Latest Odisha News

BREAKING NEWS

ଦୁର୍ବଳ ହେଲା ବାତ୍ୟା ରେମାଲ, ପଶ୍ଚିମବଙ୍ଗରେ ରଚିଲା ତାଣ୍ଡବ

ନୂଆଦିଲ୍ଲୀ: ଭୀଷଣ ରୂପ ଧରି ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିବା ପରେ ଏବେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ‘ରେମାଲ’ । ଲ୍ୟାଣ୍ଡଫଲ ପରେ ଧିରେ ଧିରେ ଦୁର୍ବଳ ହେଉଛି ‘ରେମାଲ’ । ପଶ୍ଚିମବଙ୍ଗର ଅନେକ ସହର ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅନେକ କ୍ଷୟକ୍ଷତି ହେବା ସହିତ ଗଛ ପଡି ରାସ୍ତା ଅବରୋଧ ଏବଂ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି । ଏହାପରେ ଉଦ୍ଧାର ଟିମ୍ ପହଞ୍ଚି ରାସ୍ତା ସଫା କରିବା ସହିତ କ୍ଷୟକ୍ଷତିର ସ୍ଥିତି ସୁଧାରୁଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ କାଲି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିଥିଲା। ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ପରେ ପ୍ରାୟ ୪ ଘଣ୍ଟା ଧରି ଜାରି ରହିଥିଲା ଏହାର ପ୍ରକ୍ରିୟା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ପାଖାପାଖି ୧୨୦ କି‌ଲୋମିଟର ରହିଥିଲା ।

ତେବେ ଲ୍ୟାଣ୍ଡଫଲ୍ ପରେ ବାଂଲାଦେଶ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି ବାତ୍ୟା ରେମାଲ । ଫଳରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ିବା ସହ ଘର ଭାଙ୍ଗିଛି। ଏହାର ପ୍ରଭାବରେ  ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଜାରି ରହିଛି ବର୍ଷା। ଏଥିରେ ବେହାଲ କଲିକତାବାସୀ । ଜଳମଗ୍ନ ହୋଇଛି ସହର । ଅନେକ ସ୍ଥାନରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିବା ସହ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଥିବା ବେଳେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ସେହିପରି ସମୁଦ୍ରରେ ମଧ୍ୟ ଉଚ୍ଚ ଲହରୀ ଆସୁଥିବା ଦେଖିବାକୁ ମିଳିଛି । ତେବେ ବାତ୍ୟାରେ ମୃତାହତ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନରେ ଓଡରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଭୀଷଣ ବାତ୍ୟା ବାତ୍ୟାର ରୂପ ନେଇଥିବା ‘ରେମାଲ’ ତାଣ୍ଡବ ରଚିବା ପରେ ଏବେ କ୍ରମଶଃ ଦୁର୍ବଳ ହୋଇ ଉତ୍ତର ଦିଗକୁ ଗତି କରୁଛି ।

ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ବିଶେଷ ନଥିଲେ ମଧ୍ୟ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ରାତି ତମାମ ବର୍ଷା ହୋଇଛି । ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ସେପଟେ ଦୁଇ ଦିନ ପାଗ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଥିବା ବେଳେ ଆଜିଠୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.