Latest Odisha News

BREAKING NEWS

ଶର୍ମିଳାଙ୍କ ହାତ ଧରୁନାହାନ୍ତି ରାହୁଲ, ଆଉ ବିଳମ୍ବ ହେଲେ ଦୁରେଇଯିବେ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତେଲେଙ୍ଗାନା ରାଜନୀତି ସେତିକି ସରଗରମ ହେଉଛି। ଦେଶର ପ୍ରମୁଖ ଚାରୋଟି ରାଜ୍ୟର ନିର୍ବାଚନ ଉପରେ ରାଜନୈତିକ ଦଳଗୁଡିକର ନଜର ରହିଥିବା ବେଳେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ ଉଦ୍ୟମକୁ ଜୋରଦାର କରୁଛି।

ଲଗାତର ଶାସନ କ୍ଷମତାରେ ଥିବା କେସିଆରଙ୍କ ବିଆରଏସକୁ ମାତ ଦେବାକୁ କଂଗ୍ରେସ ସେଠାରେ ସର୍ବୋଚ୍ଚ ନୀତି ନିର୍ଧାରକ କମିଟି ସିଡବ୍ଲୁସିର ବୈଠକ କରିବା ସହ ବିଶାଳ ସଭା କରି ଦଳ ସପକ୍ଷରେ ବାତାବରଣ ତିଆରି କରିଛି।

ସେପଟେ କିନ୍ତୁ କଂଗ୍ରେସ ପାଇଁ ଦୌଦୁଲ୍ୟମାନ ସ୍ଥିତିରେ ରହିଛି ୱାଇଏସଆର ତେଲେଙ୍ଗାନା ପାର୍ଟି। କଂଗ୍ରେସ ସହ ଦଳର ମିଶ୍ରଣ ନେଇ ବହୁବାର ଚର୍ଚ୍ଚା ହେବା ସହ ଖୋଦ ଦଳର ପ୍ରତିଷ୍ଠାତା ୱାଇଏସ ଶର୍ମିଳା ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିସାରିଛନ୍ତି।

ଏପରିକି ସିଡବ୍ଲୁସି ବୈଠକ ବେଳେ ଶର୍ମିଳାଙ୍କ ଦଳର କଂଗ୍ରେସ ସହ ମିଶ୍ରଣ ହେବ ବୋଲି ପ୍ରାୟ ସ୍ପଷ୍ଟ ହୋଇଥିଲା। କିନ୍ତୁ ତାହା ଦେଖିବାକୁ ମିଳିଲା ନାହିଁ। ତେଣୁ ଦଳର ନେତା ଓ କର୍ମୀ ମାନେ ଦୌଦୁଲ୍ୟମାନ ସ୍ଥିତିରେ ରହିଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ଅର୍ଥାତ ଆଉ ଚାରିରୁ ପାଞ୍ଚଦିନ ମଧ୍ୟରେ ଏସବୁ ପ୍ରସଙ୍ଗରେ ଚୂଡାନ୍ତ ହୋଇଯିବ ବୋଲି ଶର୍ମିଳା କହିଛନ୍ତି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ଶର୍ମିଳା ଦଳର ବରିଷ୍ଠ କାର୍ଯ୍ୟକର୍ତା, ନେତା ଓ କର୍ମୀଙ୍କ ସହ ଆଲୋଚନା କରି ଏ କଥା କହିଛନ୍ତି। ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସମୟ ହୋଇଯାଇଥିବାରୁ ତୁରନ୍ତ ଏ ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।

ନଚେତ ତେଲେଙ୍ଗାନାର ସମସ୍ତ ୧୧୯ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶର୍ମିଳାଙ୍କ ଦଳ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଛି। ଏପରିକି ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଶର୍ମିଳା ସମସ୍ତ ବିଧାନସଭା କ୍ଷେତ୍ର ଗସ୍ତ କରିବା ଆରମ୍ଭ କରିବେ ବୋଲି କହିଛନ୍ତି।

ସବୁ ଦଳୀୟ ନେତା, କର୍ମୀଙ୍କ ପରିଶ୍ରମ ଓ ଚେଷ୍ଟାକୁ ସମ୍ମାନ ମିଳିବ ଵୋଲି ଶର୍ମିଳା ଦଳୀୟ ବୈଠକରେ କହିଛନ୍ତି। ଶର୍ମିଳା ପୂର୍ବରୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କୁ ଭେଟିଥିବା ବେଳେ ପରେ ଦିଲ୍ଲୀରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ।

ଏପରିକି ଶର୍ମିଳାଙ୍କୁ କଂଗ୍ରେସରେ ମିଶିବା ନେଇ ଗ୍ରୀନ ସିଗ୍ନାଲ ମିଳିଥିବା କୁହାଯାଉଥିଲା। କିନ୍ତୁ ଏହି ନିଷ୍ପତ୍ତି ବିଳମ୍ବିତ ହେଉଥିବାରୁ ଶର୍ମିଳାଙ୍କ ଦଳ ଦୋଦୁଲ୍ୟମାନ ସ୍ଥିତିରେ ଥିବା କୁହାଯାଉଛି।

Leave A Reply

Your email address will not be published.