Latest Odisha News

ଆସୁଛି ଦଶହରା, ଝଲସୁଛି ଗାଁଠୁ ସହର

କାମାକ୍ଷାନଗର: ଓଡ଼ିଶାର ଗଣପର୍ବ ଦଶହରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର । ମାଆଙ୍କ ଧରାବତରଣ ପରେ ଜନାରଣ୍ୟ ପାଲଟିଛି କାମାକ୍ଷାନଗର । ଢେଙ୍କାନାଳର ଗଣପର୍ବ ଭିତରେ କାମାକ୍ଷାନଗରର ଦଶହରା ପର୍ବ ସମଗ୍ର ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ରଙ୍ଗାରଙ୍ଗ ଆଲୋକ ସଜ୍ଜା ସାଙ୍ଗକୁ ତୋରଣ ଓ ଡିଜିଟାଲ ଲାଇଟରେ ଝଲସି ଉଠୁଛି କାମାକ୍ଷାନଗର । ମୁଣ୍ଡିଦେଉଳୀ, ଜଗନ୍ନାଥ ବଜାର ପୂଜା ଅନୁଷ୍ଠାନରେ ଦେଖିବାକୁ ମିଳିଛି ଚାନ୍ଦି ମୂର୍ତ୍ତି ।

ସୁନ୍ଦର କାରୁକାର୍ଯ୍ୟ ଓ ସାଜସଜ୍ଜା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନକୁ ବିଭୋର କରୁଛି । କାମାକ୍ଷାନଗର ସହରର ପ୍ରାୟ ୧୬ ଗୋଟି ପୂଜା ମଣ୍ଡପରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତୀକୁ ପୂଜା କରାଯାଉଛି । ମାଆଙ୍କ ନିତିକାନ୍ତିରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ନବପତ୍ରିକା ପ୍ରବେଶ ପରେ ଆରମ୍ଭ ହୋଇଛି ମାଆଙ୍କର ଘଟ ସ୍ଥାପନ, ଚକ୍ଷୁଦାନ ଓ ପ୍ରାଣପ୍ରତିଷ୍ଠା । ଏଥିସହିତ ସପ୍ତମୀ ବିହିତ ଷୋଡଶ ଉପଚାରୀ ପୂଜା । ଧୂପ, ଦୀପ ନୈବେଦ୍ୟ ସାଙ୍ଗକୁ ପ୍ରକମ୍ପିତ ହୋଇ ଉଠିଛି ଗାଁ ଠାରୁ ସହର ।

କାମାକ୍ଷାନଗରର ମିଳିତ କ୍ରିୟାନୁଷ୍ଠାନ କମିଟି, ବଣିକ ସଂଘ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ବେଶ୍ ଶାନ୍ତି ଶୃଙ୍ଖଳାରେ ଦଶହରା ପର୍ବ ପାଳିତ ହେଉଛି । ଦୁଇ ବର୍ଷ କରୋନା କଟକଣା ପରେ ପ୍ରଥମ ଥର ପାଇଁ ବହୁ ସଂଖ୍ୟକ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । କାମାକ୍ଷାନଗରର ପ୍ରତି ବଜାର ଏବଂ ଛକ ମାନଙ୍କରେ ମାଆଙ୍କ ମୂର୍ତ୍ତି ଓ ସାଜସଜ୍ଜା ବେଶ ମନଲୋଭା ।

ଆଖ ପାଖ ଅଂଚଳ ତଥା କେଉଁଝର, ଯାଜପୁର ଓ ଅନୁଗୁଳ ଜିଲ୍ଲାରୁ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଛି । ମିନା ବଜାର ସାଙ୍ଗକୁ ଉଠା ଦୋକାନୀ ଓ ବିଭିନ୍ନ ବ୍ୟବସାୟୀ ସଂସ୍ଥାର ଆସର ପାଲଟିଛି କାମାକ୍ଷାନଗର । ଲୋକମାନେ ମାଆଙ୍କ ଦର୍ଶନ ସହିତ ନିଜ ପସନ୍ଦର ଜିନିଷପତ୍ର ଓ ଖାଦ୍ୟ ସାମଗ୍ରୀର ଉପଭୋଗ କରୁଛନ୍ତି । ଜନଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ନିୟୋଜିତ କରାଯାଇଛି । ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଛି ଆଇନ ଶୃଙ୍ଖଳା ।ଦୁଇ ବର୍ଷ ପରେ ଗଣପର୍ବ ଦଶହରାକୁ ନେଇ ଉତ୍କଣ୍ଠାର ସହିତ ଉପଭୋଗ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଗଣପର୍ବ ଦୁର୍ଗାପୂଜା ।

Comments are closed.