Latest Odisha News

BREAKING NEWS

ବାତ୍ୟା ପରେ ବିପର୍ଯ୍ୟସ୍ତ ଅବସ୍ଥାରେ ଏବେ ପୁରୀ…

ପୁରୀ: ଲାଗୁଛି ମହାବାତ୍ୟାଠୁଁ ବଳି ଯାଇଛି ବାତ୍ୟା ଫନିର ତାଣ୍ଡବ ଲୀଳା । ପୁରୀ ଜିଲ୍ଲା ଏବଂ ସଦର ମହକୁମାର ବାତ୍ୟା ପରେ ଏବେ ବିପର୍ଯ୍ୟସ୍ତ ଅବସ୍ଥା । କିଛି ଘଣ୍ଟାର ଭୟଙ୍କର ବାତ୍ୟା ତା’ର ଉଗ୍ର ରୂପ ଦେଖାଇବା ପରେ ଏବେ ବାତ୍ୟା ପରବର୍ତ୍ତୀ ସ୍ଥିତି ପ୍ରକୃତରେ ଯେତିକି ହୃଦୟ ବିଦାରକ ସେତିକି ଭୟାନକ । କେହି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । ଧନ ଜୀବନର କ୍ଷୟକ୍ଷତି ଏବେ ସୁଦ୍ଧା ଅଧିକାଂଶ ଅଞ୍ଚଳରେ ଆକଳନ ହୋଇପାରୁନାହିଁ । ଶହଶହ ବାତ୍ୟା ପ୍ରପୀଡ଼ିତଙ୍କ ନିକଟରେ ଏବେ ସୁଦ୍ଧା ପ୍ରଶାସନ ପହଞ୍ଚିପାରିନାହିଁ । ପାନୀୟ ଜଳ ସାଙ୍ଗକୁ ଖାଦ୍ୟ ଟିକେ ପେଟରେ ପଡ଼ିବାକୁ ମଣିଷ ଏଠି ଡ଼ହଳ ବିକଳ ହେଉଛନ୍ତି । ପ୍ରଶାସନିକ ତତ୍ପରତା ଏବଂ ସ୍ୱେଚ୍ଛାସେବୀଙ୍କ ତୁରନ୍ତ ଉଦ୍ଧାର କାର୍ଯ୍ୟ ହିଁ ଏଠାରେ ପ୍ରପୀଡ଼ିତଙ୍କ ମୁହଁରେ ହସ ଆଣିଦେଇପାରେ ।

ପୁରୀ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ ଅଳ୍ପବହୁତ କ୍ଷତିଗ୍ରସ୍ତ ହୋଇଛି । ପୁରୀ ସହର ସମୁଦ୍ର କୂଳରେ ରହିଥିବା ସମସ୍ତ କୋଠା ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ସମସ୍ତ ବାସିନ୍ଦାଙ୍କ ବାଡ଼ିରେ ଥିବା ତଥା ରାସ୍ତା କଡ଼ର ଗଛ ଶୋଇ ପଡ଼ିଛି । ପୁରୀରୁ ସବୁଜିମା ଯେମିତି ହଜି ଯାଇଛି ସେହିପରି ଅନୁଭବ ହେଉଛି ।

ପୁରୀ ଏବଂ ତାହାର ଆଖପାଖ ଅଞ୍ଚଳରେ ଅନେକ ଘର ଭାଙ୍ଗିପଡ଼ିଥିବା ବେଳେ ଅଧିକାଂଶ ଘର କ୍ଷତିଗ୍ରସ୍ତ ହୋଇଛି । ଶୁନଶାନ ରାସ୍ତାଘାଟ ଶ୍ମଶାନ ପରି ଦୃଶ୍ୟ ହେଉଛି । ପାନୀୟ ଜଳ ଏବଂ ରନ୍ଧାଖାଦ୍ୟକୁ ଅନେକ ଜନସାଧାରଣ ଏବେ ସୁଦ୍ଧା ଅପେକ୍ଷା କରି ରହିଛନ୍ତି । ପ୍ରଶାସନ ପକ୍ଷରୁ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.