ରାସ୍ତାକଡରେ ଜଗିଛି ମୃତ୍ୟୁ !  

ଯାଜପୁର: ରାସ୍ତା କଡ ଓ ଛକ ବଜାରରେ ଜଗି ରହିଛି ମୃତ୍ୟୁ । ପ୍ରତି ମୁହୂର୍ତରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ରହିଛି ବିପଦ ଆଶଙ୍କା । ଡେଥ୍ ପଏଂଟ ପାଲଟିଛି ସହରର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫରମର୍ । ଆମେ କହୁଛି ଯାଜପୁର ଜିଲ୍ଲା ଯାଜପୁର ରୋଡ ସହରର ଦୃଶ୍ୟ ।

ବିପଦସଙ୍କୁଳ ଅବସ୍ଥାରେ ରହିଛି ଶହ ଶହ ବିଦ୍ୟୁତ୍ ଟ୍ରାନ୍ସଫରମର୍ । ସହରରେ ଥିବା ପାଖାପାଖି ୯୯ ପ୍ରତିଶତ ବିଦ୍ୟୁତ୍ ଟ୍ରନ୍ସଫରମର୍ ରେ ନାହିଁ ସୁରକ୍ଷା ବାଡ । କେଉଁଠି ହାତ ପାହାନ୍ତାରେ ତ ଆଉ କେଉଁଠି ତଳେ ଲାଗିଛି ଟ୍ରାନ୍ସଫରମର୍ । ଫ୍ୟୁଜ୍ ବକ୍ସ ଖୋଲା ପଡିଥିବା ବେଳେ ତଳକୁ ଲଟକି ରହିଛି ହାଇ ଭୋଲ୍ଟେଜ୍ ବିଦ୍ୟୁତ୍ ତାର । ତାସହ ଅନେକ ସ୍ଥାନରେ ସର୍ଭିସ୍ ଖୁଂଟରେ ଲାଗିଛି ହେଭି ଟ୍ରାନ୍ସଫରମର୍ । ଯାହା ସହରବାସୀଙ୍କ ପାଇଁ ଘୋର ବିପଦ ସୃଷ୍ଟି କରିଛି ।

ମୁଖ୍ୟ ରାସ୍ତା କଡ ହେଉ ଅବା ଜନଗହଳିପୁର୍ଣ୍ଣ ଛକ ବଜାର, ସବୁଠି ସମାନ ଅବସ୍ଥା । ମୁକୁଳା ପଡିଛି ସବୁ ଟ୍ରାନ୍ସଫରମର । ପ୍ରତିଦିନ ହଜାର ହଜାର ଲୋକ ଓ ଯାନବାହାନ ଏହା ନିକଟରେ ଯାତାୟତ କରୁଛନ୍ତି । ଏହି ସମୟରେ ଟିକେ ଅସାବଧାନ ହେଲେ ଚାଲିଯିବ ଜୀବନ । ତେବେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରବାସୀ ।

ଏହି ସହର ଉପରେ ଅନେକ ଲୋକ ନିର୍ଭର କରନ୍ତି । ଏଥିସହ ଏଠାରେ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବଡ ବଡ ସପିଂ ମଲ ରହିଥିବାରୁ ପ୍ରାୟ ସବୁ ସମୟରେ ଏଠାରେ ଜନଗହଳି ଲାଗି ରହେ । ହେଲେ ମୁକୁଳା ପଡିଥିବା ଏହି ସବୁ ଟ୍ରାନ୍ସଫରମର ଗୁଡିକ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ପୂର୍ବରୁ ଅନେକଥର ଦୁର୍ଘଟଣା ବି ଘଟିଛି । ହେଲେ ଏଥିପ୍ରତି ଆଖି ବୁଜି ଦେଇଛି ବିଦ୍ୟୁତ୍ ବିଭାଗ । ତେବେ ଏହି ଅଂଚଳ ନେସ୍କୋ ଅଧିନରେ ରହିଛି । ବିପଦର ଆଶଙ୍କା ଥିଲେ ବି ଏହାକୁ ନେସ୍କୋ ଅଣଦେଖା କରୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ନେସ୍କୋ କତୃପକ୍ଷ । ବିଭାଗକୁ ଏହାର ତଥ୍ୟ ଦିଆଯାଇଥିବା ବେଳେ ଯଥାଶିଘ୍ର ଏହାର ସମାଧାନ ହେବ ବୋଲି ନେସ୍କୋ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ।