Latest Odisha News

BREAKING NEWS

ଦୀର୍ଘ ୪ ଘଣ୍ଟା ପରେ ଉଦ୍ଧାର ହେଲେ ଛାତ୍ର, ନୟାଗଡର ଏହି ପାହାଡ଼ରେ ଫସିଥିଲେ…

ନୟାଗଡ: ବର୍ଷା ଏବଂ ଅନ୍ଧାରରେ ନୟାଗଡର ରୁଖି ପାହାଡ଼ ଉପରେ ଫସି ରହିଥିବା ଜଣେ କଲେଜ ଛାତ୍ରଙ୍କୁ ଚାରି ଘଣ୍ଟା ପରେ ଉଦ୍ଧାର କରାଯାଇଛି।

ସ୍ଥାନୀୟ କଲେଜର ଦ୍ୱିତୀୟ ବର୍ଷର ଯୁକ୍ତ ୩ ଛାତ୍ର ଆଦିତ୍ୟ ଦୋରା ରବିବାର ଅପରାହ୍ନରେ ନୟାଗଡ ସହର ନିକଟବର୍ତ୍ତୀ ରୁଖି ପାହାଡ଼କୁ ବୁଲିବାକୁ ଯାଇଥିଲେ। କିନ୍ତୁ ପାହାଡ଼ ଉପରେ ପହଞ୍ଚିବା ପରେ ସେ ଫେରିପାରି ନଥିଲେ।

ସନ୍ଧ୍ୟା ପ୍ରାୟ ୭ଟାରେ ଆଦିତ୍ୟ ତାଙ୍କ ଭାଇଙ୍କୁ ଫୋନ୍ କରି ଜଣାଇଥିଲେ ଯେ ସେ ପାହାଡ଼ ଉପରେ ଫସି ରହିଛନ୍ତି। ପରେ ତାଙ୍କ ବାପା ନୟାଗଡ ଟାଉନ୍ ପୋଲିସକୁ ଖବର ଦେଇଥିଲେ। ଯାହା ପରେ ଅଗ୍ନିଶମ ବାହିନୀ, ବନ ବିଭାଗ ଏବଂ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ପାହାଡ଼ଟି ଘନ ଜଙ୍ଗଲରେ ଘେରି ରହିଥିବାରୁ ରାତିରେ ଛାତ୍ରଙ୍କୁ ଉଦ୍ଧାର କରିବା କଷ୍ଟକର ସାବ୍ୟସ୍ତ ହୋଇଥିଲା। କାରଣ ଏଠାରେ ବନ୍ୟପ୍ରାଣୀ ରହୁଥିବା ଜଣାପଡିଛି। ଉଦ୍ଧାରକାରୀ ଦଳ ପାହାଡ଼ ଉପରକୁ ଯିବା ସମୟରେ ଅନେକ ବଡ଼ ସାପ ମଧ୍ୟ ଦେଖିଥିବା ଜଣାପଡ଼ିଛି।

ଉଦ୍ଧାରକାରୀ ଦଳ ଆଦିତ୍ୟଙ୍କ ମୋବାଇଲ୍ ଫୋନ୍ ଲୋକେସନ୍ ଏବଂ ଫୋନ୍‌ର ଲାଇଟ୍ ବ୍ୟବହାର କରି ତାଙ୍କୁ ଟ୍ରାକ୍ କରିଥିଲେ। ଶେଷରେ ସେମାନେ ରାତି ପ୍ରାୟ ୧୧ଟାରେ ତାଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କୁ ସୁରକ୍ଷିତ ଭାବରେ ତଳକୁ ଅଣାଯାଇଥିଲା।

ଛାତ୍ରଙ୍କ ପରିବାର ଏବଂ ଅନ୍ୟମାନେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରି ଦଳର ସଦସ୍ୟମାନଙ୍କୁ ସେମାନଙ୍କର ସାହସ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.