Latest Odisha News

ଦୁର୍ବଳ ହେଉଛି ବାତ୍ୟା ଅସାନି : ପ୍ରଭାବରେ ପାରାଦୀପରେ କୂଳ ଲଙ୍ଘୁଛି ସମୁଦ୍ର

ପାରାଦୀପ: ଦୁର୍ବଳ ହେଲା ବାତ୍ୟା ‘ଅସାନି’ । ଆଜି ସନ୍ଧ୍ୟାରେ ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଅସାନି’ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରେ ବାତ୍ୟା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତି କରିବା ସମୟରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ହୋଇପାରେ ।

ସେପଟେ ବାତ୍ୟା ଅସାନୀ ପ୍ରଭାବରେ ପ୍ରଭାବିତ ହେବାରେ ଲାଗିଛନ୍ତି ସମୁଦ୍ରକୂଳିଆ ଲୋକେ । ସମୂଦ୍ର ଏବେ କୂଳ ଲଂଘିବାରେ ଲାଗିଛି ।   ପାରାଦୀପରେ ୬ ମିଟରରୁ ଉଚ୍ଚ ଜୁଆର ଉଠିବାରେ ଲାଗିଛି । ପାଖାପାଖି ୨୫ ମିଟର ମାଡ଼ି ଆସିଲାଣି ସମୁଦ୍ର । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ବନ୍ଦର ନଗରୀ ପାରାଦୀପ ବାସିନ୍ଦା । ସମୁଦ୍ରର ଏଭଳି ଭୟଙ୍କର ଦୃଶ୍ୟ ଖାଲି ପାରାଦୀପ ନୁହେଁ, ବାଲିକୁଦା ଓ ଏରସମା ବ୍ଲକର ସମୁଦ୍ର କୂଳରେ ମଧ୍ୟ ଦେଖିବାକୁ ମିଳିଛି ।

ମହାବାତ୍ୟାରେ ମଧ୍ୟ ଏଭଳି ଲହଡ଼ି କେବେ ଦେଖି ନ ଥିଲେ ଲୋକେ । ଯାହାକୁ ନେଇ ଲୋକମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଅସାନିର ପ୍ରଭାବରେ ପାରାଦୀପ କିମ୍ବା ଆଖପାଖ ଅଞ୍ଚଳରେ ବର୍ଷା କିମ୍ବା ପବନ ହୋଇ ନ ଥିବା ବେଳେ ସମୁଦ୍ର କିନ୍ତୁ ଅଶାନ୍ତ ରହିଛି ।

Leave A Reply

Your email address will not be published.