Latest Odisha News

BREAKING NEWS

‘ତିତଲି ବାତ୍ୟା’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଜିରୋ କାଜୁଆଲିଟି ଉପରେ ଦେଲେ ଗୁରୁତ୍ୱ

ଭୁବନେଶ୍ୱର : ତୀବ୍ର ଗତିରେ ଓଡିଶା ଆଡେ ମୁହାଁଇଥିବା ବାତ୍ୟା ତିତଲି ଧିରେ ଧିରେ ଭୟଙ୍କର ରୂପ ନେବାରେ ଲାଗିଛି । ଏହା ମୁକାବିଲା କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଅନୁଷ୍ଠିତ ବୈଠକରେ ସମୀକ୍ଷା କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲ୍‌ଟି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।

ବିଶେଷତଃ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରପଡ଼ାର ଉପକୂଳବର୍ତ୍ତୀ ଜିଲ୍ଲାର ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳ ମାନଙ୍କରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆଶ୍ରୟସ୍ଥଳମାନଙ୍କରେ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ ଓ ପରିମଳ ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଅଗାମୀ ୨ଦିନ ପାଇଁ ୧୧ ଓ ୧୨ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ ତଥା ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଛି।

ସାମୁଦ୍ରିକ ଘୂଣ୍ଣିଝଡ଼ ତିତଲିର ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ ବାହିନୀଙ୍କୁ ପ୍ରଭାବିତ ଜିଲ୍ଲାମାନଙ୍କରେ ମୁତୟନ କରାଯାଇଛି। ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୭୫୩ ଜଣଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିସନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ଏବଂ ପାଣିପାଗ ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

Leave A Reply

Your email address will not be published.