଙ୍ଗ ରାଜ୍ୟ ମଧ୍ୟରେ ରହିଥିବା ସାଂସ୍କୃତିକ ସାମଞ୍ଜସ୍ୟକୁ ପ୍ରଦର୍ଶିତ କରାଯିବ। ବାଲି ଓ କଳିଙ୍ଗ ମଧ୍ୟରେ ରହିଥିବା ଭାଷା, ଖାଦ୍ୟ, ବସ୍ତ୍ର, ତାଳପତ୍ର ଓ ଲୋଣ୍ଟାର (Bali’s traditional palm leaf manuscript) ମଧ୍ୟରେ ରହିଥିବା ସାମଞ୍ଜସ୍ୟକୁ କଟକ-ଇନ୍-କଟକ ପାଭିଲିୟନରେ ପ୍ରଦର୍ଶିତ କରାଯିବା ସହ ଏକ ଡିଜିଟାଲ ଇନ୍ଫରମେସନ୍ ୱାଲ୍ ମଧ୍ୟ ରହିବ ବୋଲି ଜଣାପଡିଛି ।

 

Leave A Reply

Your email address will not be published.