ଭୁବନେଶ୍ୱର: ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ଦାରା ସିଂହର ଆଗୁଆ ଖଲାସ ଆବେଦନକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ମାମଲାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଏବଂ ନିଷ୍ପତ୍ତି ନେବାରେ ଅହେତୁକ ବିଳମ୍ବକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ବିଚାରପତି ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ସିଧାସଳଖ ଚେତାବନୀ ଦେଇ କହିଛନ୍ତି, “ଏହି ଆବେଦନ ଉପରେ ଆପଣ ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଆମେ ଆମର ନିଷ୍ପତ୍ତି ଶୁଣାଇବୁ। ଆମେ ଏଭଳି ଅବହେଳାକୁ ଆଦୌ ବରଦାସ୍ତ କରିବୁ ନାହିଁ।” ଆସନ୍ତା ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ କୋର୍ଟଙ୍କୁ ଅବଗତ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବ ଶୁଣାଣିରେ ମଧ୍ୟ କୋର୍ଟ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇବାକୁ କହିଥିଲେ, ମାତ୍ର ବୁଧବାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ଜେଲ୍ ନିର୍ଦ୍ଦେଶାଳୟର ଏକ ଚିଠି ଉପସ୍ଥାପନ କରି ଦର୍ଶାଇଥିଲେ ଯେ କେନ୍ଦୁଝର ଜିଲ୍ଲା କାରାଗାରରୁ ଏ ସମ୍ପର୍କିତ ରିପୋର୍ଟ ଆସିବା ଏବେ ବି ବାକି ରହିଛି।
ସୂଚନାଯୋଗ୍ୟ ଯେ, ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ରାତିରେ କେନ୍ଦୁଝର ଜିଲ୍ଲାର ମନୋହରପୁରଠାରେ ଅଷ୍ଟ୍ରେଲୀୟ ଖ୍ରୀଷ୍ଟିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନିଷ୍ପାପ ପୁଅ ଫିଲିପ୍ (୧୦) ଓ ତିମୋଥି (୬) ନିଜ ଗାଡ଼ି ଭିତରେ ଶୋଇଥିବା ବେଳେ ଏକ ଉତ୍ତ୍ୟକ୍ତ ଭିଡ଼ ସେମାନଙ୍କୁ ଜିଅନ୍ତା ଜାଳି ଦେଇଥିଲେ। ରବୀନ୍ଦ୍ର କୁମାର ପାଲ ଓରଫ ଦାରା ସିଂହ ଏହି ନୃଶଂସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ।
ଏହି ମାମଲାରେ ୨୦୦୩ ମସିହାରେ ନିମ୍ନ ଅଦାଲତ ଦାରା ସିଂହକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୦୫ ମସିହାରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ, ଯାହାକୁ ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ ।
ଦାରା ସିଂହ ବର୍ତ୍ତମାନ ସୁଦ୍ଧା ୨୬ ବର୍ଷରୁ ଅଧିକ ସମୟ ଜେଲରେ ବିତାଇ ସାରିଲାଣି। ସେ ନିଜ କ୍ଷମା ଆବେଦନରେ ଉଲ୍ଲେଖ କରିଛି ଯେ, ଯୌବନର ଆବେଗ ଓ ରାଗରେ ସେ ଅତୀତରେ ଏହି ଅପରାଧ କରିଥିଲା ଏବଂ ବର୍ତ୍ତମାନ ସେ ନିଜ କୃତକର୍ମ ପାଇଁ ସମ୍ପୂର୍ଣ୍ଣ ଅନୁତପ୍ତ। ଦୀର୍ଘ ଦିନର ସଜା କାଟି ସାରିଥିବାରୁ ଏବଂ ଜେଲରେ ତା’ର ଆଚରଣ ଭଲ ଥିବାରୁ, ସମାଜସେବା ମାଧ୍ୟମରେ ମୁଖ୍ୟସ୍ରୋତକୁ ଫେରିବା ପାଇଁ ତାକୁ ମୁକ୍ତ କରାଯାଉ ବୋଲି ସେ ଦାବି କରିଛି। ତେବେ ସେପ୍ଟେମ୍ବର ୨ରେ ରାଜ୍ୟ ସରକାର ଅଦାଲତଙ୍କୁ କ’ଣ ଜବାବ ରଖୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

