Latest Odisha News

BREAKING NEWS

ବିଜୁଳି ଓ ପାନୀୟଜଳ ଲାଗି ପ୍ରଶାସନର ଉଦ୍ୟମ ଜାରି, ଅସ୍ତବ୍ୟସ୍ତ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ତାଣ୍ଡବ ଲୀଳା ରଚିବାର ଦୀର୍ଘ ୫ ଦିନ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ଇଲାକାରେ ଏଯାଏଁ ପରିସ୍ଥିତି ସ୍ୱାଭାବିକ ହୋଇପାରିନାହିଁ । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷ କ୍ଷୟକ୍ଷତିକୁ ଆକଳନ କରିସାରିଛନ୍ତି । ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ମାନଙ୍କରେ ପ୍ରଶାସନିକ ତତ୍ପରତା ତଥା ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ପୁନଃରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଅକ୍ଳାନ୍ତ ପରିଶ୍ରମ କରିଚାଲିଛନ୍ତି । ଅନେକ ସ୍ଥାନରେ ସ୍ଥିତି ସ୍ୱାଭାବିକ ଆଡ଼କୁ ଫେରୁଥିବା ବେଳେ ଅଧିକାଂଶ ସ୍ଥାନରେ ଏବେବି ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିଛି ।

ବାତ୍ୟାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାମାନଙ୍କରେ ବିଦ୍ୟୁତ ସେବାର ପୁନଃରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ବିଦ୍ୟୁତ ଖୁଣ୍ଟଉଠାଇ ପୁନର୍ବାର ତାର ଖଞ୍ଜା କାର୍ଯ୍ୟ ଚାଲିଛି । ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ସ୍ଥାନମାନଙ୍କରେ ଗ୍ରୀଡ଼ ସବ-ଷ୍ଟେସନ ଭାଙ୍ଗିରୁଜି ଯିବା ଫଳରେ ନୂଆ ପାୱାର ଟ୍ରାନସମିଶନ ଆସିବାକୁ ଅପେକ୍ଷା ନକରି ଯେପରି ବି ହେଉ ବିଜୁଳି ସଂଯୋଗ ଲାଗି ଶକ୍ତି ବିଭାଗର କର୍ତ୍ତୃପକ୍ଷ ଲାଗି ପଡ଼ିଛନ୍ତି ।

ରାଜଧାନୀ ଭୁବନେଶ୍ୱର, ପୁରୀ ସହର, କଟକ ନଗରୀ, ଜଟଣୀ ଓ ଖୋର୍ଦ୍ଧା ଅଞ୍ଚଳରେ ଅଧିକାଂଶ ସ୍ଥାନରେ ବହୁ ପରିମାଣରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଯାଇଥିବା ଯୋଗୁଁ ବିଭାଗ ପକ୍ଷରୁ କର୍ମଚାରୀ ମାନେ ମରାମତି କାର୍ଯ୍ୟ ସହିତ ଯଥାଶିଘ୍ର ବିଦ୍ୟୁତ ସଂଯୋଗ ଲାଗି ଉଦ୍ୟମ ଜାରି ରଖିଛନ୍ତି ।

ଭୁବନେଶ୍ୱରରେ ଅଳ୍ପକିଛି ସ୍ଥାନରେ ବିଦ୍ୟୁତ ସେବା ଉପଲବ୍ଧ ହୋଇଥିବା ବେଳେ କଟକରେ ଅନେକ ସ୍ଥାନରେ ବିଜୁଳି ପୁନଃରୁଦ୍ଧାର କାର୍ଯ୍ୟ ପ୍ରାୟତଃ ସରିଯାଇଛି । ରାଜଧାନୀରେ ଅନେକ ସ୍ଥାନରେ ବିଦ୍ୟୁତ ବିଭାଗର ମନ୍ଥର ଗତିରେ କାର୍ଯ୍ୟ ଯୋଗୁଁ ବିଜୁଳି ସଂଯୋଗ ହେବାରେ ବିଳମ୍ବ ହେବା ଦେଖାଯାଇଛି । କିଛି ଅଞ୍ଚଳର ବାସିନ୍ଦା ରାସ୍ତାରେ ଏକତ୍ରୀତ ହୋଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଭୁବନେଶ୍ୱରର ଅନେକ ସ୍ଥାନରେ ଜନସାଧାରଣ ରାସ୍ତାରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି ।

ଖୋଦ ରାଜଧାନୀ ଭୁବନେଶ୍ୱରରେ ଅନେକ ସ୍ଥାନରେ ବାସିନ୍ଦାମାନେ ରନ୍ଧାଖାଦ୍ୟ ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ରନ୍ଧାଖାଦ୍ୟ ନପାଇ ଜନସାଧାରଣ ରାସ୍ତାକୁ ଓହ୍ଲାଇଥିବାର ଖବର ମିଳିଛି । ବିଦ୍ୟୁତ ସେବା ଉପଲବ୍ଧ ହୋଇପାରିଲେ ରାଜଧାନୀରେ ବାତ୍ୟା ପରବର୍ତ୍ତୀ ଉପୁଜିଥିବା ପାନୀୟ ଜଳର ଉକ୍ରଟ ସମସ୍ୟା ଦୂର ହୋଇପାରନ୍ତା ।

Leave A Reply

Your email address will not be published.