Aamir Khan 3rd marriage: ୩ୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଆମିର ଖାନ୍, ପ୍ରିୟଜନଙ୍କ ଗହଣରେ ଗୌରୀ ସ୍ପ୍ରାଟଙ୍କ ହାତ ଧରିଲେ…
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ଏବେ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମିର ଖାନ ଓ ଗୌରୀ ସ୍ପ୍ରାଟ୍ ଶନିବାର ମୁମ୍ବାଇର ବାନ୍ଦ୍ରାସ୍ଥିତ ଆମିରଙ୍କ ବାସଭବନରେ ଏକ ନିଜସ୍ୱ ଓ ସରଳ ସମାରୋହରେ ବିବାହ ସମ୍ପନ୍ନ କରିଛନ୍ତି।
ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ଉଭୟ ବିବାହ ସମ୍ବନ୍ଧୀୟ ଦସ୍ତାବିଜରେ ସ୍ୱାକ୍ଷର କରି ନିଜ ସମ୍ପର୍କକୁ ଆଇନଗତ ସ୍ୱୀକୃତି ଦେଇଥିଲେ। ଏହି ବିଶେଷ ମୁହୂର୍ତ୍ତରେ ଉଭୟ ଖୁସି ଓ ଭାବପ୍ରବଣ ଥିବା କୁହାଯାଇଛି।
ଆମିର ଓ ଗୌରୀ ନିଜ ବିବାହକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିଥିଲେ। କେବଳ ପରିବାର ସଦସ୍ୟ ଓ ଅତି ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଏହି ବିବାହରେ ପ୍ରାୟ ୧୫୦ ଜଣ ଅତିଥି ଯୋଗ ଦେଇଥିଲେ। ପରିବାର ସଦସ୍ୟ, ଘନିଷ୍ଠ ବନ୍ଧୁ ଏବଂ ବିଦେଶରୁ ଆସିଥିବା ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ ଥିଲେ। ଆମିରଙ୍କ ପୁଅ ଜୁନୈଦ୍ ଓ ଆଜାଦ, ଝିଅ ଇରା ଏବଂ ଗୌରୀଙ୍କ ପୁଅ ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ।
ଚଳିତ ବର୍ଷ ଆରମ୍ଭରେ ଆମିର ଓ ଗୌରୀ ନିଜ ସମ୍ପର୍କକୁ ସାର୍ବଜନୀନ କରିଥିଲେ। ଆମିର କହିଥିଲେ ଯେ, ଦୁହେଁ ପ୍ରାୟ ୨୫ ବର୍ଷ ଧରି ପରସ୍ପରକୁ ଜାଣିଥିଲେ, କିନ୍ତୁ ଦୁଇ ବର୍ଷ ପୂର୍ବରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ଆମିର ଖାନ ଏହା ପୂର୍ବରୁ ପ୍ରଥମେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ସନ୍ତାନ ଜୁନୈଦ୍ ଓ ଇରା ଅଛନ୍ତି। ପରେ ୨୦୦୫ରେ ସେ ଚଳଚ୍ଚିତ୍ର ନିର୍ମାତ୍ରୀ କିରଣ ରାଓଙ୍କୁ ବିବାହ କରିଥିଲେ। ୨୦୨୧ରେ ଦୁହେଁ ଅଲଗା ହୋଇଥିଲେ, ତଥାପି ପୁଅ ଆଜାଦଙ୍କର ଦାୟିତ୍ୱ ଉଭୟ ମିଶି ସମ୍ଭାଳୁଛନ୍ତି।
ଗୌରୀ ସ୍ପ୍ରାଟ୍ ବେଙ୍ଗାଲୁରୁର ବାସିନ୍ଦା ଏବଂ ସେ ଦୀର୍ଘଦିନ ଧରି ଲାଇମଲାଇଟ୍ରୁ ଦୂରରେ ରହିଛନ୍ତି। ତାଙ୍କ ମା’ ରୀତା ସ୍ପ୍ରାଟ୍ ଜଣେ ପୂର୍ବତନ ସାଲୁନ୍ ମାଲିକାଣୀ। ଗୌରୀ ବର୍ତ୍ତମାନ ୱେଲନେସ୍ ଓ ବ୍ୟୁଟି କ୍ଷେତ୍ରରେ କାମ କରୁଛନ୍ତି। ସେ ବ୍ଲୁ ମାଉଣ୍ଟେନ୍ ସ୍କୁଲରେ ପଢ଼ିବା ପରେ ୨୦୦୪ରେ ୟୁନିଭରସିଟି ଅଫ୍ ଆଟ୍ସ ଲଣ୍ଡନରୁ ଷ୍ଟାଇଲିଙ୍ଗ୍ ଏବଂ ଫଟୋଗ୍ରାଫୀରେ FDA କୋର୍ସ କରିଥିଲେ। ବର୍ତ୍ତମାନ ସେ ମୁମ୍ବାଇରେ ବି-ବ୍ଲଣ୍ଟ ସାଲୁନ୍ ପରିଚାଳନା କରୁଛନ୍ତି।