ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏବେ ଜଳବନ୍ଦୀ ହୋଇ ରହିଛି । ଏଭଳି ସ୍ଥିତିରେ ଫସିରହିଥିବା ୩୦୦ ଜଣଙ୍କୁ ଏୟାରଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ନେବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୨୦ ଜଣଙ୍କୁ ଏୟାରଲିଫ୍ଟ କରାଯିବ। ପରେ ଅନ୍ୟମାନଙ୍କୁ ଏୟାରଲିଫ୍ଟ କରାଯିବ। ଏଥିପାଇଁ ଗୃହ ମନ୍ତ୍ରାଳୟ ସହ ରାଜ୍ୟ ସରକାର କଥା ହୋଇଛନ୍ତି। କୋଷ୍ଟଗାର୍ଡ଼ ହେଲିକପ୍ଟରରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଅଧିକ ବର୍ଷା ହୋଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଫୋକସ୍ କରାଯାଉଛି ।
ଲଗାଣ ବର୍ଷାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଞ୍ଚଳର ରେଳବ୍ରିଜ୍ ଉପରେ ପାଣି ଚାଲୁଥିବାରୁ ଟ୍ରେନ ଅଟକି ରହିଛି। ଏନେଇ ରେଲୱେ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ସ୍ଥାନୀୟ ପ୍ରଶାସନ ସହ ମଧ୍ୟ ଆଲୋଚନା କରାଯାଇଛି । ଯେଉଁ ଯାତ୍ରୀଙ୍କ ପାଇଁ ସଡ଼କ ପଥରେ ଯାତାୟାତ ସମ୍ଭବ ସେମାନଙ୍କୁ ବସ୍ କିମ୍ବା ଅନ୍ୟାନ୍ୟ ଯାନ ଯୋଗେ ପଠାଇବାର ବ୍ୟବସ୍ଥା କରାଯିବ । ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କୁ ମଧ୍ୟ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ର ୨୯୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ମୋଟ ୪୪ ହଜାର ୫୦୦ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୨ ହଜାର ଲୋକ ଜଳବନ୍ଦୀରେ ଅଛନ୍ତି ।
ଗଞ୍ଜାମ ପାତ୍ରପୁରରେ ସର୍ବାଧିକ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ପାତ୍ରପୁରରେ ସର୍ବାଧିକ ୫୪୬ ମିମି ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଜି. ଉଦୟଗିରିରେ ୪୬୨.୪ ମିମି, ସାନଖେମୁଣ୍ଡିରେ ୩୮୮ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ରାଇକିଆରେ ୩୮୪.୮ ମିମି, ସୋରଡ଼ାରେ ୩୭୫ ମିମି ଓ ଚିକିଟିରେ ୩୦୯.୨ ମିମି ବର୍ଷା ରେକର୍ଡ଼ ହୋଇଛି ।

