Latest Odisha News

BREAKING NEWS

ବାତ୍ୟା ପରର ଭୁବନେଶ୍ୱର: ସରସ ସୁନ୍ଦର ସହର ଏବେ ଛାରଖାର…

ଭୁବନେଶ୍ୱର: କିଛି ଘଣ୍ଟାର ତାଣ୍ଡବ ଲୀଳା ରଚିଥିଲା ଭୟଙ୍କର ବାତ୍ୟା ଫନି । ମାତ୍ର କେହି ବି ଭାବି ନଥିଲେ ଏହି ବାତ୍ୟାର ପ୍ରକୋପ ଯେ ଏପରି ବିଭତ୍ସ ଏବଂ ଭୟଙ୍କର ହେବ ବୋଲି । ସର୍ବାଧିକ ଘଣ୍ଟା ପ୍ରତି ୧୫୦ ରୁ ୧୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିଲା, ମାତ୍ର ଏବେ କେହି କେହି କହୁଛନ୍ତି ରାଜଧାନୀରେ ପବନର ବେଗ କାଳେ ୨୪୦ ପାଖାପାଖି ରହିଥିଲା । ବାତ୍ୟା ଅନୁଭୁତ ହେଉଥିବା ସମୟରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ଯେତିକି ମାତ୍ରାରେ ମର୍ମନ୍ତୁଦ ଥିଲା ତାହାଠୁ ଅଧିକ ହୃଦୟ ବିଦାରକ ହୋଇଯାଇଛି ବାତ୍ୟା ପରର ପରିସ୍ଥିତି ।

ଯେମିତି କି ସ୍ମାର୍ଟସିଟି ଭୁବନେଶ୍ୱର ଏବେ ପାଲଟିଯାଇଛି ସ୍ମାସ୍ ସିଟି । ସୁନ୍ଦର ରାଜଧାନୀର କଳେବର ଏବେ ଭୟାନକ । ଲାଗୁଛି ଏହା ସେହି ଭୁବନେଶ୍ୱର ସହର ନୁହେଁ, ବରଂ ରାଜଧାନୀ ଏବେ ଏହାର ବାସିନ୍ଦାଙ୍କ ଲାଗି ଆଣିଦେଇଛି କିଛି ଅକୁହା ଦୁଃଖ, କୋହଭରା କାହାଣୀ ଏବଂ କିଛି ସ୍ଥାନର ହୃଦୟକୁ ଥରାଇ ଦେବାର ପରି ଯନ୍ତ୍ରଣାସିକ୍ତ ଦୃଶ୍ୟ । ପ୍ରକୃତରେ ଭୁବନେଶ୍ୱରକୁ ଭଲପାଇ ଆସିଥିବା ଏହାର ବାସିନ୍ଦା ହୁଅନ୍ତୁ କି ରାଜ୍ୟର ଏହି ରାଜଧାନୀ ଉପରେ ନିର୍ଭର କରି ଆସିଥିବା ରାଜ୍ୟବାସୀ ହୁଅନ୍ତୁ ବାତ୍ୟା ପରର ଆମ ପ୍ରିୟ ସହରକୁ ଦେଖିଲେ କେବି ବି କୋହ ସମ୍ବରଣ କରିପାରିବେନି ।

ଚାରିଆଡ଼େ ଏବେ ପାଣି ଲାଗି ସଂଘର୍ଷ । ବିଦ୍ୟୁତ ସରବରାହ ଲାଗି ସରକାରଙ୍କ ପ୍ରଶାସନ ଦିନରାତିକୁ ଏକ କରିଦେଇ ସଜାଡ଼ିବାକୁ ବେଶ୍ ତତ୍ପର ।

ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥାନେ ସ୍ଥାନେ ବିରାଟ ଦ୍ରୁମକୁ କାଟି ପଥ ଅବରୋଧକୁ ସଫା କରିବାକୁ ପ୍ରଚେଷ୍ଟା ।

ଏନଡ଼ିଆରଏଫ ଟିମର ପୁନରୁଦ୍ଧାର କାର୍ଯ୍ୟ ସାଙ୍ଗକୁ ଶହ ଶହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର ଭୋକିଲା ପ୍ରପୀଡ଼ିତଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନର ଦୃଶ୍ୟ ଏବେ ଦେଖିବାକୁ ମିଳୁଛି ।

ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ଚାଲୁ କରିବା ଲାଗି ଅକ୍ଳାନ୍ତ ଉଦ୍ୟମ ଜାରି ରହିଛି । ହଜାର ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗିରୁଜି ଯିବା ଫଳରେ ତାର ଛିଣ୍ଡି ଯାଇଛି । ସେଗୁଡ଼ିକର ପୁନରୁଦ୍ଧାର କରିବା ଶିଘ୍ର ସମ୍ଭବ ନହେଲେ ମଧ୍ୟ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି । ବିଦ୍ୟୁତ ସରବରାହ ସ୍ୱାଭାବିକ ହେଲେ ହିଁ ପାନୀୟ ଜଳର ସୁବିଧା ପାଇ ପାରନ୍ତେ ରାଜଧାନୀବାସୀ ।

ଏତଦବ୍ୟତୀତ ବିଦ୍ୟୁତ ସରବରାହ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବାରୁ ଏବେ ମଧ୍ୟ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ସ୍ଥାନ ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି କହିଲେ ଚଳେ ।

ରାଜଧାନୀ ଯଥାଶିଘ୍ର ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲେ ମଧ୍ୟ ରାଜଧାନୀର ହଜାର ହଜାର ସ୍ଥାନୀୟ ବାସିନ୍ଦା ଏବେ ମଧ୍ୟ ଅକଥନୀୟ ଦୁର୍ଦ୍ଦଶା ମଧ୍ୟରେ ଭୋକ ଯନ୍ତ୍ରଣାରେ ଖୋଲା ଆକାଶ ତଳେ ରହିବା ସାର ହୋଇଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଏବଂ ଏନଡ଼ିଆରଏଫ ଦଳ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଏବଂ ରିଲିଫ ବଣ୍ଟନ ପ୍ରକ୍ରିୟା ଜାରି ରହିଛି ।

 

ଏହି ବାତ୍ୟାରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବ୍ୟତୀତ ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଏବଂ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ସମସ୍ତ ପ୍ରଭାବିତ ଜିଲ୍ଲାମାନଙ୍କରେ ଉଦ୍ଧାର କାର‌୍ୟ୍ୟ ସହିତ ପୁନରୁଦ୍ଧାର କାର‌୍ୟ୍ୟ ଉଦ୍ୟମ ଜାରି ରହିଛି ।

 

 

 

 

 

 

 

 

Leave A Reply

Your email address will not be published.