Latest Odisha News

BREAKING NEWS

ପୁଣି ଆସୁଛି ବର୍ଷା, ୯ରୁ ଭିଜିବ ଓଡ଼ିଶା…

ଭୁବନେଶ୍ୱର: ସେପ୍ଟେମ୍ବର ୮ ତାରିଖରେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। କିନ୍ତୁ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା କମ୍ ରହିଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପ୍ରଣାଳୀର ପ୍ରଭାବରେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଯାଜପୁର, ବାଲେଶ୍ୱର, ଦେବଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଭଲ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ସେହିପରି କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସେପ୍ଟେମ୍ବର ୯ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା କାର୍ଯ୍ୟକଳାପ ବୃଦ୍ଧି ପାଇପାରେ। ସେପ୍ଟେମ୍ବର ୧୦ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ସେପ୍ଟେମ୍ବର ୧୧ ତାରିଖରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି।

ଅପରପକ୍ଷରେ ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ବାରିପଦା ୧୭.୮ ମିଲିମିଟର ବର୍ଷା ରେକର୍ଡ କରିଥିବାବେଳେ ଭୁବନେଶ୍ୱର, କଟକ ଏବଂ କେନ୍ଦ୍ରାପଡାର କିଛି ଅଂଶରେ ବର୍ଷା ହୋଇଥିଲା।

Comments are closed.