Latest Odisha News

BREAKING NEWS

ଭୟଙ୍କର ରୂପ ନେଉଛି ଭୀଷଣ ସାମୁଦ୍ରିକ ଝଡ଼ ‘ତିତଲି’, ଓଡ଼ିଶା-ଆନ୍ଧ୍ରରେ ରେଡ଼ ଆଲର୍ଟ ଜାରି

ନୂଆଦିଲ୍ଲୀ: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଭୀଷଣ ସାମୁଦ୍ରିକ ଝଡ଼ “ତିିତଲି” କ୍ରମେ ଘଣ୍ଟାକୁ ୧୪ କିମି ବେଗରେ ଉତ୍ତର ଦିଗକୁ ଗତିକରି ଆଜି ସକାଳ ସାଢ଼େ ଆଠଟା ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ଥିଲା । ଏହା ଗୋପାଳପୁର (ଓଡ଼ିଶା) ଠାରୁ ୨୮୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ ଅବସ୍ଥିତ ଥିଲା ।

କଳିଙ୍ଗପଟ୍ଟନମ୍ (ଆନ୍ଧ୍ର ପ୍ରଦେଶ) ଠାରୁ ଏହାର ଦୂରତା ମାତ୍ର ୨୩୦ କିଲୋମିଟର ବୋଲି ଜଣାପଡ଼ିଛି । ଆଗାମୀ ଦୁଇ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଅତି ଭୀଷଣ ସାମୁଦ୍ରିକ ଝଡ଼ର ଆକାର ଧାରଣ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି ।

ଏହି ଭୀଷଣ ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୧୧ ତାରିଖ ସକାଳେ ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଧ୍ୟବର୍ତ୍ତୀ ଓଡ଼ିଶା ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁ ଅତିକ୍ରମ କରିବାର ଆକଳନ କରାଯାଇଛି ।

ସ୍ଥଳଭାଗ ଛୁଇଁବା ପରେ ଏହା ଆହୁରି ବକ୍ରଗତି ନେଇ ଉତର ପୂର୍ବ ଦିଗରେ ଗତି କରିବ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଓ ଓଡ଼ିଶା ଉପର ଦେଇ ଗତି କରିବ ଓ କ୍ରମେ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ।

ଏହି ଭୀଷଣ ସାମୁଦ୍ରିକ ଝଡ଼ ଭୂଭାଗ ଆଡ଼କୁ ଗତି କରୁଥିବା ଦୃଷ୍ଟିରୁ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରେଡ଼ ଆଲର୍ଟ ଜାରି କରାଯାଇଛି ।

କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଗତକାଲି ସନ୍ଧ୍ୟାରେ ଏକ ଜରୁରୀ ସମୀକ୍ଷା ବୈଠକରେ ସମ୍ଭାବ୍ୟ ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ ଏବଂ ଏଭଳି ପ୍ରାକୃତିକ ଆପଦାକୁ ସର୍ବାଧିକ ସତର୍କତାର ସହ କିଭଳି ମୁକାବିଲା କରାଯାଇପାରିବ ତାହା ସମୀକ୍ଷା କରିଥିଲେ ।

Leave A Reply

Your email address will not be published.