ଭୁବନେଶ୍ୱର: ତାମିଲନାଡୁରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡିଶା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଯାହା ପରେ ଏବେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।
ମୃତକଙ୍କ ନାମ ରୋହିଣୀ ଜୁଆଙ୍ଗ ବୋଲି ଜଣାପଡିଛି। ଯିଏକି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର ୨୩ ବର୍ଷୀୟା ମହିଳା।ସେ ଗ୍ୟାସ ଲିକ୍ ଘଟଣା ପରଠାରୁ ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ।
ଗ୍ୟାସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୧୫ ଜଣ ଓଡିଆ ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ କେବଳ କେନ୍ଦୁଝର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୁଳ ଜିଲ୍ଲା ପାଲଲହଡାର ବାସିନ୍ଦା। ରୋହିଣୀଙ୍କ ମୃତଦେହ ତାଙ୍କ ଗାଁକୁ ଅଣାଯିବା ମାତ୍ରେ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଥିଲା।
ଉଲ୍ଲେଖଯୋଗ୍ୟ, ଜୁନ୍ ୨୧ ତାରିଖରେ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ପେରିଆପାଲୟମ ନିକଟସ୍ଥ କନିଗାଇପୈାର ଗାଁରେ ଏକ ଘରୋଇ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରପ୍ତାନି ୟୁନିଟରେ ଏହି ଦୁର୍ଘଟଣା ଘଟିଥିଲା।
କାରଖାନା ଭିତରେ ଆମୋନିଆ ଗ୍ୟାସ ଲିକ୍ ହେବା ସମୟରେ ଓଡ଼ିଶା, ଆସାମ ଏବଂ ଝାଡ଼ଖଣ୍ଡର ପ୍ରାୟ ୧୨୦ ଜଣ ପ୍ରବାସୀ ଶ୍ରମିକ ଡ୍ୟୁଟିରେ ଥିଲେ। ଶ୍ରମିକମାନେ ବିଷାକ୍ତ ଧୂଆଁ ସଂସ୍ପର୍ଶରେ ଆସିବା ଫଳରେ ସେମାନଙ୍କର ନିଶ୍ୱାସ ନେବାରେ ଅସୁବିଧା, ମୁଣ୍ଡ ବୁଲାଇବା ଏବଂ ଆଖିରେ ପ୍ରବଳ ପୋଡ଼ାଜଳା ହୋଇଥିଲା।
Comments are closed.