Latest Odisha News

ମନରୁ ଲିଭିନି ‘ଫନୀ’ର ଭୟଙ୍କର ଦୃଶ୍ୟ; ପଲିିଥିନ୍ ତଳୁ ପୁଣି ଏକ ବାତ୍ୟାର ଆତଙ୍କରେ ଆତଙ୍କିତ ପୁରୀ ବାସିନ୍ଦା !

ପୁରୀ: ଚଳିତ ବର୍ଷ ମେ’ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାର ୧୪ଟି ଜିଲ୍ଲାରେ ଯେଉଁ ତାଣ୍ଡବଲୀଳା ରଚିଯାଇଛି ତାହାର ଚିହ୍ନ ଏବେ ମଧ୍ୟ ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ଯେଉଁ ୧୪ଟି ଜିଲ୍ଲାରେ ଫନୀ ବାତ୍ୟା ଭୟଙ୍କର ତାଣ୍ଡବ ରଚିଥିଲା ଯେହି ଜିଲ୍ଲାଗୁଡ଼ିକ ହେଲା ଯଥାକ୍ରମେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀ ଜିଲ୍ଲା । ମାତ୍ର ସବୁଠାରୁ ଅଧିକମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା । ପୁରୀ ଜିଲ୍ଲାର ପୁରୀ ସହର ବାତ୍ୟା ମାଡ଼ରେ ଛିନ୍ ଭିନ୍ନ ହୋଇଯାଇଥିଲା । ପୁରୀ ସହରର ସୁନ୍ଦର ନକସା ବଦଳିଯାଇ ବିପର୍ଯ୍ୟସ୍ତ ହୋଇଯାଇଥିଲା ।

ପୁରୀରେ ଫନୀ ବାତ୍ୟା ପରବର୍ତ୍ତୀ ଅବସ୍ଥା ଦେଖିବାପରେ ଲାଗୁଥିଲା ଫନୀର ତାଣ୍ଡବଲୀଳା ୯୯ ମହାବାତ୍ୟାଠାରୁ ବଳି ଯାଇଛି । କିଛି ଘଣ୍ଟାର ଭୟଙ୍କର ବାତ୍ୟା ତା’ର ଉଗ୍ରରୂପ ଦେଖାଇବାପରେ ପୁରୀ ସହର ସମେତ ଜିଲ୍ଲାର ଅଧିକାଂଶ ବ୍ଲକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିଲା ।

ପ୍ରକୃତରେ ଫନୀ ବାତ୍ୟା ପ୍ରପୀଡ଼ିତ ପୁରୀ ବାସିନ୍ଦା ସେଦିନର କଥା ମନେ ପକାଇ କହନ୍ତି ଯେ, ୯୯ ମସିହା ମହାବାତ୍ୟାଠାରୁ ପୁରୀ ପରିସ୍ଥିତି ଯେତିକି ଭୟାନକ ଥିଲା ସେତିକି ମାତ୍ରାରେ ଥିଲା ହୃଦୟ ବିଦାରକ । ଶ୍ରୀକ୍ଷେତ୍ର ପୁୁରୀର ବଡ଼ଦାଣ୍ଡ ମଧ୍ୟ ଫନୀ ବାତ୍ୟାର ପ୍ରକୋପରୁ ବାଦ୍ ପଡ଼ିନଥିଲା । ଏକର ଏକର ଚାଷଜମିରେ କୋଟି କୋଟି ଟଙ୍କାର ଫସଲ ନଷ୍ଟ ହେବା ସହିତ ଘରଦ୍ୱାର ଭୁଷୁଡ଼ି ଉଜୁଡ଼ି ଯାଇଥିଲା । ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ, ଗୋପ, ସାକ୍ଷୀଗୋପାଳ, ବ୍ରହ୍ମଗିରି, ପୁରୀ ସଦର ତଥା କୃଷ୍ଣପ୍ରସାଦ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ନଡ଼ିଆଗଛ ସମ୍ପୂର୍ଣ୍ଣମାତ୍ରାରେ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା ।

ପୁରୀରେ ଫନୀ ବାତ୍ୟା ଏଇମାତ୍ର ୫ମାସ ପୂର୍ବରୁ ଘଟିଥିବା ବେଳେ ଏବେ ପୁଣି ଏକ ବାତ୍ୟାର ଆଶଙ୍କାରେ ଆତଙ୍କିତ ହୋଇପଡ଼ିଛନ୍ତି ପୁରୀ ବାସିନ୍ଦା । ପୁରୀ ଜିଲ୍ଲାର ଅଧିକାଂଶ ପ୍ରପୀଡ଼ିତଙ୍କ ଲାଗି ବାତ୍ୟା ବୁଲବୁଲ୍ ଏବେ ଅଭିଶପ୍ତ ହୋଇପଡ଼ିଛି । ପୁରୀ ନୋଳିଆସାହିରେ ଅଧିକାଂଶ ଘର ଫନୀ ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଖୋଲା ଆକାଶ ତଳେ ୩ ଦିନ ରହିବାପରେ ପଲିଥିନ୍ ହିଁ ଛାତର ସାହାରା ପାଲଟିଥିଲା । ଏବେବି କିଛି ବ୍ୟକ୍ତି ଫନୀ ବାତ୍ୟା ଯୋଗୁଁ ପଲିଥିନ୍ ତଳେ ରହିଥିବା ବେଳେ ଆଜି ବୁଲବୁଲ୍ ବାତ୍ୟା ଆତଙ୍କ ଯୋଗୁଁ ଅଧିକ ମାତ୍ରାରେ ଆତଙ୍କିତ ହୋଇପଡ଼ିଛନ୍ତି ହଜାର ହଜାର ଜନସାଧାରଣ ।

ବାତ୍ୟା ‘ବୁଲବୁଲ’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରୀ ଜିଲ୍ଲା ସମେତ ସମୁଦାୟ ୯ଟି ଜିଲ୍ଲାରେ ବାତ୍ୟା ପୂର୍ବବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଛନ୍ତି । ପୁରୀଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ଓଡ୍ରାଫ ଏବଂ ଏନଡ଼ିଆରଏଫ ଟିମ୍ ପହଞ୍ଚିଗଲେଣି । ଅନେକ ସ୍ଥାନରେ ମୋଟର ବୋଟଗୁଡ଼ିକୁ ବାତ୍ୟା ପରିସ୍ଥିତିରେ ଉପଯୋଗ କରିବା ଲାଗି ପ୍ରସ୍ତୁତ ରଖାଯାଇଛି ।

ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ୯ ତାରିଖ ଦିନ ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ ଆଦି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ହୋଇଥିଲା। ବର୍ଷା ଓ ପବନର ଗତି ଲକ୍ଷ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ୮ ତାରିଖ ଦିନ ସ୍କୁଲ ବନ୍ଦ ରହିଛି ।

ଇତି ମଧ୍ୟରେ ପ୍ରଭାବିତ ହେବାକୁ ଥିବା ୯ଟି ଜିଲ୍ଲାକୁ ୨ଟି ଲେଖାଏଁ ଓଡ୍ରାଫ ଓ ଗୋଟିଏ ଲେଖାଏଁ ଏନ.ଡି.ଆର.ଏଫ. ଟିମ ପଠାଯାଇଛି । ଏସବୁ ଜିଲ୍ଲାର ଅଗ୍ନିଶମ ସେବା ସଂସ୍ଥା ୟୁନିଟ ମାନଙ୍କୁ ମଧ୍ୟ ସଜାଗ ରଖାଯାଇଛି । ପବନ ପରେ ଗଛ ଭାଙ୍ଗି ଯିବାର ଆଶଙ୍କା ଥିବାରୁ ରାସ୍ତାଘାଟ ସଫା କରିବା ପାଇଁ ସମସ୍ତ ଯନ୍ତ୍ରପାତି ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଲୋଚନାରୁ ଜଣାପଡିଛି ଯେ ପ୍ରଭାବିତ ହେବାକୁ ଜିଲ୍ଲା ମାନଙ୍କରେ ଶୁକ୍ରବାର ସନ୍ଧ୍ୟାରୁ ପବନର ବେଗ ଘଣ୍ଟାକୁ ୫୫ ରୁ ୬୫ କିମି ପର୍ଯ୍ୟନ୍ତ ରହିବ । ଏହା ଧୀରେଧୀରେ ବୃଦ୍ଧି ପାଇ ଶନିବାର ସନ୍ଧ୍ୟା ବେଳକୁ ୯୦ କିମିରେ ପହଞ୍ଚିବ । ରବିବାରକୁ ପବନର ବେଗ କମିଯିବ ।

ସେହିପରି ଆଜିଠାରୁ ପୁରୀ, କେନ୍ଦ୍ରାପଡା ଓ ଯାଜପୁର ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଥିବା ବେଳେ, ଧୀରେଧୀରେ ଏହା ଅନ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ବ୍ୟାପିବ ଏବଂ ବର୍ଷାର ତୀବ୍ରତା ମଧ୍ୟ ବୃଦ୍ଧି ପାଇବ । ଶନିବାର ଦିନ କେତେକ ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ଧୀବର ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।

ତେବେ ଯାହାବି ହେଉ, ପୁରୀ ବାସିନ୍ଦାଙ୍କ ସମେତ ସମଗ୍ର ପୁରୀ ଜିଲ୍ଲାର ଜନସାଧାରଣଙ୍କ ମନରେ ଏବେ ଛନକା ପଶିଛି । ବାତ୍ୟା ବୁଲୁବୁଲ୍ ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି । ଓଡ଼ିଶାରେ ଏହି ବାତ୍ୟାର ପ୍ରଭାବ ସେମିତି ରହିବାର ସମ୍ଭାବନା ନ’ରହିଲେ ମଧ୍ୟ କିଛିଦିନ ପୂର୍ବରୁ ଫନୀ ବାତ୍ୟାର ହୃଦୟ ବିଦାରକ ତଥା ଭୟାନକ ଅନୁଭବ ପୁରୀ ବାସିନ୍ଦାଙ୍କୁ ଚିନ୍ତାରେ ପକାଇଦେବା ସ୍ୱାଭାବିକ ନୁହେଁ କି !

Leave A Reply

Your email address will not be published.