Latest Odisha News

BREAKING NEWS

ପ୍ରଳୟଙ୍କରୀ ବାତ୍ୟାରେ ‘ଓଡ଼ିଶା ପୋଲିସ’ ବିଭାଗର ପ୍ରଶଂସନୀୟ କାର୍ଯ୍ୟ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନି ଭୀଷଣ ରୂପ ଧାରଣ କରି ପୁରୀ, ଭୁବନେଶ୍ୱର, ଜଟଣୀ ଏବଂ ଖୋର୍ଦ୍ଧା ସମେତ ଓଡ଼ିଶାର ଅନେକ ଅଞ୍ଚଳକୁ ଯେପରି ଭାବେ କ୍ଷତିଗ୍ରସ୍ତ କରିଦେଇଛି ତାହାର ବର୍ଣ୍ଣନା ଏଠାରେ ସମ୍ଭବ ନୁହେଁ । ବାତ୍ୟା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ ସରକାରଙ୍କ ବିଭିନ୍ନ ବିଭାଗ ତତ୍ପରତାର ସହିତ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ସ୍ଥାନମାନଙ୍କରୁ ଯୁଦ୍ଧ କାଳୀନ ଭିତ୍ତିରେ ଯେପରି ଭାବେ ଜନସାଧାରଣଙ୍କୁ ସ୍ଥାନାନ୍ତରୀତ କଲେ ତାହାର ପ୍ରଶଂସା କେବଳ ଭାରତରେ ନୁହେଁ ବରଂ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଆସିବାରେ ଲାଗିଛି ।


କେବଳ ସେତିକି ନୁହେଁ କିଛି ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିିକ ଝଡ଼ ଫନିର ପ୍ରଭାବରେ ଲକ୍ଷ ଲକ୍ଷ ଗଛ ଉପୁଡ଼ି ଯିବା ସହିତ ହଜାର ହଜାର ଶକ୍ତ ବିଦ୍ୟୁତ ଖୁଣ୍ଟ ଭାଙ୍ଗିରୁଜି ଯାଇଛି । ହଜାର ହଜାର ଲୋକ ଗୃହଶୂନ୍ୟ ହୋଇପଡ଼ିଛନ୍ତି କାରଣ କେଉଁଠି କାନ୍ଥ ଭାଙ୍ଗିଯାଇଛି ତ କିଛି ସ୍ଥାନରେ ଘରର ମଥାନ ବାତ୍ୟା ପବନରେ ଉଡ଼ି ଯାଇଛି । ତେବେ ବାତ୍ୟା ସ୍ଥଳପଥ ଛୁଇଁବାର କିଛି ଘଣ୍ଟା ପୂର୍ବରୁ ଏବଂ ବାତ୍ୟା ପରବର୍ତ୍ତ୍ୀ ସମୟରେ ଓଡ଼ିଶା ପୋଲିସ ବିଭାଗର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହଜାର ହଜାର ଧନ ଜୀବନ ରକ୍ଷା ହୋଇପାରିଛି । କେବଳ ସେତିକି ନୁହେଁ ରାତିଦିନକୁ ଏକ କରି ପୋଲିସ କର୍ମଚାରୀମାନଙ୍କ ସହିତ ବରିଷ୍ଠ ଅଧିକାରୀମାନଙ୍କ ଯୋଗୁଁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ ରିଲିଫ ବଣ୍ଟନ ଏବଂ ପୁନଃରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ଚାଲିପାରିଛି । ଓଡ଼ିଶା ପୋଲିସ ଦ୍ୱାରା ଅସମ୍ଭବ କାର୍ଯ୍ୟ ପ୍ରକୃତିର ଏହି ତାଣ୍ଡବ ଲୀଳା ସମୟରେ ସମ୍ଭବ ହୋଇଥିବା ଲକ୍ଷ୍ୟ କରାଯାଇଛି ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବାତ୍ୟାରେ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ ସମସ୍ତ ବିଭାଗ ଗୁଡ଼ିକ ନିଜର ଦାୟିତ୍ୱ ଠିକ୍ ଭାବେ ସମ୍ପାଦନ କରିଥିବାର ସୂଚନା ମିଳିଛି ।

ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ବାତ୍ୟାର କିଛି ଘଣ୍ଟା ପୂର୍ବରୁ ମଧ୍ୟ ସାମାଜିକ ଗଣମାଧ୍ୟମ ଦ୍ୱାରା ଜନସାଧାରଣଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସମ୍ପର୍କୀତ ପରାମର୍ଶ ଦିଆଯିବା ସହିତ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

ଓଡ଼ିଶା ପୋଲିସର କର୍ମଚାରୀମାନଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ସମ୍ଭାବ୍ୟ ବାତ୍ୟା ଅଞ୍ଚଳରେ ଘରକୁ ଘର ଯାଇ ଜନସାଧାରଣଙ୍କୁ ନିରାପଦ ସ୍ଥାନ ଏବଂ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରୀତ କରିବା ଲକ୍ଷ୍ୟ କରାଯାଇଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନକୁ ସ୍ଥାନାନ୍ତରୀତ କରିବା ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଓଡ଼ିଶା ସରକାରଙ୍କ ପୋଲିସ ବିଭାଗକୁ ପ୍ରଶଂସା କରିଛନ୍ତି । ଓଡ଼ିଶା ପୋଲିସ ସହିତ ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ଏବଂ ଭାରତୀୟ ବାୟୁସେନା ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ । ଓଡ଼ିଶା ପୋଲିସ ବିଭାଗ, ଅଗ୍ନିଶମ କେନ୍ଦ୍ର ସ୍ଥାନୀୟ ପୋଲିସ ବାହିନୀ, ଓଡ୍ରାଫ ଟିମ ଏବଂ ଏନଡ଼ିଆରଏଫ ଟିମର ପ୍ରଶଂସନୀୟ କାର୍ଯ୍ୟକୁ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ୍ ମିଡ଼ିଆରେ ସବୁ ମହଲରୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି ।

ଓଡ଼ିଶା ପୋଲିସ ବିଭାଗର ଟ୍ୱିଟର୍ ପୃଷ୍ଠାରେ ବାତ୍ୟା ପ୍ରପିଡ଼ୀତ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକର ତାଳଚୁଆ ପୋଲିସ ଷ୍ଟେସନର ଜଣେ ମହିଳା ପୋଲିସ ଅଫିସର ନିଜ ବାଇକ ଦ୍ୱାରା କିପରି ବାତ୍ୟା ଅଞ୍ଚଳରୁ ନିରାପଦ ସ୍ଥାନକୁ ବୋହି ନେଉଛନ୍ତି ତାହା ପ୍ରକାଶ ପାଇଛି ।

ସେହିପରି ବ୍ରହ୍ମପୁରରେ ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀ ପିନାକ ମିଶ୍ର ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରି ସ୍ଥାନୀୟ ଅଧିବାସୀମାନଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମେ ୩ ତାରିଖ ଦିନ ପ୍ରଳୟଙ୍କରୀ ବାତ୍ୟା ଫନି ତାଣ୍ଡବ ଲୀଳା ଖେଳାଇ ଦେଇଛି । ଏହାର ପ୍ରଭାବରେ ଧନ ଜୀବନ ନଷ୍ଟ ହେବା ସହିତ ଅନେକ କ୍ଷୟକ୍ଷତି ଘଟିଛି । ଉପକୂଳ ଓଡ଼ିଶା ସମେତ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ପରି ସ୍ଥାନମାନଙ୍କରେ ବାତ୍ୟାର ପ୍ରକୋପ ଏତେ ଭୀଷଣ ରହିଥିଲା ଯେ ଏବେ ଏହାର କ୍ଷୟକ୍ଷତିର ଆକଳନ କରିବା ସମ୍ଭବପର ନଥିବା ପରି ମନେହେଉଛି । ଲାଗୁଛି ଜନସାଧାରଣଙ୍କ ଜୀବନ ଯାପନ ଶୈଳୀ ସ୍ୱାଭାବିକ ହେବାକୁ ମାସ ମାସ ଲାଗିଯିବ ।

Leave A Reply

Your email address will not be published.