Latest Odisha News

BREAKING NEWS

ବିଜେଡି ଛାଡିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

କଟକ: ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ରହିଛନ୍ତି । ଇସ୍ତଫା ନେଇ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ସାଂସଦ ଭର୍ତ୍ତୃହରି । ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛି ବୋଲି କହିଛନ୍ତି ଭର୍ତ୍ତୃହରି ।

ପ୍ରେସମିଟ କରି ଇସ୍ତଫା କାହିଁକି ଦେଲେ ବୋଲି ଖୋଲା ଖୋଲି ଭାବେ କହିଛନ୍ତି ଭର୍ତ୍ତୃହରି ମହତାବ । ସେ କହିଛନ୍ତି ଯେ, ଦଳରେ ଥିବା ବେଳେ ବହୁତ କିଛି ସହିଛି । କିନ୍ତୁ ଧୈର୍ଯ୍ୟର ଗୋଟିଏ ସୀମା ଥାଏ । ଧୈର୍ଯ୍ୟ ସୀମା ଟପିଲା ତେଣୁ ବାଧ୍ୟ ହୋଇ ଦଳ ଛାଡିଲି । ଦୁର୍ନୀତି, ବ୍ୟକ୍ତିଗତ ସଂପତ୍ତି ଆହରଣ ବିରୋଧରେ ଲଢ଼ିବାକୁ ବିଜେଡି ସୃଷ୍ଟି ହୋଇଛି ବୋଲି କହିଛନ୍ତି ଭର୍ତ୍ତୃହରି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳର ସଂଚାଳନ, ପରିଚାଳନାରେ ସଂଶୋଧନ ପାଇଁ ସବୁବେଳେ ଉଦ୍ୟମ କରିଛି । ଧୈର୍ଯ୍ୟର ସହ ସବୁକିଛି ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି । ମୋ ନିଷ୍ପତ୍ତି କଠୋର ହୋଇପାରେ ସତ କିନ୍ତୁ ଏଇ ନିଷ୍ପତ୍ତି ନେଇ ମୋତେ ଆଜି ହାଲୁକା ଲାଗୁଛି । ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି ତେଣୁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।

ସୂଚନାଯୋଗ୍ୟ ଯେ, ୨୦୧୧ ଜାନୁୟାରୀ ୨୩ ତାରିଖରେ ନେତାଜୀ ଜୟନ୍ତୀରେ ଓଡ଼ିଆବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମରେ ଜଣେ ପୋଲିସ ଏସ୍‌ଆଇଙ୍କୁ ମାଡ଼ ଅଭିଯୋଗ ନେଇ ଏମ୍‌ପି ଭର୍ତ୍ତୃହରି ମହତାବ ବିରୋଧରେ ରୁଜୁ ମାମଲାରେ ଗତକାଲି କୋର୍ଟରେ ଚାର୍ଜଫ୍ରେମ ହୋଇଛି । ଅଭିଯୋଗକାରୀ ଏସ୍‌ଆଇ ଜଣକ ହେଲେ ଅମିତାଭ ମହାପାତ୍ର । ସେତେବେଳେ ସେ ମଙ୍ଗଳାବାଗ ଥାନାରେ ଏସ୍‌ଆଇ ଥିବା ବେଳେ ଏବେ କମିସନରେଟ ପୋଲିସରେ ଏସିପି ଭାବେ କାର୍ଯ୍ୟରତ ଅଛନ୍ତି । ଭର୍ତ୍ତୃହରିଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୫୩ ଓ ୫୦୬ ଲାଗୁ କରାଯାଇଛି ।

 

Leave A Reply

Your email address will not be published.